
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀର ବିବାଦ ୧୯୪୭ ମସିହାରୁ ଆରମ୍ଭ ହୋଇଥିବା ଏକ ଆଭ୍ୟନ୍ତରୀଣ ବିବାଦ । ଧାର୍ମିକ ଆଧାରରେ ଭାରତୀୟ ଉପମହାଦେଶର ବିଭାଜନ ଫଳରେ ଭାରତ ଏବଂ ପାକିସ୍ତାନ ଗଠନ ହୋଇଥିଲା । ଅବଶ୍ୟ, ଭାରତ ବିଭାଜନର ସିଦ୍ଧାନ୍ତ ଅନୁସାରେ ଦୁଇଟି ନୂତନ ଦେଶ ମଧ୍ୟରେ ରହିଥିବା ୬୫୦ରୁ ଅଧିକ ଗଡଜାତ ରାଜ୍ୟର ଶାସକମାନଙ୍କ ପାଇଁ ସେମାନେ କେଉଁ ଦେଶରେ ଯୋଗ ଦେବେ ତାହା ସେମାନଙ୍କ ଅଧିକାରଭୁକ୍ତ ଥିଲା । ଏପରିକି ସେମାନେ ଚାହିଁଲେ ସ୍ୱାଧୀନ ମଧ୍ୟ ରହିପାରିବେ ଏଭଳି ସର୍ତ୍ତରେ ବ୍ରିଟିଶଦ୍ୱାରା ଭାରତର ବିଭାଜନ କରାଯାଇଥିଲା । ତେବେ ବାସ୍ତବ କ୍ଷେତ୍ରରେ ଲୋକମାନେ ବ୍ରିଟିଶ ଶାସନରୁ ମୁକ୍ତି ପାଇଁ ଏହି ସ୍ୱାଧୀନତା ସଂଗ୍ରାମର ଅନ୍ତିମ ଅଧ୍ୟାୟରେ ଚାହୁଁ ନ ଥିଲେ ଯେ କିଛି ଗଡଜାତ ରାଜା ସେମାନଙ୍କୁ ଶାସନ କରନ୍ତୁ ।
ଅପର ପକ୍ଷରେ କାଶ୍ମୀରର ଭୌଗୋଳିକ ଅବସ୍ଥାନ ହେତୁ କାଶ୍ମୀର, ଭାରତ କିମ୍ବା ପାକିସ୍ତାନରେ ଯୋଗଦେବାକୁ ବାଛିବା ପାଇଁ ସ୍ୱାଧୀନ ଥିଲା । କାଶ୍ମୀରର ଶାସକ ମହାରାଜା ହରି ସିଂ ହିନ୍ଦୁ ହୋଇଥିବାବେଳେ ତାଙ୍କର ଅଧିକାଂଶ ଅଧିବାସୀ ମୁସଲମାନ ଥିଲେ । କାଶ୍ମୀର କେଉଁ ରାଷ୍ଟ୍ରରେ ଯୋଗଦେବା ଉଚିତ୍ ତାହା ସ୍ଥିର କରିବାରେ ଅସମର୍ଥ ହରି ସିଂ ନିରପେକ୍ଷ ରହିବାକୁ ବାଛିଥିଲେ । କାଶ୍ମୀରର ମହାରାଜା ହରି ସିଂ ପ୍ରଥମେ ଭାବିନେଲେ ଯେ ସେ ତାଙ୍କ ନିଷ୍ପତ୍ତିରେ ବିଳମ୍ବ କରି ସେ କାଶ୍ମୀରର ସ୍ୱାଧୀନତା ବଜାୟ ରଖିପାରିବେ । କିନ୍ତୁ ଏକ ଘଟଣାଚକ୍ରରେ ସେତେବେଳେ ରାଜ୍ୟର ପଶ୍ଚିମ ସୀମାରେ ରହୁଥିବା ମୁସଲମାନ ଅଧିବାସୀମାନଙ୍କ ମଧ୍ୟରେ ଏକ ଅସନ୍ତୋଷ ଭରି ରହିଥିଲା । ଏହାର ସୂଯୋଗ ନେଇ ପାକିସ୍ତାନ ମୁସଲମାନ ଆଦୀବାସୀଙ୍କଦ୍ୱାରା ଶ୍ରୀନଗର ଉପରେ ଆକ୍ରମଣ କରି କାଶ୍ମୀର ଅଧୀକାର ନିମନ୍ତେ ଷଡଯନ୍ତ୍ର ଆରମ୍ଭ କରିଦେଇଥିଲା । ହରି ସିଂ ସାମରିକ ସହାୟତା ପାଇଁ ଭାରତ ସରକାରଙ୍କୁ ନିବେଦନ କରି ଭାରତକୁ ପଳାଇଥିଲେ । କାଶ୍ମୀରର ସମ୍ଭାବ୍ୟ ପରାଜୟକୁ ଆଖି ଆଗରେ ରଖି କାଶ୍ମୀରର ତତ୍କାଳୀନ ରାଜା ହରି ସିଂହ ଅକ୍ଟୋବର ୧୯୪୭ରେ ଭାରତୀୟ ୟୁନିଅନସହ ଏକ ଚୁକ୍ତି (ଇନଷ୍ଟ୍ରୁମେଣ୍ଟ ଅଫ୍ ଆକ୍ସେସନ୍)ସ୍ୱାକ୍ଷର କରିଥିଲେ ଯେଉଁଥିରେ ସେ ଭାରତ ସହ ରହିବା ନିମନ୍ତେ କାଶ୍ମୀରବାସୀଙ୍କ ଇଚ୍ଛା ପ୍ରକଟ କରିଥିଲେ ।
ରାଜା ହରି ସିଂହଙ୍କଦ୍ୱାରା ଭାରତ ସହ କାଶ୍ମୀରର ମିଶ୍ରଣ ପାଇଁ ଏହି ଚୁକ୍ତିନାମା ୨୬ ଅକ୍ଟୋବର ୧୯୪୭ ଦିନ ସ୍ୱାକ୍ଷରିତ ହୋଇଥିଲା ଏବଂ ୨୭ ଅକ୍ଟୋବର ଦିନ ରାଜ୍ୟପାଳ ଜେନେରାଲ୍ ମାଉଣ୍ଟବ୍ୟାଟେନ୍ ଏହାକୁ ଅନୁମୋଦନ ମଧ୍ୟ କରିସାରିଥିଲେ । ଏହି ଚୁକ୍ତି ସ୍ୱାକ୍ଷର ପରେ ଭାରତୀୟ ସୈନ୍ୟ କାଶ୍ମୀରର ମୁକ୍ତି ନିମନ୍ତେ ଅଗ୍ରସର ହେଲେ । ପାକିସ୍ତାନ ମଧ୍ୟ ଏହି ସନ୍ଧି କ୍ଷଣରେ କାଶ୍ମୀର ଅଧୀକାର କରିନେବାକୁ ଯୋଜନା କରି ସୈନ୍ୟ ପ୍ରେରଣ କରିସାରିଥିଲା । ଫଳରେ, ୧୯୪୭-୪୮ ମସିହାରେ ଭାରତ ଏବଂ ପାକିସ୍ତାନୀ ସେନା କାଶ୍ମୀର ଅଧୀକାର ନିମନ୍ତେ ପ୍ରଥମ ଯୁଦ୍ଧ କରିଥିଲେ । ଜାନୁଆରୀ ୧ ୧୯୪୮ରେ ଭାରତ ଏହି ବିବାଦକୁ ମିଳିତ ଜାତିସଂଘକୁ ପଠାଇଥିଲା । ଅଗଷ୍ଟ ୧୩, ୧୯୪୮ରେ ହୋଇଥିବା ଏକ ଘୋଷଣାନାମାରେ ଜାତିସଂଘ ପାକିସ୍ତାନକୁ ନିଜର ସୈନ୍ୟ ହଟାଇବାକୁ କହିଲା । ଏହା ପରେ ଭାରତକୁ ମଧ୍ୟ ଏହାର ବହୁ ଅଂଶରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ପଡିଥିଲା । ଏହାପରେ ଉଭୟ ଦେଶର ସମ୍ମତି କ୍ରମେ କାଶ୍ମୀରରେ ଏକ ମୁକ୍ତ ଏବଂ ନିରପେକ୍ଷ ଜନମତ ସର୍ଭେ କରାଯାଇ ବହୁମତ କ୍ରମେ କାଶ୍ମୀରବାସୀଙ୍କ ସମ୍ମତି ଆଧାରରେ ପରବର୍ତ୍ତୀ ନିର୍ଣ୍ନୟ ନେବାର ସ୍ଥିର ହେଲା । ଭାରତ-ମିଶ୍ରଣ ଚିଠିର ମୂଳ ଚିଠା ଠିକ୍ ସେହିପରି ଥିଲା ଯେଉଁଥିରେ ଭାରତରେ ଯୋଗ ଦେଇଥିବା ଅନ୍ୟ ଶହ ଶହ ଗଡଜାତ ରାଜ୍ୟ ସେମାନଙ୍କ ରାଜ୍ୟଗୁଡ଼ିକୁ ଭାରତରେ ଅନ୍ତର୍ଭୁକ୍ତ କରିଥିଲେ । ଗଡଜାତ ରାଜ୍ୟ ଗୁଡିକର ମିଶ୍ରଣ ପାଇଁ କୌଣସି ସର୍ତ୍ତ କିମ୍ବା ଚାହିଦା ନ ଥିଲା ।
ଏହି ଆଇନଗତ ଦସ୍ତାବିଜରେ ଦସ୍ତଖତ ହେବା ମାତ୍ରେ ପାକିସ୍ତାନର ବେଆଇନ ଭାବେ ଅଧିକୃତ ଅଞ୍ଚଳ ସମେତ ସମଗ୍ର ଜାମ୍ମୁ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଗଲା । ତେବେ ଯେଉଁଭଳି ଭାବେ ପାକିସ୍ତାନଦ୍ୱାରା କାଶ୍ମୀରର ଅର୍ଦ୍ଧେକ କବଜା କରାଯାଇଥିଲା, ତାହା କାଶ୍ମୀର ସମସ୍ୟା ନାମରେ ଅଦ୍ୟାପି ଉଭୟ ଦେଶପାଇଁ ଏକ ଅସମାହିତ ସମସ୍ୟା ହୋଇ ରହିଛି । ଏହା ଉପରେ ପାକିସ୍ତାନ ତିନିଥର ଭାରତ ଉପରେ ଆକ୍ରମଣ କରିଥିଲା ଏବଂ ତିନିଥର ସେ ଶୋଚନୀୟ ଭାବରେ ପରାସ୍ତ ହୋଇଥିଲା । ୧୯୭୧ ଯୁଦ୍ଧରେ ଭାରତ ପାକିସ୍ତାନୀ ସେନାକୁ ଇସଲାମାବାଦ ପର୍ଯ୍ୟନ୍ତ ଘଉଡାଇ ନେଇଯାଇଥିଲେ ଏବଂ ପାକିସ୍ଥାନକୁ ପରାସ୍ତ କଲା । ୫ ଅଗଷ୍ଟ ୨୦୧୯ ରେ, ଭାରତ ସରକାର ଜାମ୍ମୁ-କାଶ୍ମୀରକୁ ଭାରତୀୟ ସମ୍ବିଧାନର ଧାରା ୩୭୦ ଅନୁଯାୟୀ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତା ବା ସୀମିତ ସ୍ୱାଧୀନତାକୁ ପ୍ରତ୍ୟାହାର କରିନେଇଛନ୍ତି ।୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ପାକିସ୍ତାନ ପାଇଁ କ୍ଷତି ଘଟିଥିଲା ଏବଂ ପୂର୍ବ ପାକିସ୍ତାନରେ ସାମରିକ ଆତ୍ମସମର୍ପଣ ହୋଇ ଭାରତର ସହଯୋଗରେ ବାଂଲାଦେଶ ଏକ ପୃଥକ ରାଜ୍ୟ ଭାବରେ ସୃଷ୍ଟି ହେଲା । ଯୁଦ୍ଧର ପରବର୍ତ୍ତୀ ସ୍ଥିତି ଭାବରେ ସିମଲାଠାରେ ଏକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ଭାରତ ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା କରିବା ଚାହୁଁଥିଲା । ଏହି ବିବାଦ ସମୟରେ ପାକିସ୍ତାନ ନିଜ ଅଞ୍ଚଳର ୫,୧୩୯ ବର୍ଗ ମାଇଲ (13,310 କିଲୋମିଟର) ହରାଇବ ସହ ପୂର୍ବ ପାକିସ୍ତାନରେ ୯୦,୦୦୦ରୁ ଅଧିକ ଯୁଦ୍ଧ ବନ୍ଦୀ ରହିଥିଲେ। କାଶ୍ମୀର ପ୍ରସଙ୍ଗରେ ଏକ “ସ୍ଥାୟୀ ସମାଧାନ” ବଦଳରେ ଭାରତ ପାକିସ୍ତାନକୁ ଅଧିକାର କରିଥିବା ଅଞ୍ଚଳ ସହ ଯୁଦ୍ଧବନ୍ଦିଙ୍କୁ ସେମାନଙ୍କୁ ଫେରାଇବାକୁ ପ୍ରସ୍ତୁତ ଥିଲା ।
ତେବେ ପାକିସ୍ତାନର ତତକାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ଅନୁରୋଧ କ୍ରମେ ଚୁକ୍ତିନାମାର ଆନୁଷ୍ଠାନିକ ଘୋଷଣାନାମାରେ କାଶ୍ମୀର ବିବାଦର ଚୂଡାନ୍ତ ସମାଧାନ ଅନ୍ତର୍ଭୂକ୍ତ କରା ନ ଯାଇ ଏକ ଅସ୍ଥାୟୀ ବ୍ୟବସ୍ଥାର ଇଙ୍ଗିତ ରହିଲା । ସେହି ଅନୁଯାୟୀ, ଦୁଇ ଦେଶଦ୍ୱାରା ସିମଳା ଚୁକ୍ତିନାମା ପ୍ରସ୍ତୁତ କରାଯାଇଥିଲା ଏବଂ ସ୍ୱାକ୍ଷରିତ ହୋଇଥିଲା ଯେଉଁଥିରେ ଦ୍ୱିପାକ୍ଷିକ ବୁଝାମଣା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଉପାୟରେ ସେମାନଙ୍କର ମତଭେଦ ସମାଧାନ କରିବାକୁ ଏବଂ ନିୟନ୍ତ୍ରଣ ରେଖାର ପବିତ୍ରତା ବଜାୟ ରଖିବାକୁ ଦୁଇଦେଶ ନିଷ୍ପତ୍ତି ନେଇଥିଲେ । ସିମଳା ଚୁକ୍ତିନାମା ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୭୨ ମସିହାରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଶାନ୍ତି ଚୁକ୍ତି । ଏହା ୧୯୭୧ ମସିହାର ବାଙ୍ଗଲାଦେଶ ମୁକ୍ତିଯୁଦ୍ଧ ଓ ଏସିଆରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ହୋଇଥିଲା । ଏହି ଚୁକ୍ତିଦ୍ୱାରା ଦୁଇ ଦେଶ ସମସ୍ତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଚର୍ଚ୍ଚା କରିବାକୁ ସହମତ ହୋଇଥିଲେ। ଭାରତଦ୍ୱାରା ଏହା ଭାରତ-ପାକିସ୍ତାନ ସମ୍ପର୍କକୁ ସାଧାରଣ କରିବା ଓ ଶାନ୍ତି ସ୍ଥାପନାର ପ୍ରୟାସ ଥିଲା । ଏହାର ଫଳରେ ଏକ ଦ୍ୱିପକ୍ଷୀୟ ଆଧାରରେ କାଶ୍ମୀର ସମ୍ବନ୍ଧୀୟ ସମସ୍ତ ବିବାଦର ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।