
ମୁମ୍ବାଇ: ସାମ୍ନାକୁ ଆସିଲା ତାରିଖ । ଏହି ଦିନ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ତେଲୁଗୁ ସିନେମା ‘ଡାକୁ ମହାରାଜ’ । ଗତ ୧୨ ଜାନୁଆରୀରେ ଫିଲ୍ମଟି ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା । କିନ୍ତୁ ପ୍ରେକ୍ଷାଳୟ ଯାଇପାରିନଥିବା ଦର୍ଶକମାନେ ଉତ୍ସାହର ସହ ଅପେକ୍ଷା କରିଥିଲେ କି କେବେ ଫିଲ୍ମଟି ଓଟିଟିରେ ରିଲିଜ୍ ହେବ । ତେବେ ସେହି ଅପେକ୍ଷାରତ ଦର୍ଶକଙ୍କ ପାଇଁ ଖୁସି ଖବର । ଆସନ୍ତା ୨୧ ଫେବୃଆରୀରେ ନେଟଫ୍ଲିକ୍ସରେ ତେଲୁଗୁ ସିନେମା ଡାକୁ ମହାରାଜର ଷ୍ଟ୍ରିମିଂ ଆରମ୍ଭ ହେବ ।
ନନ୍ଦମୁରୀ ବାଳକୃଷ୍ଣ, ଉର୍ବଶୀ ରଉତେଲା ଏବଂ ବବି ଦେଓଲଙ୍କ ଅଭିନୀତ ତେଲୁଗୁ ସିନେମା ଗତ ଜାନୁଆରୀ ୧୨ ତାରିଖରେ ରିଲିଜ୍ ହୋଇଥିଲା । ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ଦମଦାର ଓପନିଙ୍ଗ କରିଥିବା ଏହି ସିନେମା ଏବେଯାଏଁ ମୋଟ ୧୦୫ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି । ଫିଲ୍ମଟିରେ ଉର୍ବଶୀ ସବ-ଇନ୍ସପେକ୍ଟର ଜାନକୀ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମଟିର ଦାବିଡି ଡିବିଡି ଗୀତ ଏବେ ୟୁଟ୍ୟୁବରେ ବେଶ୍ ଭାଇରାଲ ହେଉଛି । ହିନ୍ଦୀରେ ଭିଡିଓଟି ୨.୧ ମିଲିୟନ ରୋଜଗାର କରିଥିବା, ତେଲୁଗୁରେ ୩୦ ମିଲିୟନ ଏବଂ ସମ୍ପୂର୍ଣ୍ଣ ଭିଡିଓ ଗୀତଟି ୫.୩ ମିଲିୟନ ଭ୍ୟୁ ପାଇଛି ।
ନେଟଫ୍ଲିକ୍ସ ଓଟିଟି ରିଲିଜ୍ ତାରିଖ ଘୋଷଣା କରିବା ପାଇଁ ସିନେମାର ଏକ ପୋଷ୍ଟର ସେୟାର କରିଛି । ହେଲେ ସବୁଠୁ ରୋଚକ କଥା ହେଉଛି ପୋଷ୍ଟରରେ ସିନେମାର ଅନ୍ୟ ଚରିତ୍ର ରହିଥିବା ବେଳେ ଏଥିରେ ଉର୍ବଶୀଙ୍କ ଫଟୋ ନାହିଁ । ଯାହାକୁ ନେଇ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ବ୍ୟଙ୍ଗ କରି କହିଛନ୍ତି, ୧୦୫ କୋଟିର ସିନେମା ପୋଷ୍ଟରରୁ ହଟାଇ ଦିଆଯାଇଥିବା ଭାରତର ପ୍ରଥମ ମହିଳା । ଆଉ ଜଣେ କହିଛନ୍ତି, ସିନେମାର ବେଷ୍ଟ ପ୍ରମୋଟର ହିଁ ପୋଷ୍ଟରରେ ନାହାନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କାହିଁକି ପୋଷ୍ଟରରେ ଉର୍ବଶୀଙ୍କ ଫଟୋ ନାହିଁ ?