
ରାୟଗଡା : ସତରେ କେତେ ନୃଶଂସ ଏ ମଣିଷ l ପାଠ ପଢ଼ି ଶିକ୍ଷିତ ହେବାପାଇଁ ତିଆରି ହୋଇଛି ବିଦ୍ୟାର ମନ୍ଦିର l ହେଲେ ସେଇ ବିଦ୍ୟାର ମନ୍ଦିର ଯିବା ସାଜିଛି କାଳ l ସେହି ବିଦ୍ୟାଳୟର କର୍ମଚାରୀ ଯଦି ସୈତାନ ସାଜେ ତେବେ କଣ କରିବେ ଛାତ୍ରଛାତ୍ରୀ l ହଁ ଆଜ୍ଞା ଏକ ସ୍କୁଲ ପିଅନ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରିଛି l ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁରୁ ବ୍ଲକ ଡ଼ଙ୍ଗାସିଲ ଆବାସିକ ବିଦ୍ୟାଳୟରେ। ଘଟଣାଟି ପରେ ଗ୍ରାମବାସୀ ଉତ୍ତେଜିତ ହୋଇ ଉଠିଛନ୍ତି l
ଗତକାଲି ସ୍କୁଲ ସରିବା ପରେ ତୃତୀୟ ଶ୍ରେଣୀ ଛାତ୍ରୀଜଣକ ନିଜ ଘରକୁ ଫେରୁଥିଲେ l ମାତ୍ର ତାଙ୍କୁ ଏକୁଟିଆ ପାଇ ପ୍ରଲୋଭିତ କରି ସ୍କୁଲର ପିଅନ ଶିବ ପ୍ରସାଦ ମିଶ୍ର ତାଙ୍କୁ ଏକ ରୁମ୍କୁ ନେଇ ଯାଇଥିଲେ। ସେଠାରେ ସେ ତାଙ୍କ ସହ ଦୁଷ୍କର୍ମ କରିଥିଲେ l ଏହାପରେ ଛାତ୍ରୀଜଣକ କାନ୍ଦୁଥିବା ଦେଖି ଉକ୍ତ ବିଦ୍ୟାଳୟର ଅନ୍ୟ ଜଣେ ଛାତ୍ରୀ ତାଙ୍କୁ ଉଦ୍ଧାର କରି ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ଗୁରୁତର ଅବସ୍ଥାରେ ଘରେ ପହଞ୍ଚି ନାବାଳିକାଜଣକ ନିଜ ପରିବାର ଲୋକଙ୍କୁ ସବୁ କଥା କହିଥିଲେ । ଏହାପରେ ତୁରନ୍ତ ତାଙ୍କୁ ପ୍ରଥମେ ଡ଼ଙ୍ଗାସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାଯାଇଛି । ପରିବାର ଲୋକେ ଡଙ୍ଗା ସିଲ ଥାନାରେ ଏତଲା ଦେଇଛନ୍ତି l ପୁଲିସ୍ ପ୍ରଥମେ ଏତଲା ଗ୍ରହଣ କରୁ ନ ଥିବା ବେଳେ ପରେ ଗ୍ରହଣ କରିଥିବା କହିଛନ୍ତି ପରିବାର ଲୋକେ ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଘେରି ପୁଲିସ୍ ବସ୍ରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି । ଏହି ଘଟଣାରେ ପୁଲିସ୍ ସମ୍ପୃକ୍ତ ପିଅନଙ୍କୁ ଅଟକ ରଖି ପଚରାଉଚରା କରିଛି । ଗ୍ରାମରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି l