
ମହାମହିମ ରାଷ୍ଟ୍ରପତି ମୟୁରଭଞ୍ଜ ଜିଲ୍ଲା ୩ ଦିନିଆ ଗସ୍ତ ରେ ଆସି ଫେରିଯାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ବଡ଼ ଅବ୍ୟବସ୍ଥା । ଗତକାଲି ଘଟଣା ପରେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଏତେ କଡା ସୁରକ୍ଷା ସତ୍ତ୍ୱେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ନିକଟରେ ଫଟୋ ଉଠାଇଥିଲେ ଜଣେ ଫାର୍ମାସିଷ୍ଟ । ଡ୍ୟୁଟି ରେ ଥିବା ଫାର୍ମାସିଷ୍ଟ ସୁରକ୍ଷା ବଳୟ ଅତିକ୍ରମ କରି ହେଲିକପ୍ଟର ର ପାହାଚରେ ବସି ଫଟୋ ଉଠେଇ ଫେସବୁକ ରେ ଛାଡିଥିବା ଘଟଣା ସାମ୍ନା କୁ ଆସିଛି ।
ସେପଟେ ପ୍ରେସିଡେଣ୍ଟ ପ୍ରୋଗ୍ରାମ ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା । ରାଷ୍ଟ୍ରପତିଙ୍କ ଭାଷଣ ବେଳେ ଚାରିଆଡ଼ ଅନ୍ଧାର ହୋଇଗଲା । ଅନ୍ଧାରରେ ଭାଷଣ ଦେଲେ ମହାମହିମ, ଯାହାକୁୁ ନେଇ ସାରା ଦେଶରେ ଚର୍ଚ୍ଚା । ହେଲେ ସବୁଠୁ ବଡ଼ କଥା ହେଲା ଏଠି ବି ନିଜ ସରଳ ଓ ମହାନ ବ୍ୟକ୍ତିତ୍ବର ପରିଚୟ ଦେଇଥିଲେ ଦ୍ରୌପଦୀ । ୯ ମିନିଟ୍ ପରେ ଜେନେରେଟର ଦ୍ୱାରା ପୁଣିଥରେ ଲାଇନ ଆସିଥିଲା ।
ସୂଚନା ଯୋଗ୍ୟ ଯେ ମହାମହିମ ରାଷ୍ଟ୍ରପତି ଙ୍କ ସୁରକ୍ଷା ପାଇଁ ମୟୁରଭଞ୍ଜ ଜିଲ୍ଲାରେ ୪୦୦ ସିନିୟର ଅଫିସର, ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଗସ୍ତର ଦ୍ୱିତୀୟ ଦିବସ ୫ ତାରିଖ ଦିନ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ବାହାରି ଶିମିଳିପାଳ ପାଦ ଦେଶରେ ଥିବା ଛେଳିଗୁଦୁଲି ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ଼ ରେ ସକାଳ ୧୦:୫୦ ରେ ପହଁଚିଥିଲେ ମହାମହିମ ରାଷ୍ଟ୍ରପତି । ସେଠାରୁ ସିଧାସଳଖ ସଡ଼କ ପଥରେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିଲେ । ହେଲିପ୍ୟାଡରେ ଡିୟୁଟି ପଡିଥିବା ଜଣେ ଫାର୍ମାସିଷ୍ଟ ସୁରକ୍ଷା ବଳୟ ଭାଙ୍ଗି ରାଷ୍ଟ୍ରପତି ଆସିଥିବା ୩ ଟି ହେଲିକ୍ୟାପ୍ଟର ରୁ ଗୋଟିଏ ହେଲିକ୍ୟାପ୍ଟର ରେ ସେଲ୍ଫି ନେବା ସହ ବସି ଫୋଟ ଉଠାଇଛନ୍ତି । ସେ ପୁଣି ନିଜ ଫେସବୁକ ଏକାଉଣ୍ଟ ରେ ମଧ୍ୟ ପୋଷ୍ଟ କରିଛନ୍ତି । ସୁରକ୍ଷା ବଳୟ ଭାଙ୍ଗି କିପରି ହେଲିକପ୍ଟରରେ ବସି ଯାଇ ଫୋଟ ଉଠେଇଲେ ତାହା ପ୍ରଶ୍ନବାଚି ସୃଷ୍ଟି କରିଛି । ସାମ୍ବାଦିକ ମାନେ ପ୍ରଶ୍ନ ଉଠେଇବାରୁ ଫେସବୁକ ପୋଷ୍ଟ ଗୁଡିକ ଡିଲିତ କରିଛନ୍ତି ଫାର୍ମାସିଷ୍ଟ । ଏଠାରେ ପ୍ରଶ୍ନ ଉଠେ କି ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ତହସିଲଦାର ଙ୍କୁ ମଧ୍ୟ ହେଲିପ୍ୟାଡ଼ କୁ ଛଡା ଯାଇନଥିଲା ତେବେ କେଉଁ ପରିସ୍ଥିତି ରେ ଫାର୍ମାସିଷ୍ଟ ଜଣଙ୍କ ଯାଇ ଫୋଟ ଉଠାଇଲେ ଓ କିଏ ତାଙ୍କ ଫୋଟ ଉଠେଇବାରେ ସାହାଯ୍ୟ କରିଥିଲା ତାହା ତଦନ୍ତ ସାପେକ୍ଷ ।