
ପୁରୀ: ଆରମ୍ଭ ହୋଇ ସାରିଛି ନବରାତ୍ରୀ ପୂଜା । ମା’ଙ୍କ ଆଗମନକୁ ନେଇ ସମସ୍ତେ ଖୁବ ଉତ୍ସାହିତ l ଏବେ ସହର ଠୁ ଗାଁ ସବୁ ଚଳଚଞ୍ଚଳ l ଚାରିଆଡେ ଯାକଜମକ ସାଜସଜା l ତେବେ ଏହି ପବିତ୍ର ଦୁର୍ଗାପୂଜା ଅବସରରେ ନିଆରା ଢଙ୍ଗରେ ସମସ୍ତଙ୍କୁ ଶୁଭେଚ୍ଛା ଦେଇଛନ୍ତି ପ୍ରସିଦ୍ଧ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଆଜି ପୁରୀ ବେଳାଭୂମିରେ ନିଜର ଅନନ୍ୟ ବାଳିକାକୃତି ଦ୍ୱାରା ମା’ ଦୁର୍ଗାଙ୍କ ପ୍ରତିକୃତି ତିଆରି କରି ବିଶ୍ବବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଗଗନୟାନର ସଫଳତା ପାଇଁ ମଧ୍ୟ ସେ ଶୁଭେଚ୍ଛା କାମନା କରିଛନ୍ତି l
ଆଜି ପୁରୀ ବେଳାଭୂମିରେ ପ୍ରାୟ ୨ ହଜାରରୁ ଅଧିକ ଦୀପ ବ୍ୟବହାର କରି ମା’ ଦୁର୍ଗାଙ୍କର ଏକ ସୁନ୍ଦର କଳାକୃତି ନିର୍ମାଣ କରି ଗଗନାୟାନ ର ସଫଳତା କାମନା କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ଏହି ଆକର୍ଷଣୀୟ ବାଲୁକା ଚିତ୍ରକଳାଟିକୁ କରିବା ପାଇଁ ଶ୍ରୀ ପଟ୍ଟନାୟକଙ୍କୁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିଲା l ଦେବୀ ଦୁର୍ଗାଙ୍କ ମୁଖମଣ୍ଡଳକୁ ବାଲୁକା ଚିତ୍ରକଳାରେ କରାଯାଇ ଥିବାବେଳେ ଏଥିରେ ଦୁଇ ହଜାରରୁ ଅଧିକ ଦୀପ ଲଗାଇ ଏହାକୁ ବେଶ୍ ଆକର୍ଷଣୀୟ କରିଛନ୍ତି ଶ୍ରୀ ପଟନାୟକ । ଏହା ସହ ମାଙ୍କ ନିକଟରେ ଏକ ରକେଟ ତିଆରି କରି ଗଗନଯାନର ସଫଳ ପାଇଁ ଶୁଭେଚ୍ଛା କାମନାବକରିଛନ୍ତି l ଏହା ସୁନ୍ଦର ବାଲୁକାକଳାକୁ ଦେଖିବା ପାଇଁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଖୁବ ଗହଳି ଦେଖିବାକୁ ମିଳିଛି ।