Sunday, May 19, 2024
HomeHEALTHଅଭିନେତା ଅନୁଭବଙ୍କ ବାପାଙ୍କ ପରଲୋକ..

ଅଭିନେତା ଅନୁଭବଙ୍କ ବାପାଙ୍କ ପରଲୋକ..

ଭୁବନେଶ୍ୱର : ଆସିଛି ଏକ ବଡ଼ ଦୁଃଖ ଖବର । କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ଅନୁଭବଙ୍କ ବାପା ଖରାପ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ । ବାପାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଅନୁଭବ ବହୁ ସମୟରେ ସୁଦୂର ଦିଲ୍ଲୀରୁ ଓଡ଼ିଶା ଅଭିମୁଖେ ଧାଇଁ ଆସୁଥିଲେ । ତେବେ ସବୁ ପ୍ରୟାସର ଅନ୍ତ ଘଟିଛି । ଶେଷରେ ସମସ୍ତଙ୍କୁ ଛାଡ଼ି ବାପା ଆରପାରିକୁ ଚାଲିଯାଇଛନ୍ତି । ବାପାଙ୍କ ବିୟୋଗରେ ଅନୁଭବ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି ।

ଅନୁଭବ ଜୀବନରେ ଯଦି କାହାକୁ ସବୁଠାରୁ ବେଶି ଭଲ ପାଆନ୍ତି ସେ ହେଉଛନ୍ତି ତାଙ୍କର ବାପା । ବାପାଙ୍କ ଦୀର୍ଘାୟୁ କାମନା କରି ଅନେକ ସମୟରେ ଅନୁଭବ ମିଡ଼ିଆ ଆଗରେ ମଧ୍ୟ କହିଥିଲେ । ଜୀବନରେ କେହି କେବେ ବି ସେମାନଙ୍କର ବାପା-ମାଆଙ୍କୁ ଅବହେଳା କରିବା ଅନୁଚିତ ବୋଲି ଅନୁଭବ ଅନେକ ସମୟରେ ନିଜର ପ୍ରଶଂସକଙ୍କୁ ପରାମର୍ଶ ଦେଇଥାନ୍ତି । ତେବେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ତାଙ୍କ ବାପାଙ୍କର ଅସ୍ତ୍ରୋପଚାର ଗତ ଜାନୁଆରୀ ମାସରେ ହୋଇଥିଲେ । ବାପାଙ୍କର ସଫଳ ଅସ୍ତ୍ରୋପଚାର ଅନୁଭବଙ୍କ ପାଇଁ ଏକ ବଡ଼ ଖୁସି ଖବର ବୋଲି ସେ କହିଥିଲେ ।

ଦୀର୍ଘବର୍ଷ ଧରି ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ କୋର୍ଟରେ ବିଚାରାଧୀନ ରହିଥିଲା । ଶେଷରେ ଗତ ବର୍ଷ ଡିସେମ୍ବର ମାସ ୨୧ ତାରିଖରେ ହାଇକୋର୍ଟ ଅନୁଭବଙ୍କୁ ଛାଡ଼ପତ୍ର ଆବେଦନ ପାଇଁ ଅନୁଭତି ପ୍ରଦାନ କରିଥିଲେ । କୋର୍ଟଙ୍କ ରାୟ ପରେ ଅନୁଭବ ବଡ଼ ଆଶ୍ୱସ୍ତି ପାଇଥିବା ବେଳେ ନିଜର ଜନ୍ମଦିନକୁ ବଡ଼ ଧୂମଧାମରେ ପାଳନ କରିଥିଲେ । ଏଥିସହିତ ନିଜର ଦ୍ୱିତୀୟ ବିବାହ ପାଇଁ ପ୍ରଶଂସକଙ୍କୁ ଆଗୁଆ ନିମନ୍ତ୍ରଣ ଦେଇଥିଲେ । ତେବେ କୋର୍ଟଙ୍କ ରାୟ ପ୍ରକାଶ ପାଇବା ଓ ଜନ୍ମଦିନ ପାଳନ କରିବା ଠାରୁ ତାଙ୍କର ବାପାଙ୍କ ସଫଳ ଅସ୍ତ୍ରୋପଚାରକୁ ନେଇ ଅନୁଭବ ବହୁଗୁଣରେ ଖୁସି ଥିଲେ । ମାତ୍ର ଆଜି ଅନୁଭବଙ୍କ ଜୀବନରୁ ସବୁଦିନ ପାଇଁ ସେଇ ଖୁସି ଟିକକ ଚାଲିଯାଇଛି । ଏନେଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଅନୁଭବ ଓ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments