
ନଭେମ୍ବର ୨୧ ତାରିଖରୁ ରାଜ୍ୟରେ ଖରିଫ ଧାନ କିଣା ହେବ । ବରଗଡ଼ ଜିଲ୍ଲାରେ ଏହି ପ୍ରକ୍ରିୟା ଆରମ୍ଭ ହେବ ।ଚଳିତବର୍ଷ ସରକାରଙ୍କ ଘୋଷଣା ଅନୁଯାୟୀ ଚାଷୀଙ୍କୁ କ୍ୱିଣ୍ଟାଲ ଧାନ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯିବ। ଧାନ କିଣାକୁ ନେଇ ଗତକାଲି (ସୋମବାର) ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ବର୍ଦ୍ଧିତ ଏମ୍ଏସପି ସହ କ୍ବିଣ୍ଟାଲ ପିଛା ୮୦୦ ଟଙ୍କା ବୋନସରେ ଚାଷୀଙ୍କଠାରୁ ଧାନ କିଣିବେ।ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଧାନ କିଣାକୁ ନେଇ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ନଭେମ୍ବର ତୃତୀୟ ସପ୍ତାହରୁ ଆରମ୍ଭ ହେବ ଧାନ କିଣା ପକ୍ରିୟା। ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଖରିଫ ଧାନ କିଣା ପ୍ରକ୍ରିୟା। ଚାଷୀଙ୍କ ଠାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବେ।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହିତ ରାଜ୍ୟ ସରକାରଙ୍କ ତରଫରୁ ଇନପୁଟ ସହାୟତା ୮୦୦ ଟଙ୍କା ମିଶାଇ ଚଳିତବର୍ଷ ଧାନ କିଣା ଦର କ୍ୱିଣ୍ଟାଲ ପ୍ରତି ୩୧ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଧାନ କ୍ରୟ ପ୍ରକ୍ରିୟା ସୁବ୍ୟବସ୍ଥା ପାଇଁ ପକ୍ରିୟାକୁ ଶେଷ ହେବା ଯାଏ ମଣ୍ଡିରେ ରହିବେ ଅଧିକୃତ ଅଧିକାରୀ। ୪ରୁ ୫ ଟି ମଣ୍ଡିକୁ ନେଇ ଜଣେ ଲେଖାଏଁ ସୁପରଭଇଜର ରହିବେ। ମଣ୍ଡିରେ ରହିବ କ୍ୱାଲିଟି ଟେଷ୍ଟିଂ ମେସିନ।