 
        ଖୋର୍ଦ୍ଧା: ମରାଳମାଳିନୀ ନିଳାମ୍ବୁ ଚିଲିକା ହ୍ରଦ ମଧ୍ୟରେ ଏକ କୁଦରେ ଅବସ୍ଥାପିତ କାଙ୍କଣଶିଖରୀ କ୍ଷେତ୍ର। ୧୬ ନମ୍ବର ଜାତୀୟ ରାଜପଥର ନାଚୁଣୀ ଛକ ଠାରୁ ନଈରୀ ଗ୍ରାମକୁ ଆସିଲେ ଦେଖିବାକୁ ମିଳିଥାଏ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବରେ ଜମାଶୁଣା କାଙ୍କଣଶିଖରୀ କୁଦ। ମନୋଲୋଭା ପ୍ରାକୃତିକ ପରିବେଶ ସହ ଲୁକାୟିତ ଶ୍ରୀ ଜଗନ୍ନାଥଙ୍କ ଐତିହ୍ୟ କାରଣରୁ ପର୍ଯ୍ୟଟକ ଏହି ସ୍ଥାନକୁ ଟାଣି ହୋଇ ଆସିଥାନ୍ତି। ଚିଲିକା ବ୍ଳକ ନଈରୀ ଗ୍ରାମ ନିକଟରେ ଅବସ୍ଥାପିତ ଏହି କାଙ୍କଣଶିଖରୀ ପୀଠ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବ୍ଲକ ଅନ୍ତର୍ଗତ ନଈରୀ ପଞ୍ଚାୟତ ନିକଟରେ ରହିଛି ଏହି କ୍ଷେତ୍ରଟି । କେବଳ ଶୀତ ନୁହେଁ ବର୍ଷର ବିଭିନ୍ନ ସମୟରେ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ ।
କାଙ୍କଣଶିଖରୀ ଏକ ଟାପୁ ମଧ୍ୟରେ ରହିଥିବାରୁ ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ଚିଲିକାକୁ ଆସୁଥିବା ବିଭିନ୍ନ ବିଦେଶୀ ପକ୍ଷୀ ଦେଖିବେ । ମନ୍ଦିର ମଧ୍ୟରେ ଥିବା ନଡ଼ିଆ ଗଛ ଗୁଡ଼ିକରେ ଶ୍ରୀ ଜଗନ୍ନାଥଙ୍କର ସୁନ୍ଦର ସୁନ୍ଦର କଳାକୃତିକୁ ଉପଭୋଗ କରିପାରିବେ । ସବୁଠାରୁ ବଡ଼କଥା ହେଲା ଟାପୁ ମଧ୍ୟରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଦେଖିପାରିବେ । ଏହି ମନ୍ଦିରରେ ଚଳନ୍ତି ବିଗ୍ରହ ଏବଂ ପୁରୀ ରଥାଯାତ୍ରା ସମୟର ନନ୍ଦିଘୋଷ ରଥର ଚକ ଦେଖିବାକୁ ପାଇବେ । କାଙ୍କଣ ଶିଖରୀକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଲୀଳାକ୍ଷେତ୍ର କୁହାଯାଏ । କାଙ୍କଣ ଶିଖରୀକୁ ନେଇ ଏକ ସୁନ୍ଦର କାହାଣୀ ମଧ୍ୟ ରହିଛି । କୁହାଯାଏ ୧୭୭୧ ମସିହା ପୂର୍ବରୁ ବାରମ୍ବାର ମୋଗଲମାନେ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରୁଥିଲେ । ଏହି କାରଣରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଉଥିଲା ।
ମୋଗଲମାନଙ୍କର ୧୮ ଥର ଆକ୍ରମଣ ସମୟରେ ବଡ଼ ଦେଉଳରୁ ତିନିଠାକୁର ଶ୍ରୀ ଜଗନ୍ନଥ, ଶ୍ରୀ ବଳଭଦ୍ର ଏବଂ ମା’ ସୁଭଦ୍ରାଙ୍କୁ ନେଇ ନଈରୀ ନିକଟ ଚିଲିକା ମଧ୍ୟରେ ରହିଥିବା ଟାପୁରେ ଲୁଚାଇ ରଖାଯାଇଥିଲା । ଚିଲିକା ଜଳ ଘେରରେ ରହିଥିବା ଛୋଟିଆ ପାହାଡ଼ରେ ମହାପ୍ରଭୁଙ୍କୁ ଭୋଗ ଲାଗି କରିବାକୁ କିଛି ମିଳିନଥିଲା । ସେହି ପାହାଡ଼ରେ ଫଳିଥିବା କାଙ୍କଣ ଫଳକୁ ମହାପ୍ରଭୁଙ୍କୁ ଭୋଗ ଲାଗି କରାଯାଇଥିଲା । ସେବେଠାରୁ ଏହି ପାହାଡ଼ର ନାଁ କାଙ୍କଣ ଶିଖରୀ ହୋଇଗଲା । ଏଠାରେ ମହାପ୍ରଭୁଙ୍କୁ କାଙ୍କଣ ଫଳ ଭୋଗ ଲାଗିହେବା ପରଠାରୁ ପୁରୀରେ ପ୍ରସ୍ତୁତ ହେଉଥିବା ମହାପ୍ରସାଦରେ କାଙ୍କଣ ବ୍ୟବହାର କରାଯାଉଛି । ଚାରି ମାସ ରହଣି ପରେ ନଈରୀ ଗ୍ରାମରେ ଥିବା ଏକ ମନ୍ଦିରକୁ ତିନି ଠାକୁରଙ୍କୁ ନିଆଯାଇଥିଲା ।
୨୦୧୬ ମସିହାରେ ନଈରୀ ଗ୍ରାମବାସୀଙ୍କୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ୨୦୧୫ ମସିହାରେ ଅନୁଷ୍ଠିତ ନବକଳେବର ସମୟର ନନ୍ଦିଘୋଷ ରଥର ଚକାଟିଏ ପୂଜାର୍ଚ୍ଚନା ପାଇଁ ପ୍ରଦାନ କରିଥିଲେ । ଏହା ପରଠାରୁ କାଙ୍କଣ ଶିଖରୀରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ପୁରୀ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ସମସ୍ତ ରୀତିନୀତି ଅନୁସାରେ ଏଠାରେ ତିନିଠାକୁରଙ୍କର ପୂଜାର୍ଚ୍ଚନା କରାଯାଉଛି । ଶ୍ରୀଗୁଣ୍ଡିଚା ଦିନ ତିନି ଠାକୁର ଡଙ୍ଗାରେ ବସି ନଈରୀ ଗ୍ରାମକୁ ଯାଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଭୁବନେଶ୍ଵରଠାରୁ କାଙ୍କଣ ଶିଖରୀର ଦୂରତା ପ୍ରାୟ ୮୦ କିଲୋମିଟର । ବ୍ରହ୍ମପୁରଠାରୁ ଏହାର ଦୂରତା ରହିଛି ପ୍ରାୟ ୯୦ କିଲୋମିଟର । ଭୁବନେଶ୍ଵରଠାରୁ ୭୫ କିଲୋମିଟର ଅତିକ୍ରମ କରିବା ପରେ ‘ନାଚୁଣୀ’ ବଜାରରେ ଓହ୍ଲାଇବାକୁ ପଡ଼ିବ । ନାଚୁଣୀଠାରୁ ନଈରୀର ଦୂରତା ୫ କିଲୋମିଟର ରହିଛି । ନଈରୀରୁ ଡଙ୍ଗା ସାହାଯ୍ୟରେ ଚିଲିକା ମଧ୍ୟରେ ଥିବା କାଙ୍କଣ ଶିଖରୀକୁ ଯିବାକୁ ପଡ଼ିବ ।
 
         
         
        