
କଟକ: ୟୁଟ୍ୟୁବ୍ ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରୁଥିବା ଏକ ବଡ଼ ରାକେଟ୍ ଧରାପଡ଼ିଛି। ଏହି ରାକେଟ୍ରେ ସଂପୃକ୍ତ ୪ ଜଣ ୟୁଟ୍ୟୁବର୍ ଓ ସରକାରୀ ସ୍କୁଲର ଜଣେ ଶିକ୍ଷକଙ୍କୁ କଟକ ସାଇବର ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ଜ୍ୟୋତିରଞ୍ଜନ ବାରିକ, ବରଗଡ଼ ଅତାବିରାର ସାହିଲ କୁମାର ମିଶ୍ର, ସୁଶାନ୍ତ କୁମାର ବିଶି ଓ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ସାଇଶଙ୍କର ପାତ୍ର । ସେହିପରି ଗିରଫ ସହକାରୀ ଶିକ୍ଷକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଘନଶ୍ୟାମ ବେଉରା । ଏଥିସହିତ ତାଙ୍କ ସହିତ ୬ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ଟାବଲେଟ୍ ଜବତ ହୋଇଛି ।
ସୂଚନା ଅନୁସାରେ, ୰ଗତବର୍ଷ ନଭେମ୍ବର ମାସରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଆସୋସିଏସନ ବା ‘ଓଷ୍ଟା’ର ସଂପାଦକ ରଞ୍ଜନ କୁମାର ଦାଶ ସାଇବର ଥାନାରେ ଏକ ଏତଲା ଦେଇଥିଲେ । ଅକ୍ଟୋବର ୨୮ରୁ ନଭେମ୍ବର ୪ ମଧ୍ୟରେ ସ୍କୁଲସ୍ତରରେ ଅଷ୍ଟମରୁ ଦଶମ ଶ୍ରେଣୀ ମଧ୍ୟରେ ଚାଲିଥିବା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଥିଲେ । ଏପରିକି ପୂର୍ବ ବର୍ଷର ‘ପ୍ରି ବୋର୍ଡ’ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ବିଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଭାଇରାଲ୍ ହେଉଥିବା କଥା ସେ ପ୍ରକାଶ କରିଥିଲେ । ଅଭିଯୋଗ ଆଧାରରେ ଥାନା ପକ୍ଷରୁ ଗୁଗଲ୍ ଓ ଅନ୍ୟ ସଂସ୍ଥାଠାରୁ ଏକାଧିକ ବୈଷୟିକ ତଥ୍ୟ ମଗାଯାଇଥିଲା । ଏହି ତଥ୍ୟ ଯାଞ୍ଚ ପରେ ଘଟଣା ପଛରେ ବଡ ରାକେଟ କାମ କରୁଥିବା ଜଣାପଡିଥିଲା ।
ଶିକ୍ଷକମାନେ ଗଣିତ ପ୍ରଶ୍ନପତ୍ର ପାଇଁ ୫ ହଜାର, ବିଜ୍ଞାନ ୩ ହଜାର, ସାମାଜିକ ବିଜ୍ଞାନ ପାଇଁ ୨ ହଜାର ଓ ଇଂରାଜୀ ପ୍ରଶ୍ନପତ୍ର ପାଇଁ ୫ ହଜାର ଟଙ୍କା ନେଉଥିଲେ। ଆଉ ଏହି ପ୍ରଶ୍ନପତ୍ର ପାଇବା ମାତ୍ରେ ପରୀକ୍ଷା ପୂର୍ବରୁ ତାହାକୁ ଭିଡିଓ କରି ୟୁଟ୍ୟୁବ୍ରେ ଛଡ଼ା ଯାଉଥିଲା। ଏହି ଖେଳ ଗଲା କିଛି ବର୍ଷ ହେବ ଲଗାତାର ଚାଲିଛି। ଏହାର ତଥ୍ୟ ପ୍ରମାଣ ପାଇବା ପରେ ଗତକାଲି ସାଇବର ଥାନା ପୁଲିସ ଉପରୋକ୍ତ ୪ ଜଣ ୟୁଟ୍ୟୁବର୍ ଏବଂ ଜଣେ ଶିକ୍ଷକଙ୍କୁ ଗିରଫ କରିଥିଲା।