
ଭୁବନେଶ୍ଵର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଘୋଷଣା ହେବ ରେଜଲ୍ଟ। ତେବେ ଆଜି ଗୋଟିଏ ଦିନରେ କଳା,ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ।ଏନେଇ ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି । ରେଜଲ୍ଟ ଘୋଷଣା ପରେ ଛାତ୍ରଛାତ୍ରୀ ମାନେ www. orissaresults.nic.in ଓ results.digilocker.gov.in ୱବସାଇଟ ଓ ସାମ୍ସ ପୋର୍ଟାଲ୍ ରୁ ନିଜ ନିଜର ରେଜଲ୍ଟ ଜାଣିପାରିବେ।
ରାଜ୍ୟରେ ମୋଟ ୩.୮୫ ଲକ୍ଷ ଛାତ୍ରଛାତ୍ରୀ ଦେଇଛନ୍ତି ଯୁକ୍ତଦୁଇ ପରୀକ୍ଷା । କଳାରେ ସର୍ବାଧିକ ୨ଲକ୍ଷ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୬ହଜାର ଓ ବାଣିଜ୍ୟରେ ୨୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ରହିଛନ୍ତି। ଗତ ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଅନୁଷ୍ଠିତ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା।
୨ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଥିଲେ ମନ୍ତ୍ରୀ । ପରୀକ୍ଷା ଫଳ ବିଳମ୍ବକୁ ନେଇ ଅସନ୍ତୋଷ ବଢିଥିଲା । ତରବରିଆ ଭାବେ +୨ ପରୀକ୍ଷା ଫଳ ତାରିଖ ଘୋଷଣା କରାଯାଇଛି । +୨ ପରୀକ୍ଷା ଫଳ ଆସିନଥିବାରୁ +୩ ର ନାମଲେଖା ଅବେଦନ ଅବଧିକୁ ବୃଦ୍ଧି କରାଯାଇଛି । ଜୁନ ୧ ତାରିଖ ଯାଏଁ ନାମଲେଖା ଅବେଦନ ଅବଧି ବୃଦ୍ଧି ଘଟିଛି ବୋଲି ଘୋଷଣା କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ସୂଚନା ଦେଇଥିଲେ ଯେ, ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଦିନେ କି ଦୁଇ ଦିନ ଭିତରେ ପ୍ରକାଶ ପାଇ +୨ ରେଜଲ୍ଟ । ଆଉ ପିଲାମାନେ ବ୍ୟସ୍ତ ହୁଅ ନାହିଁ । ଯେତିକି ଦିନ ବିଳମ୍ୱ ହେଲା, ଆଉ କିନ୍ତୁ ବିଳମ୍ୱ ହେବ ନାହିଁ ବୋଲି ପରୀକ୍ଷାର୍ଥୀଙ୍କୁ ପ୍ରତିଶୃତି ଦେଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।