November 4, 2025

ଏମିତି କରନ୍ତୁ ଡ୍ରେସ୍ ସଫା, ରହିବନି କିଛି ବି ଦାଗ

ଭୁବନେଶ୍ଵର: ସୁନ୍ଦର ଆଉ ସଫା ଡ୍ରେସ ପିନ୍ଧିବାକୁ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ବେଳେ ବେଳେ କିଛି ପୋଷାକରେ ହଳଦୀ ପରି ଅନେକ ଏପରି ଦାଗ ଲାଗେ ଯାହାକୁ ଛଡାଇବା ମୁସ୍କିଲ ହୋଇଯାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ପ୍ରାକୃତିକ ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ଡ୍ରେସରୁ ସହଜରେ ଦାଗ ଛଡାଇପାରିବେ । ଏହାଦ୍ଵାରା ଆପଣଙ୍କ କପଡା ଖରାପ ହେବାର ଭୟ ମଧ୍ୟ ରହିବନି ।

ପ୍ରାୟତଃ ଡ୍ରେସରେ ହଳଦୀ ଦାଗ ଲାଗିଲେ ତାକୁ ଛଡାଇବା କାଠିକର ପାଠ ହୋଇଯାଏ । ଲୋକେ କୁହନ୍ତି ହଳଦୀ ଦାଗ ସହଜରେ ଛାଡେ ନାହିଁ । ତେବେ ଯଦି ଆପଣଙ୍କ ଡ୍ରେସରେ ହଳଦୀ ଦାଗ ତାଜା ଅଛି ତାହାଲେ ଲେମ୍ବୁ ଆଉ ଲୁଣ ବ୍ୟବହାର କରି ଏହି ଦାଗ ଛଡାଇ ପାରିବେ । ଏଥିପାଇଁ ପ୍ରଥମେ ଦାଗ ଉପରେ ଲେମ୍ବୁ ଚିପୁଡି ଦିଅନ୍ତୁ । ତା ପରେ ସେଠାରେ ଲୁଣ ପକାଇ ଘଷି ଦିଅନ୍ତୁ । ଆଉ ୧୫ ମିନିଟ ପାଇଁ ଛାଡି ଦିଅନ୍ତୁ । ଏହା ପରେ ଡ୍ରେସକୁ ଧୋଇ ଶୁଖାଇ ଦିଅନ୍ତୁ । ଦେଖିବେ ଦାଗ ଛାଡି ଯାଇଥିବ । ଲେମ୍ବୁ ଆଉ ଲୁଣ ବ୍ୟବହାରରେ ଡ୍ରେସରୁ ଚା’ ଆଉ ଝାଳ ଦାଗ ବି ହଟାଇ ପାରିବେ । ଦାଗ ଲାଗିଥିବା ସ୍ଥାନରେ ପ୍ରଥମେ ଲୁଣ ପକାଇ ଏହାପରେ ଲେମ୍ବୁରେ ଘଷି ଦିଅନ୍ତୁ । ଏହାପରେ ଡ୍ରେସକୁ ଡିଟରଜେଣ୍ଟ ପାଉଡରରେ ଧୋଇ ଦିଅନ୍ତୁ । ଏହା କରିବା ଦ୍ବାରା ଦାଗ ସହଜରେ ଲିଭିଯାଏ ।

ତେବେ ଏମିତି କିଛି ଦାଗ ଥାଏ, କିଛି ବି କଲେ ତାହା ଛାଡେନି । ଏପରିସ୍ଥଳେ ବେକିଂ ସୋଡା ସାହାଯ୍ୟରେ ଆପଣ ଏହି ଦାଗକୁ ହଟାଇ ପାରିବେ । ପ୍ରଥମେ ବେକିଂ ସୋଡା ସହ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେହି ପେଷ୍ଟକୁ ଦାଗ ଲାଗିଥିବା ସ୍ଥାନରେ ଲଗାନ୍ତୁ । ଏହା ପରେ ୨୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ପେଷ୍ଟ ଶୁଖିଗଲା ପରେ । ହାତରେ ଘଷି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଦେଖିବେ ଦାଗ ଲିଭିଯାଇଥିବ । ସେହିପରି ହ୍ୟାଣ୍ଡ ସାନିଟାଇଜର କପଡାରେ ଲାଗିଥିବା ଦାଗ ହଟାଇବା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ବିଶେଷ କରି ଯଦି ଆପଣଙ୍କ କପଡାରେ ଇଙ୍କ୍, ରକ୍ତ, ହଳଦୀ ଭଳି ଯଦି ଦାଗ ଲାଗିଯାଏ ।

ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରି ଏସବୁ ଦାଗ ହଟାଇ ପାରିବେ । ପ୍ରଥମେ କପଡାରେ ହ୍ୟାଣ୍ଡ ସାନିଟାଇଜର ଲଗାଇ ୫ରୁ ୧୦ ମିନିଟ ଛାଡି ଦିଅନ୍ତୁ । ଏହା ପରେ ଏହାକୁ ଘଷନ୍ତୁ । ଏହା ପରେ ସାବୁନରେ କପଡାକୁ ସଫା କରିଦିଅନ୍ତୁ । ଦେଖିବେ କପଡାରୁ ଦାଗ ହଟିଯିବ । ଧଳା ଟୁଥପେଷ୍ଟ ମଧ୍ୟ ବ୍ୟବହାର କରି ମଧ୍ୟ କପଡାରୁ ଦାଗ ଛଡାଇ ପାରିବେ । ପେଷ୍ଟକୁ ଦାଗ ଲାଗିଥିବା ସ୍ଥାନରେ ଲଗାନ୍ତୁ । ଏହା ପରେ 15 ମିନିଟ ପର୍ଯ୍ୟନ୍ତ ଶୁଖିବାକୁ ଛାଡି ଦିଅନ୍ତୁ । ଏହା ପରେ ଓଦା କପଡାରେ ଏହାକୁ ପୋଛି ଦିଅନ୍ତୁ । ଟୁଥପେଷ୍ଟ କପଡାରେ ଲାଗିଥିବା ଦାଗକୁ ହାଲକା କରିଦିଏ । ଫଳରେ ସହଜରେ ଦାଗ ଛାଡିଯାଏ ।

ମହାପ୍ରଭୁଙ୍କ ଅନନ୍ୟ ଲୀଳା ଚନ୍ଦନ ଯାତ୍ରା, କଣ ରହିଛି ପୌରାଣିକ ମତ

ପୁରୀ: କୋଟି ଓଡ଼ିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଶ୍ରୀକ୍ଷେତ୍ରର ରତ୍ନବେଦୀରେ ବସି କରୁଛନ୍ତି ମାନବୀୟ ଲୀଳା । ମହାପ୍ରଭୁଙ୍କ ସମସ୍ତ ଜାନିଜାତ ମଧ୍ୟରୁ ଚନ୍ଦନ ଯାତ୍ରା ଅନ୍ୟତମ । ମଣିଷକୁ ଯେମିତି ଅଧିକ ଗରମ ଲାଗିଲେ ଜଳକ୍ରୀଡା କରି ଶରୀରକୁ ଥଣ୍ଡା ରଖିବାକୁ ଚେଷ୍ଟା କରେ ମହାପ୍ରଭୁ ବି ଠିକ୍‌ ସେମିତି ମଣିଷ ଭଳି ପ୍ରବଳ ଗ୍ରୀଷ୍ମ ପ୍ରବାହରେ ନିଜର ଶ୍ରୀଅଙ୍ଗକୁ ସୁରକ୍ଷା ଦେଇଥାନ୍ତି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରଭୁ ମଦନମୋହନ ଶ୍ରୀଦେବୀ, ଭୂଦେବୀଙ୍କ ସହ ନରେନ୍ଦ୍ର ସରୋବରକୁ ଯାଇ ଚାପ ଡଙ୍ଗାରେ ଜଳକ୍ରୀଡା ତଥା ନୌବିହାର କରି ପ୍ରବଳ ଗ୍ରୀଷ୍ମ ଦାଉରୁ ନିଜ ଶରୀରକୁ ସୁରକ୍ଷା ଦେଇଥାନ୍ତି । ଏଥିପାଇଁ ତ ଅନୁଷ୍ଠିତ ହୁଏ ଚନ୍ଦନ ଯାତ୍ରା ।

ଅକ୍ଷୟ ତୃତୀୟା ଠାରୁ 21 ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ପରେ ଶ୍ରୀମନ୍ଦିର ଭିତରେ 21 ଦିନ ତଥା ସ୍ନାନ ପୂର୍ଣ୍ଣିମା ପୂର୍ବ ଦିନ ଯାଏ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ବହୁ ପ୍ରାଚୀନ ପରମ୍ପରା । ଏହା ବିଭିନ୍ନ ଶାସ୍ତ୍ର ଓ ପୂରାଣରେ ଉଲ୍ଲେଖ ରହିଛି । ପ୍ରବଳ ଗ୍ରୀଷ୍ମ ଋତୁରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଶୀତଳିକରଣ କରିବା ପାଇଁ ଏହି ପରମ୍ପରା ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମାନେ ନରେନ୍ଦ୍ର ପୁଷ୍କରିଣୀକୁ ଗମନ କରନ୍ତି । ଏଥି ସହିତ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିବା ପଞ୍ଚୁ ପାଣ୍ଡବ ଜମ୍ବେଶ୍ଵର, ଲୋକନାଥ, କପାଳମୋଚନ, ମାର୍କଣ୍ଡେୟ, ନୀଳକଣ୍ଠ ଏମାନେ ମଣି ବିମାନ ଗମନ କରି ନରେନ୍ଦ୍ର ପୁଷ୍କରିଣୀରେ ପହଞ୍ଚି ଥାଆନ୍ତି ।

ନରେନ୍ଦ୍ର ସରୋବର ଦୁଇଟି ଚାପ ଡଙ୍ଗା ଯଥା ନନ୍ଦା, ଭଦ୍ରାରେ ଠାକୁର ମାନେ ବିରାଜ ମାନ କରି ନୌବିହାର କରିଥାନ୍ତି । ନନ୍ଦା ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରଭୁ ମଦନମୋହନଙ୍କ ସହ ଭୂଦେବୀ, ଶ୍ରୀଦେବୀ ବିରାଜମାନ କରିଥାନ୍ତି । ଭଦ୍ରା ଚାପରେ ପଞ୍ଚୁ ପାଣ୍ଡବ ବିରାଜ ମାନ କରି ନୌବିହାର କରିଥାନ୍ତି ନରେନ୍ଦ୍ର ପୁଷ୍କରିଣୀରେ । ବିଶ୍ବାସ ରହିଛି ଚନ୍ଦନ ଯାତ୍ରା ପରମ୍ପରା 600 ବର୍ଷ ତଳର । ଗଙ୍ଗବଂଶର ରାଜା ଭାନୁଦେବଙ୍କ ସମୟରୁ ଚନ୍ଦନ ଯାତ୍ରା ହେଉଥିବା ଗବେଷକ କୁହନ୍ତି । ନରେନ୍ଦ୍ର ପୁଷ୍କରିଣୀରେ ନୌବିହାର ଶେଷ ହେବା ପରେ ବିଳମ୍ବିତ ରତିରେ ମହାପ୍ରଭୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ପଞ୍ଚୁ ପାଣ୍ଡବ ମଧ୍ୟ ସ୍ୱସ୍ଥାନକୁ ଗମନ କରିଥାଆନ୍ତି । ଏହି ଭଳି ନରେନ୍ଦ୍ର ପୁଷ୍କରିଣୀରେ 21 ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଚନ୍ଦନ ଯାତ୍ରା ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଚନ୍ଦନଲାଗି, ଆଲଟ ଲାଗି ନୀତି ଅନୁଷ୍ଠିତ ହୋଇଥାଏ ।

ନରେନ୍ଦ୍ର ପୁଷ୍କରିଣୀରେ 21 ଦିନ ଚାପ ଅନୁଷ୍ଠିତ ହେବାପରେ ଶ୍ରୀମନ୍ଦିର ଭିତରେ ମଧ୍ୟ ଭିତର ଚନ୍ଦନ ଯାତ୍ରା ମହାପ୍ରଭୁଙ୍କ ସ୍ନାନଯାତ୍ରା ପୂର୍ବ ଦିନ ଯାଏ ଅନୁଷ୍ଠିତ ହୋଇଥାଏ । ନରେନ୍ଦ୍ର ପୁଷ୍କରିଣୀରେ ଥିବା ଚନ୍ଦନ କୁଣ୍ଡରେ ଠାକୁର ମାନେ ବୁଡି ରହିଥାନ୍ତି । ସେତେବେଳେ ମହାପ୍ରଭୁଙ୍କ ଠାରେ ଛେନାରୁ ପ୍ରସ୍ତୁତ ହୋଇଥିବା କେଳି, ମାଣ୍ଡୁଆ ଭୋଗ ହୋଇଥାଏ । ମହାପ୍ରଭୁଙ୍କୁ ତାମ୍ବୁଳ ସେବନ କରାଇଥାଆନ୍ତି ସେବକ ମାନେ । ଶାସ୍ତ୍ରରେ ଉଲ୍ଲେଖ ରହିଛି ଶ୍ରୀକ୍ଷେତ୍ରରେ ଅବସ୍ଥାନ କରିଥିବା ଜଗନ୍ନାଥ ମହାପ୍ରଭୁ ଦାରୁ ରୂପରେ ଅଧିଷ୍ଠିତ ହୋଇ ମାନବୀୟ ଲୀଳା କରୁଛନ୍ତି । ମନୁଷ୍ୟକୁ ଯେମିତି ଶୀତ ହେଲେ ଉଷ୍ମ ବସ୍ତ୍ର ପରିଧାନ କରିଥାଏ, ଗରମ ହେଲେ ଯେଭଳି ଦେହକୁ ଶୀତଳୀ କରଣ କରିଥାଉ ସେହିପରି ମହାପ୍ରଭୁ ମଧ୍ୟ ପ୍ରବଳ ଗ୍ରୀଷ୍ମ ଋତୁରେ ଅକ୍ଷୟ ତୃତୀୟ ଠାରୁ ମହାପ୍ରଭୁ ଶରୀରକୁ ଶୀତଳତା ପ୍ରଦାନ କରିବାକୁ ଏହି ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଯାତ୍ରା ମହାପ୍ରଭୁ ମନୁଷ୍ୟଙ୍କୁ ଉପଦେଶ ଦିଅନ୍ତି ବିଭିନ୍ନ ଋତୁ ଅନୁସାରେ ପ୍ରାକୃତିକ ଉପାୟରେ ଶରୀରକୁ ସୁରକ୍ଷା ଦିଆଯାଏ ।

ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ପହଞ୍ଚିବା ପରେ ଭିତରଚ୍ଛ ମହାପାତ୍ର ସେବକଙ୍କ ଦ୍ଵାରା ଆଳତି କରାଯାଏ । ପରେ ଚାପରେ ମହାପ୍ରଭୁ ବିଜେ କରନ୍ତି । ନରେନ୍ଦ୍ର ପୁଷ୍କରିଣୀରେ ଚାପ ଡଙ୍ଗା ଗୋଟିଏ ଘେରା ଅନୁଷ୍ଠିତ ହେବା ପରେ ଚଦନ କୁଣ୍ଡରେ ପ୍ରଭୁ ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ କ୍ରୀଡା କରିଥାନ୍ତି । ପଞ୍ଚୁ ପାଣ୍ଡବ ଚନ୍ଦନ ଗୃହରେ ଥିବା କୁଣ୍ଡରେ ବୁଡି ରହିଥାନ୍ତି । ଏହି ଭଳି ଭାବେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହେବା ପରେ ମହାପ୍ରଭୁଙ୍କ ଏକ ସ୍ବତନ୍ତ୍ର ନୀତି ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ହୋଇଥାଏ । ଜାତ ଭୋଗ ନୀତି ଅନୁଷ୍ଠିତ ହୋଇଥାଏ । ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମାନେ ବିମାନରେ ବିଜେ କରି ନରେନ୍ଦ୍ର ସରୋବର ଅଭିମୁଖେ ଗମନ କରିଥାଆନ୍ତି ।

ଓଡିଶାର ଏକ ନିଆରା ପରମ୍ପରା : ଅକ୍ଷୟ ତୃତୀୟା

ଭୁବନେଶ୍ଵର: ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥ୍ୟକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପାଳନ କରାଯାଏ। ଏହା ମୁଖ୍ୟତଃ ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ଓଡ଼ିଶାର ପୂରପଲ୍ଲୀରେ କୃଷକମାନେ ଏହାକୁ ବେଶ୍ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଥାନ୍ତି। ଏହିଦିନ କୃଷକମାନେ ଭଲ ତିଥ୍ ଓ ସମୟ ଯୋଗ ଦେଖ୍ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି। ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ଶୁଭଦାୟକ ହୋଇଥିବାରୁ, ପ୍ରାୟତଃ ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ,ଉପନୟନ ଆଦି ଶୁଭ କର୍ମମାନ ଅନୁଷ୍ଠିତ ହୁଏ। ପୌରାଣିକ ଦୃଷ୍ଟିକୋଣରୁ ଏ ଦିନର ମହତ୍ଵ ଯଥେଷ୍ଟ ଅଧିକ । ଏହି ଦିନକୁ ସତ୍ୟ ଯୁଗର ପ୍ରାରମ୍ଭ ଦିବସ ରୂପେ ଗ୍ରହଣ କରାଯାଇଛି। ଅକ୍ଷୟ ତୃତୀୟାରେ ଋଷି ବେଦବ୍ୟାସ ଓ ପ୍ରଭୁ ଗଣେଶ ମହାଭାରତ ଲେଖିବା ଆରମ୍ଭ କରିଥିଲେ । ଏହି ଦିନ ସୂର୍ଣ୍ଣ କ୍ରୟ କଲେ ଲକ୍ଷ୍ମୀ ଧନଧାନ୍ୟରେ ଗୃହ ପୂର୍ଣ୍ଣ କରିଦିଅନ୍ତି ବୋଲି ବିଶ୍ବାସ ରହିଛି।

ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜୟନ୍ତୀ ଭାବେ ଏହି ଦିନକୁ ପାଳନ କରାଯାଏ। ଗୀତଗୋବିନ୍ଦର ରଚୟିତା କବି ଜୟଦେବ ଅକ୍ଷୟ ତୃତୀୟା ଦିନ ଜନ୍ମଗ୍ରହଣ କରିଥିଲେ ବୋଲି କୁହାଯାଏ। ବଦ୍ରି-ନାରାୟଣ କବାଟ ଏହି ଦିନ ଖୋଲିଥାଏ । ମା’ ଗଙ୍ଗା ମଧ୍ୟ ଏହି ଦିନ ମର୍ତ୍ତ୍ୟରେ ଅବତରଣ କରିଥିଲେ ବୋଲି ମଧ୍ୟ କିମ୍ବଦନ୍ତୀ କୁହେ। ଶଙ୍ଖ ଓ ହୁଳହୁଳି ଧ୍ବନି ମଧ୍ୟରେ ଚାଷୀମାନେ ହଳଦୀ, ଚନ୍ଦନ ଓ ସିନ୍ଦୂର ବୋଳା ଧାନ ବିହନ ପୂର୍ଣ୍ଣ ନୂଆ ଗଉଣି ଏବଂ ଅମ ଏକ ନୂଆ ଟୋକେଇରେ ପିଠାପଣାକୁ ମୁଣ୍ଡରେ ଥୋଇ, ହଳଲଙ୍ଗଳ ଧରି କ୍ଷେତକୁ ଯାଇଥାନ୍ତି। ସେଠାରେ ମା’ ଲକ୍ଷ୍ମୀଙ୍କୁ ଭୋଗ ଲଗାଯାଏ। ଏହାପରେ ସେହି ଭୋଗକୁ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଯାଇ ଓ ମୁଠାମୁଠା ବିହନ କିଆରୀରେ ବୁଣାଯାଏ, ଯାହାକୁ ଅକ୍ଷିମୁଠି ବୋଲି କୁହାଯାଏ ।

ସଧବା ସ୍ତ୍ରୀମାନେ ଏହିଦିନ ‘ଷଠିଦେବୀଙ୍କ ପୂଜା କରିଥାନ୍ତି ଏହି ତିଥ୍‌ରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ ବିଧୂ ଅନୁସାରେ, ତିନିଖଣ୍ଡି ଧଉରା କାଠରେ ମନ୍ତ୍ରରେ ପୂଜିତ କୁରାଢି ଲଗା ବନଜାଗ ହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନ ଠାକୁର ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଶ୍ରୋତ୍ରୀୟ ବ୍ରାହ୍ମଣମାନେ ବନଜାଗ ପୂଜା ସମ୍ପାଦନା କରିଥାନ୍ତି। ରୂପକାର, କମାଳ ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢ଼ିବନ୍ଧା ନ ପାଳିତ ହୁଏ ।

ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥ ନିର୍ମାଣ କରାଯାଏ ।ଏହିଦିନ ଜଳଦାନ କଲେ ଅଶେଷ ପୁଣ୍ୟଫଳ ମିଳେ। ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ୨୧ ଦିନିଆ ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ଅତ୍ୟନ୍ତ ଶୁଭ ଦିନ ହୋଇଥାଏ। ଏହି ଦିନ ଦେବୀ ଉପାସନା କରିବା ଉଚିତ୍। ଅକ୍ଷୟ ତୃତୀୟା କୃଷକ ସମାଜ ପାଇଁ ଏକ ମହାନ ପର୍ବ । ଏହି ପବିତ୍ର ଦିନକୁ ରାଜ୍ୟ ସରକାର ‘କୃଷକ ଦିବସ’ ଭାବେ ଘୋଷଣା କରିଛନ୍ତି । କୃଷି ଓ କୃଷକଙ୍କୁ ଉପଯୁକ୍ତ ସମ୍ମାନ ଦେବା ତଥା ସମସ୍ତ ଚାଷୀ ଭାଇମାନଙ୍କୁ ଉତ୍ସାହିତ କରିବା ହେଉଛି ‘କୃଷକ ଦିବସ’ ପାଳନର ମୂଳ ଉଦେଶ୍ୟ।

ମେ’ ୧ରୁ ବଦଳିବ ଏହି ନିୟମ, ଜାଣନ୍ତୁ…

ନୂଆଦିଲ୍ଲୀ: ନୂଆ ମାସ ଆରମ୍ଭ ହେବା ମାତ୍ରେ କିଛି ନିୟମ ପରିବର୍ତ୍ତନ ହୁଏ। ଯେତେବେଳେ, ପେଟ୍ରୋଲ, ସିଏନଜି, ଏଲପିଜି ଗ୍ୟାସ୍ ଇତ୍ୟାଦିର ମୂଲ୍ୟ ସଂଶୋଧିତ ହୁଏ। ମେ ମାସରେ ମଧ୍ୟ ଅନେକ ପରିବର୍ତ୍ତନ ଘଟିପାରେ ଏବଂ ଏହା ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରିପାରେ। ଗ୍ୟାସ ସିଲିଣ୍ଡର ଠାରୁ ଆରମ୍ଭ କରି ସ୍ଥାୟୀ ଜମା ପର୍ଯ୍ୟନ୍ତ ବ୍ୟାଙ୍କ ସେବା ସହିତ ଜଡିତ ପରିବର୍ତ୍ତନ ହୋଇପାରେ। ଆସନ୍ତୁ ଜାଣିବା ମେ ମାସରେ କଣ ପରିବର୍ତ୍ତନ ହେବ ଏବଂ ସାଧାରଣ ଲୋକଙ୍କ ପକେଟ ଉପରେ ଏହାର କେତେ ପ୍ରଭାବ ପଡ଼ିପାରେ?

ଏଟିଏମ ଟ୍ରାଞ୍ଜାକସନ୍ ଶୁଳ୍କରେ ବୃଦ୍ଧି

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଏବଂ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଅନୁସାରେ, ୧ ମଇ ୨୦୨୫ରୁ ଏଟିଏମରୁ ନଗଦ ଉଠାଣ ପାଇଁ ମାଗଣା ଟ୍ରାନଜାକସନର ସୀମା ପରେ ଅଧିକ ଶୁଳ୍କ ଦେବାକୁ ପଡ଼ିବ। ବର୍ତ୍ତମାନ ମେଟ୍ରୋ ସହରରେ ନିଜ ବ୍ୟାଙ୍କର ଏଟିଏମରୁ ୫ଟି ଏବଂ ଅନ୍ୟ ବ୍ୟାଙ୍କର ଏଟିଏମରୁ ୩ଟି ମାଗଣା ଟ୍ରାନଜାକସନ ଏବଂ ଅଣ-ମେଟ୍ରୋ ଅଞ୍ଚଳରେ ୫ଟି ମାଗଣା ଟ୍ରାନଜାକସନ ମିଳୁଛି। ଏହି ସୀମା ପରେ ପ୍ରତି ଟ୍ରାନଜାକସନ ପାଇଁ ୨୧ ଟଙ୍କା ଶୁଳ୍କ ଲାଗୁ ହେଉଥିବା ବେଳେ, ଏବେ ଏହା ୨୩ ଟଙ୍କାକୁ ବୃଦ୍ଧି ପାଇବ। ଏକ୍ସରେ ଥିବା କେତେକ ପୋଷ୍ଟ ଅନୁସାରେ, ମାଗଣା ସୀମା ସମ୍ପୂର୍ଣ୍ଣ ଉଠାଇ ଦିଆଯାଇ ପ୍ରତ୍ୟେକ ଟ୍ରାନଜାକସନ ପାଇଁ ୧୯ ଟଙ୍କା ଶୁଳ୍କ ଲାଗୁ ହୋଇପାରେ। ବାଲାନ୍ସ ଯାଞ୍ଚ ପାଇଁ ମଧ୍ୟ ୬ ଟଙ୍କା ବଦଳରେ ୭ ଟଙ୍କା ଶୁଳ୍କ ଲାଗିବ। ଏହି ଶୁଳ୍କ ବୃଦ୍ଧିର କାରଣ ହେଉଛି ଏଟିଏମ ରକ୍ଷଣାବେକ୍ଷଣ ଓ ସୁରକ୍ଷା ଖର୍ଚ୍ଚରେ ବୃଦ୍ଧି।

LPG ଗ୍ୟାସ ସିଲିଣ୍ଡର ଦର

ପ୍ରତି ମାସ ଆରମ୍ଭ ପୂର୍ବରୁ ତୈଳ କମ୍ପାନୀଗୁଡ଼ିକ ଦ୍ୱାରା ଏଲପିଜି ଗ୍ୟାସର ମୂଲ୍ୟ ସଂଶୋଧନ କରାଯାଏ। ଏପରି ପରିସ୍ଥିତିରେ, ଘରୋଇ ଗ୍ୟାସ ଏବଂ ବାଣିଜ୍ୟିକ ଗ୍ୟାସର ଦର ମଧ୍ୟ ସଂଶୋଧନ କରାଯାଏ ଏବଂ ଏହା ପରେ, ମାସର ପ୍ରଥମ ତାରିଖରେ ଗ୍ୟାସର ମୂଲ୍ୟରେ ବୃଦ୍ଧି କିମ୍ବା ହ୍ରାସ ଦେଖାଯାଏ। ତଥାପି, ପ୍ରତ୍ୟେକ ଥର ହାର ଅଧିକ କିମ୍ବା କମ୍ ହେବା ଜରୁରୀ ନୁହେଁ। ଏପ୍ରିଲରେ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା।

ଭାରତୀୟ ରେଳବାଇରେ ପରିବର୍ତ୍ତନ

ଭାରତୀୟ ରେଳବାଇ ଟିକେଟ ବୁକିଂ ସମ୍ବନ୍ଧୀୟ ପରିବର୍ତ୍ତନ ହୋଇପାରେ। ମେ ମାସରୁ ରେଳ ଯାତ୍ରୀଙ୍କ ପାଇଁ ଟିକେଟ୍ ସମ୍ବନ୍ଧୀୟ ପରିବର୍ତ୍ତନ ହେବ। ୱେଟିଂ ଟିକେଟ୍ ଥିବା ଯାତ୍ରୀମାନେ ସ୍ଲିପର୍ ଏବଂ ଏସି କୋଚ୍‌ରେ ଯାତ୍ରା କରିପାରିବେ ନାହିଁ।

ଏଫଡି ଏବଂ ସଞ୍ଚୟ ଖାତାରେ ପରିବର୍ତ୍ତନ

ଯଦି ଆପଣଙ୍କର ଏଫଡି କିମ୍ବା ସେଭିଂ ବ୍ୟାଙ୍କ ଆକାଉଣ୍ଟ ଅଛି, ତେବେ ଜାଣିରଖନ୍ତୁ ଯେ ୧ ମେ ଠାରୁ ଋଣ ସମ୍ବନ୍ଧୀୟ ପରିବର୍ତ୍ତନ ହୋଇପାରେ। ପ୍ରକୃତରେ, ଆରବିଆଇ ଦ୍ୱାରା ରେପୋ ହାର ଲଗାତାର ଦୁଇଥର ହ୍ରାସ କରାଯାଇଛି। ଏପରି ପରିସ୍ଥିତିରେ, FD କିମ୍ବା ସଞ୍ଚୟ ଆକାଉଣ୍ଟରୁ ନିଆଯାଇଥିବା ଋଣର ସୁଧ ହାର ପ୍ରଭାବିତ ହୋଇପାରେ। ଅନେକ ବ୍ୟାଙ୍କ ଦ୍ୱାରା ଋଣ ସୁଧ ହାର ପରିବର୍ତ୍ତନ କରାଯାଇଛି।

ଗ୍ରାମୀଣ ବ୍ୟାଙ୍କଗୁଡ଼ିକରେ ମଧ୍ୟ ପରିବର୍ତ୍ତନ

ଗ୍ରାମୀଣ ବ୍ୟାଙ୍କଗୁଡ଼ିକରେ ପରିବର୍ତ୍ତନ ଦେଖାଯାଇପାରେ। RBI ରାଜ୍ୟର ସମସ୍ତ ସ୍ଥାନୀୟ ବ୍ୟାଙ୍କକୁ ଏକାଠି ମିଶ୍ରଣ କରି ଏକ ବଡ଼ ବ୍ୟାଙ୍କ ଗଠନ କରିବ। ବିଭିନ୍ନ ଗ୍ରାମୀଣ ବ୍ୟାଙ୍କକୁ ଗୋଟିଏ ବଡ଼ ବ୍ୟାଙ୍କରେ ପରିଣତ କରିବାର ଯୋଜନା ରହିଛି। ଦେଶର ୧୧ଟି ରାଜ୍ୟରେ ଗ୍ରାମୀଣ ବ୍ୟାଙ୍କକୁ ଏକ ବଡ଼ ବ୍ୟାଙ୍କ କରାଯିବ।

ପାକିସ୍ତାନକୁ କଡା ଯବାବ୍ ଦେବ ଭାରତ, ଆରମ୍ଭ ହେଲା କାଉଣ୍ଟଡାଉନ୍

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଭାରତର ହମଲା ନେଇ କାଉଣ୍ଟଡାଉନ୍ ଆରମ୍ଭ । ପହଲଗାମ ଆତଙ୍କବାଦୀ ହମଲାର କଡ଼ା ଜବାବ ଦେବାକୁ ସେନାକୁ ପୂର୍ଣ୍ଣ କ୍ଷମତା ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେପଟେ ଭାରତର ଏହି ବଡ଼ ଯୋଜନା ପରେ ପାକିସ୍ତାନର ନିଦ ହଜିଯାଇଛି । ଭୟରେ ଥରୁଛି ପାକିସ୍ତାନ । ଶୋଇପାରୁନାହାନ୍ତି ପାକିସ୍ତାନର ମନ୍ତ୍ରୀ । ବିଳମ୍ବିତ ରାତିରେ ପାକିସ୍ତାନ ସୂଚନା ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତରାର ରାତି ପାଖାପାଖି ସାଢେ ୧ଟା ବେଳେ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

ଏଥିରେ ସେ କହିଛନ୍ତି ଭାରତୀୟ ସେନା ୨୪ରୁ ୩୬ ଘଣ୍ଟା ମଧ୍ୟରେ ଆକ୍ରମଣ କରିପାରେ । ବିଶ୍ବସନୀୟ ଗୁଇନ୍ଦା ସୂତ୍ରରୁ ତାଙ୍କୁ ସୂଚନା ମିଳିଥିବା ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଆତଙ୍କବାଦୀଙ୍କ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ମୋଦୀ ସ୍ବାଧୀନତା ଦେବା ପରେ ପାକିସ୍ତାନରେ ଭୟ ବଢ଼ି ଯାଇଛି । ପହଲଗାମ ଆକ୍ରମଣରେ ପ୍ରତିଶୋଧ ପାଇଁ ବ୍ଲୁ ପିଣ୍ଟ ପ୍ରସ୍ତୁତ କରିଛନ୍ତି ସରକାର। ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।  ଆକ୍ରମଣ ପାଇଁ ସମୟ, ଟାର୍ଗେଟ, ଶୈଳୀ ସ୍ଥିର କରିବାକୁ ନିର୍ଦ୍ଦେଶ ରହିଛି । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ, ଏନଏସଏ, ସିଡିଏସ ଓ ତିନି ସେନାମୁଖ୍ୟଙ୍କ ସହ ମୋଦୀ ଓ ଶାହାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହା ସହ ଆକ୍ରମଣରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି  ।  ଜାମ୍ମୁ-କାଶ୍ମୀରରେ ସୁରକ୍ଷା ଏଜେନ୍ସିଗୁଡିକୁ ହାଇଆଲର୍ଟରେ ରଖାଯାଇଛି  । ଏହା ସହ ଅମରନାଥ ଯାତ୍ରା ଓ ଅନ୍ୟ ନାଗରିକଙ୍କ ସୁରକ୍ଷାରେ କୌଣସି ତ୍ରୁଟି ଦେଖାନଯାଏ ସେ ଉପରେ ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପହଲଗାମ ଆକ୍ରମଣ ପରେ ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ ଜାରି ରହିଛି  । ଆତଙ୍କବାଦୀଙ୍କୁ ଖୋଜାଯାଉଛି । ଭାରତ ମଧ୍ୟ ପାକିସ୍ତାନ ବିରୋଧରେ ଅନେକ ପ୍ରତିବନ୍ଧକ ଲଗାଇଛି । ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ ।

ସେପଟେ ଭାରତର କାର୍ଯ୍ୟାନୁଷ୍ଠାନ ପରେ ବଢିଲା ପାକିସ୍ତାନରେ ହଲଚଲ। ଏଲଓସିରେ ପାକିସ୍ତାନୀ ସେନା । ଉରି ସେକ୍ଟରରେ ପାକ୍ ସେନାର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି ।  ଗତ ୬ ଦିନ ହେଲା ସୀମାରେ ପାକ ସେନା ଅସ୍ତ୍ରବିରତି ଉଲଙ୍ଘନ କରିଆସୁଛି ।  ରାତିରେ ପାକିସ୍ତାନ ପୋଷ୍ଟ ପକ୍ଷରୁ ଗୁଳିମାଡ କରାଯାଉଥିବା ବେଳେ ଭାରତ ପକ୍ଷରୁ କଡା ଯବାବ ମଧ୍ୟ ଦିଆଯାଉଛି । ଭାରତର ଆକ୍ରମଣ ଭୟରେ ପାକିସ୍ତାନ ସୀମାରେ ସୈନ୍ୟ ମୁତୟନ କରୁଥିବା କୁହାଯାଉଛି ।

କେଉଁ ଦିନରେ ପିନ୍ଧିବେ କେଉଁ ରଙ୍ଗର ବସ୍ତ୍ର, ଜାଣନ୍ତୁ କଣ କହୁଛି ଶାସ୍ତ୍ର

ଭୁବନେଶ୍ଵର: ପ୍ରତିଦିନ ମଣିଷ ବିଭିନ୍ନ ରଙ୍ଗର ପୋଷାକ ପରିଧାନ କରିଥାଏ । ହେଲେ ଆପଣ ଜାଣନ୍ତି କି ଏହି କପଡା ରଙ୍ଗର ପ୍ରଭାବ ଜୀବନ ଉପରେ ପଡିଥାଏ । ରାଶି ଫଳରେ ଆପଣ ଦେଖୁଥିବେ କେଉଁ ରାଶି ପାଇଁ କେଉଁ ରଙ୍ଗ ଶୁଭ । ହେଲେ କେତେକ ଲୋକେ ଏହି ରଙ୍ଗ ବିଷୟରେ କିଛି ଜାଣି ନଥିବେ ଓ ନିଜ ମନ ମୁତାବକ ଭିନ୍ନ ରଙ୍ଗର କପଡା ପରିଧାନ କରିଥାନ୍ତି । ତେବେ ଜ୍ୟେତିଷ ଶାସ୍ତ୍ର ଅନୁସାରେ କେଉଁ ରଙ୍ଗ କେଉଁ ଦିନରେ ପରିଧାନ କଲେ ଆପଣଙ୍କୁ ଶୁଭ ଫଳ ମିଳିବ ତାହା ଜାଣି ରଖନ୍ତୁ ।

ରବିବାର

ରବିବାର ଦିନ ହେଉଛି ଭଗବାନ ସୂର୍ଯ୍ୟଙ୍କ ଦିନ । ଏହି ଦିନ ଆପଣ ଗୋଲାପି, ହାଲକା ନାଲି, ହଳଦିଆ ବା ହାଲକା କମଳା ରଙ୍ଗର ପୋଷାକ ପରିଧାନ କରିପାରିବେ । ଯଦି ଆପଣ ଗାଢ କମାଳା ରଙ୍ଗର ସାର୍ଟ ପିନ୍ଧୁଛନ୍ତି ତେବେ ଆପଣଙ୍କର ଏହା କ୍ଷତି କରିପାରେ ।

ସୋମବାର

ଭଗବାନ ଶିବଙ୍କ ବାର ହେଉଛି ସୋମବାର । ଏହିଦିନ ଚନ୍ଦ୍ରମାଙ୍କୁ ମଧ୍ୟ ପୂଜା କରାଯାଇଥାଏ । ତେଣୁ ଆପଣ ହାଲକା ନୀଳ ନଚେତ ଧଳାରଙ୍ଗର ସାର୍ଟ ପରିଧାନ କରିପାରିବେ ।

ମଙ୍ଗଳବାର

ହିନ୍ଦୁ ମାନଙ୍କ ନିୟମ ଅନୁସାରେ ମଙ୍ଗଳବାର ଦିନରେ ହନୁମାନଙ୍କ ପୂଜା ହୋଇଥାଏ । ତେବେ ମଙ୍ଗଳ ଗ୍ରହକୁ ସବୁଗ୍ରହ ମାନଙ୍କ ମଧ୍ୟରୁ ସେନାପତି କୁହାଯାଏ । ତେଣୁ ଏହି ଦିନରେ ନାଲି ଏବଂ ଗାଢ କମଳା ରଙ୍ଗ ପିନ୍ଧିବା ଆପଣଙ୍କ ପାଇଁ ଶୁଭ ।

ବୁଧବାର

ବୁଧ ଗ୍ରହ ଚାଳିବାକୁ ପାଠପଢିବା, ବୁଦ୍ଧି, ଓ ପରୀକ୍ଷାର କାରକ ବୋଲି କୁହାଯାଇଥାଏ । ଏହି ଦିନ ଆପଣ ସବୁଜ ରଙ୍ଗର ସାର୍ଟ ପିନ୍ଧିବା ଉଚିତ ।

ଗୁରୁବାର

ଏହିଦିନ ଗୁରୁ ବା ବୃହସ୍ପତିଙ୍କ ବାର ଅଟେ । କୁଣ୍ଡଳୀରେ ଯଦି ଗୁରୁ ଗ୍ରହ ମଜବୁତ ଅଛନ୍ତି ତେବେ ଅନ୍ୟ ଦୋଷର ଅଧିକ ପ୍ରଭାବ ରହି ନଥାଏ । ଗୁରୁଗ୍ରହକୁ ପ୍ରସନ୍ନ କରିବା ପାଇଁ ଆପଣ ହଳଦିଆ ରଙ୍ଗ ବସ୍ତ୍ର ପରିଧାନ କରନ୍ତୁ ।

ଶୁକ୍ରବାର

ଶୁକ୍ର ଆକର୍ଷଣ ଏବଂ ଶୁଖ ବିଳାସପୂର୍ଣ୍ଣର ପ୍ରତୀକ ଅଟନ୍ତି । ସେଥିପାଇଁ ଆପଣ କ୍ରିମ, ଧଳା ବା ଗୋଲାପି ରଙ୍ଗ ପିନ୍ଧିବା ଆବଶ୍ୟକ ।

ଶନିବାର

ଶନିବାର ଦିନ ଭଗବାନ ଶନିଙ୍କୁ ପୂଜା କରାଯାଇଥାଏ । ସେ ହେଉଛନ୍ତି ନ୍ୟାୟ ଦେବତା । ଶନି ଦେବଙ୍କ କୃପା ଯାହାକୁ ମିଳିଥାଏ ତା ଜୀବନରେ ଦୁଃଖ ଦୂର ହୋଇଯାଇଥାଏ । ତେବେ ଶନି ଦେବଙ୍କ କୃପା ପାଇବା ପାଇଁ ନୀଳ ନଚେତ କଳା ରଙ୍ଗ ପିନ୍ଧନ୍ତୁ । ଆପଣଙ୍କୁ ଏହା ଶୁଭ ଫଳ ପ୍ରଦାନ କରିବ ।

ବଳକା ଭାତରେ ବନାନ୍ତୁ ଏହି ସ୍ଵାଦିଷ୍ଟ ପରଟା…

ଭୁବନେଶ୍ଵର: ଖାଦ୍ୟ ପ୍ରସ୍ତୁତି କରିବା ପରେ ଅନେକ ସମୟରେ ବଳକା ଭାତ ରହିଯାଏ। କିଛି ଲୋକେ ଏହାକୁ ଫ୍ରାଏ କରି କିମ୍ବା ଅନ୍ୟ ଉପାୟରେ ଖାଇଥାଆନ୍ତି। ସେଭଳି କିଛି ଲୋକେ ଏହାକୁ ଫିଙ୍ଗି ଦେଇଥାଆନ୍ତି। ତେବେ ବଳକା ଭାତ ଥିଲେ ,ଏହାକୁ ଫିଙ୍ଗନ୍ତୁ ନାହିଁ। ବରଂ ସନ୍ଧ୍ୟା ସମୟରେ ଏଥିରୁ ସ୍ୱାଦିଷ୍ଟ ପରଟା ତିଆରି କରନ୍ତୁ। ଏହା କେବଳ ଖାଇବାକୁ ସ୍ୱାଦିଷ୍ଟ ନୁହେଁ ବରଂ ପ୍ରସ୍ତୁତ କରିବା ମଧ୍ୟ ସହଜ। ତେବେ ଜାଣନ୍ତୁ ଚାଉଳରୁ କିଭଳି ପରଟା ପ୍ରସ୍ତୁତ କରିବେ..

ଆବଶ୍ୟକ ସାମଗ୍ରୀ

ଏକ କପ ଭାତ, ଏକ ଚାମଚ ତେଲ, ଏକ ଚାମଚ ଜିରା, ପିଆଜ କଟା – ୧ଟା, ଏକ ଚାମଚ ଅଦାରସୁଣ ବଟା, ୧ ଚାମଚ ଲଙ୍କା ଗୁଣ୍ଡ, କଞ୍ଚାଲଙ୍କା, ପୁଦିନା ପତ୍ର – ଅଳ୍ପ, ଧନିଆ ପତ୍ର – ଅଳ୍ପ, ଲୁଣ – ସ୍ୱାଦ ଅନୁସାରେ, ଅଟା – ଆବଶ୍ୟକ ପରିମାଣରେ, ଦେଶୀ ଘିଅ – ଏକ ଚାମଚ ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଅଟାରେ ସାମାନ୍ୟ ଲୁଣ ଓ ପାଣି ଦେଇ ଚକଟା ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ଏଥିରେ ଜିରା ପକାଇବା ପରେ ପିଆଜ, ଅଦାରସୁଣ ବଟା ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏଥିରେ କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ଲୁଣ ପକାନ୍ତୁ। ଏବେ ଏଥିରେ ବଳକା ଭାତକୁ ପକାଇ ଗୋଳାଇ ଦିଅନ୍ତୁ। ଚଟଣି ଭଳି କରନ୍ତୁ। ଏହାକୁ ଏକ ପାତ୍ରରେ ରଖନ୍ତୁ। ଏବେ ଅଟାରୁ ଗୁଳା ପ୍ରସ୍ତୁତ କରି ଭାତ ପୁରକୁ ଅଟା ମଧ୍ୟରେ ଦେଇ ପରଟା ବେଲି ଦିଅନ୍ତୁ। ଏହାକୁ ତାୱାରେ ପକାଇ ଉଭୟ ପଟକୁ ଘିଅ ପକାଇ ଭଲ ଭାବେ ସେକି ଦିଅନ୍ତୁ। ଏହି ଗରମାଗରମ ପରଟାକୁ ଦହି ସହ ଖାଆନ୍ତୁ।

ଚାଷୀଙ୍କ ପାଇଁ ଖୁସିଖବର, ଅକ୍ଷୟ ତୃତୀୟାରେ ମିଳିବ ଟଙ୍କା

ଭୁବନେଶ୍ଵର: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି ହେଉଛି ଅକ୍ଷୟ ତୃତୀୟା। ଏହି ଅବସରରେ ୫୪ ଲକ୍ଷ ଚାଷୀଙ୍କୁ ମିଳିବ ସିଏମ କିଷାନ ଟଙ୍କା। ନାମମାତ୍ର, କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କୁ ସିଏମ କିଷାନ ଟଙ୍କା ମିଳିବ। ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯିବ। ରାଜ୍ୟର ପ୍ରାୟ ୫୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ପଠାଇବେ ସରକାର। ସିଏମ କିଷାନ୍ ଯୋଜନାରେ ବର୍ଷକୁ ୨ ଟି କିସ୍ତିରେ ଚାଷୀଙ୍କୁ ମିଳୁଛି ୪ ହଜାର ଟଙ୍କା ।

ସେହିପରି ପିଏମ କିସନ ଯୋଜନାରେ ବର୍ଷକୁ ୩ ଟି କିସ୍ତିରେ ମିଳୁଛି ୬ ହଜାର ଟଙ୍କା । ଗତ ବର୍ଷ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଙ୍ଗାଧର ମେହେର କଲେଜର ଅଡିଟୋରିଅମରେ ରାଜ୍ୟରେ  ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିଥିଲେ। ସମ୍ବଲପୁରରୁ ଏହି ଟଙ୍କା  ୪୬ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଥିଲେ । ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ୪ ହଜାର ଦେବେ ମୋହନ ସରକାର । ସିଏମ କିଷାନ ଯୋଜନାରେ ହସ୍ତାନ୍ତର ହେଉଥିବା ଏହି ସହାୟତା ରାଶି ଚାଷୀ ମାନଙ୍କୁ ଅତ୍ୟାବଶ୍ୟକୀୟ କୃଷି ସମାଗ୍ରୀ ଯଥା – ବିହନ, ସାର, କୀଟନାଶକ ଇତ୍ୟାଦି ଆବଶ୍ୟକତା ଅନୁଯାୟୀ କିଣିବାରେ ନିଶ୍ଚିତ ରୂପେ ସହାୟତା କରିବ।

ରବି ଋତୁରେ ୯୨୫ କୋଟିରୁ ଅଧିକ ଟଙ୍କା ବିନିଯୋଗ ମାଧ୍ୟମରେ ରାଜ୍ୟର ୪୫,୫୭,୭୩୩ ଜଣ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏବଂ ୩୯,୩୦୩ ଭୂମିହୀନ କୃଷି ପରିବାର ଏହା ମାଧ୍ୟମରେ ଉପକୃତ ହେବେ। ଏହାସହ ଭୂମିହୀନ ଚାଷୀଙ୍କୁ ୧୨ ହଜାର ୫୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ । ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ । ଫଳରେ ଚାଷୀମାନେ ଅତ୍ୟାଧୁନିକ ଯନ୍ତ୍ରପାତି କିଣିବା ସହ ବିହନ, ସାର ଆଦି ସୁବିଧାରେ କିଣିପାରିବେ ।

ଏପରି ନଦୀ, ଯାହାର ପାଣି ଛୁଇଁବାକୁ ଡରନ୍ତି ଲୋକ

ଭୁବନେଶ୍ଵର: ନଦୀଗୁଡ଼ିକ ସାରା ବିଶ୍ୱରେ ଜୀବନ ପ୍ରଦାନକାରୀ ମାନ୍ୟତା ପାଇଛି। ଇତିହାସରେ ମଧ୍ୟ ତାହା ହିଁ ବର୍ଣ୍ଣିତ ରହିଛି। ନଦୀ କୂଳରେ ହିଁ ଅଧିକାଂଶ ସଭ୍ୟତା ଗଢି ଉଠିଥିଲା । ପ୍ରଚୀନ ଯୁଗରେ ଲୋକମାନେ ନଦୀ କୂଳରେ ବସବାସ କରୁଥିଲେ। ଭାରତୀୟ ସଂସ୍କୃତିରେ ନଦୀଗୁଡିକୁ ମା’ ପରି ବିବେଚନା କରାଯାଏ। ଏହା ବ୍ୟତୀତ ନଦୀଗୁଡିକୁ ମଧ୍ୟ ଦେବୀ-ଦେବତା ପରି ମଧ୍ୟ ପୂଜା କରାଯାଏ। ସମସ୍ତ ପ୍ରକାରର ଶିଳ୍ପ ଏବଂ କୃଷି ସମ୍ବନ୍ଧୀୟ କାର୍ୟ୍ୟରେ ନଦୀ ଜଳରେ ହିଁ କରାଯାଏ। ନଦୀ ବିନା ମାନବ ସଭ୍ୟତା କଳ୍ପନା କରିବା ମଧ୍ୟ କଷ୍ଟକର। ଭାରତରେ ଅଧିକାଂଶ ନଦୀ ପୂଜା କରାଯାଉଥିବାବେଳେ ଏପରି କିଛି ନଦୀ ଅଛି ଯାହାର ଜଳ ଛୁଇଁବାକୁ ଲୋକମାନେ ଭୟ କରନ୍ତି। ଭାରତରେ ଏମିତି ନଦୀ ଅଛି ଯାହାକୁ ଅଭିଶପ୍ତ କୁହାଯାଏ। ଏହି ନଦୀ ବିଷୟରେ ଲୋକଙ୍କ ମନରେ ଏତେ ଭୟ ଅଛି ଯେ ସେମାନେ ଏହି ନଦୀର ଜଳକୁ ମଧ୍ୟ ସ୍ପର୍ଶ କରନ୍ତି ନାହିଁ। ଆସନ୍ତୁ ଜାଣିବା ଏହାର ରହସ୍ୟ…

ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ନଦୀ ହେଉଛି ଅଭିଶପ୍ତ। ଏହି ନଦୀର ନାଁ ହେଉଛି କର୍ମନାଶ। ଉତ୍ତରପ୍ରଦେଶରେ କର୍ମନାଶ ନାମକ ଏକ ନଦୀ ପ୍ରବାହିତ ହୁଏ, ଯାହାର ଜଳ ସାଧାରଣ ଲୋକଙ୍କ ଦ୍ୱାରା ବ୍ୟବହୃତ ହୁଏ ନାହିଁ। ଏହି ନଦୀ ଅଭିଶାପ୍ତ ବୋଲି ବିଶ୍ୱାସ କରାଯାଏ। ଯଦି କେହି ଏହାର ଜଳ ବ୍ୟବହାର କରନ୍ତି, ତା’ହେଲେ ତାଙ୍କର ସମସ୍ତ କାର୍ଯ୍ୟ ନଷ୍ଟ ହେବାକୁ ଲାଗେ। ଦୁର୍ଭାଗ୍ୟ ମାଡି ଆସେ। ଯେଉଁଥିପାଇଁ ଆଜି ମଧ୍ୟ ଅନେକ ଲୋକ କର୍ମନାଶ ନଦୀର ଜଳ ବ୍ୟବହାର କରନ୍ତି ନାହିଁ। କର୍ମ ଏବଂ ନାସ ଦୁଇଟି କଠୋର ଶବ୍ଦରେ ଗଠିତ କର୍ମନାଶ। ଏହାର ଆକ୍ଷରିକ ଅର୍ଥ ହେଉଛି ସବୁ ଶେଷ ହେବା ବା ଭଲ କାର୍ଯ୍ୟ ମଧ୍ୟ ନଷ୍ଟ ହେବା। ସୋନଭଦ୍ର, ଚାନ୍ଦୌଲି, ବାରାଣସୀ ଏବଂ ଗାଜୀପୁର ଦେଇ ପ୍ରବାହିତ ଏହି ନଦୀ ବକ୍ସର ଗଙ୍ଗା ନଦୀରେ ଯାଇ ମିଶିଛି। ଏହି ନଦୀ ବିଷୟରେ ଲୋକମାନେ ବିଶ୍ବାସ ଭିନ୍ନ ଭିନ୍ନ ରହିଛି। ଲୋକମାନେ ବିଶ୍ୱାସ କରନ୍ତି ଯେ କର୍ମନାଶା ନଦୀର ଜଳକୁ ଛୁଇଁବା କାମକୁ ନଷ୍ଟ କରିଦିଏ।

ପୌରାଣିକ କଥାରେ ବିଶ୍ୱାସ ଅନୁଯାୟୀ ଏହି ନଦୀ ରାଜା ହରିଚନ୍ଦ୍ରଙ୍କ ପିତା ସତ୍ୟବ୍ରତଙ୍କ ଲାଳରୁ ନିର୍ମିତ ହୋଇଥିଲା। କୁହାଯାଏ ଯେ ଥରେ ସତ୍ୟବ୍ରତ ନିଜର ଗୁରୁ ବଶିଷ୍ଠ ଋଷି ମାନବ ଶରୀର ସହିତ ସ୍ୱର୍ଗକୁ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ଗୁରୁ ବଶିଷ୍ଠ ଋଷି ଏହାକୁ ସତ୍ୟବ୍ରତଙ୍କୁ ଅସ୍ୱୀକାର କରିଥିଲେ। ସତ୍ୟବ୍ରତ ଗୁରୁ ବିଶ୍ୱାମିତ୍ରଙ୍କ ଆଗରେ ଏହି ଇଚ୍ଛା ପ୍ରକାଶ କରିଥିଲେ। ବିଶ୍ୱାମିତ୍ର ସତ୍ୟବ୍ରତଙ୍କୁ ତାଙ୍କ ଶକ୍ତି ମାଧ୍ୟମରେ ସତ୍ୟବ୍ରତଙ୍କୁ ସ୍ୱର୍ଗକୁ ପଠାଇଲେ। ଏହା ଦେଖି ଇନ୍ଦ୍ର ଅତ୍ୟଧିକ କ୍ରୋଧିତ ହୋଇଗଲେ ଏବଂ ସେ ସତ୍ୟବ୍ରତଙ୍କ ଶରୀରକୁ ପୃଥିବୀପୃଷ୍ଠକୁ ପଠାଇଲେ। ଏହା ଜାଣିପାରି ଗୁରୁ ବିଶ୍ୱାମିତ୍ର ତାଙ୍କର ଧ୍ୟାନର ଶକ୍ତି ସହିତ ସତ୍ୟବ୍ରତଙ୍କ ଶରୀରକୁ ସ୍ୱର୍ଗ ଓ ପୃଥିବୀ ମଧ୍ୟରେ ଅଟକାଇଲେ। ଏହା ପରେ ଇନ୍ଦ୍ର ଏବଂ ବିଶ୍ୱାମିତ୍ରଙ୍କ ମଧ୍ୟରେ ଏକ ବଡ ଯୁଦ୍ଧ ହୋଇଥିଲା। ହେଲେ ସତ୍ୟବ୍ରତଙ୍କ ଶରୀର ମଝି ଆକାଶରେ ସେମିତି ଝୁଲି ରହିଥିଲା। ସେହି ସମୟରେ ସତ୍ୟବ୍ରତଙ୍କ ଶରୀର ମୁଣ୍ଡ ତଳକୁ ଥିଲା। ଯାହା ଦ୍ୱାରା ସତ୍ୟବ୍ରତଙ୍କ ପାଟିରୁ ଲାଳ ବାହାରିବାକୁ ଲାଗିଲା। କୁହାଯାଏ ତାଙ୍କ ପାଟି ଲାଳରୁ ଏହି ନଦୀର ଉତ୍ପତି ହୋଇଥିଲା। ସତ୍ୟବ୍ରତଙ୍କ ଚତୁରତା ପାଇଁ ଗୁରୁ ବଶିଷ୍ଟ ତାଙ୍କୁ ଅଭିଶାପ ଦେଇଥିଲେ, ଯେଉଁଥିପାଇଁ ଏହି ନଦୀ ମଧ୍ୟ ଅଭିଶାପ ପାଇ ଅଭିଶପ୍ତ ନଦୀରେ ପରିଣତ ହୋଇଥିଲା।

୨୪ ବର୍ଷ ପରେ ପଡୁଛି ଦୁର୍ଲଭ ସଂଯୋଗ, ସର୍ବଶକ୍ତିମାନ ହେବେ ଏହି ରାଶିର ଲୋକେ

ଭୁବନେଶ୍ଵର: ରାତି ପାହିଲେ ଅକ୍ଷୟ ତୃତୀୟା । ଚଳିତବର୍ଷର ଅକ୍ଷୟ ତୃତୀୟା ବହୁତ ସ୍ୱତନ୍ତ୍ର ହେବ ବୋଲି କୁହାଯାଉଛି । ଜ୍ୟୋତିଷମାନଙ୍କ ଅନୁସାରେ, ଏଥର ଅକ୍ଷୟ ତୃତୀୟା ପଡୁଛି ଅକ୍ଷୟ ଯୋଗ । ଶେଷ ଥର ପାଇଁ ୨୬ ଏପ୍ରିଲ୍ ୨୦୦୧ରେ ସୃଷ୍ଟି ହୋଇଥିଲା ଏହି ଯୋଗ । ଏବେ ଦୀର୍ଘ ୨୪ ବର୍ଷ ପରେ ଚଳିତବର୍ଷ ପୁଣିଥରେ ସୃଷ୍ଟି ହେଉଛି ଏହି ଅକ୍ଷୟ ଯୋଗ । ଯାହାକି ଅକ୍ଷୟ ତୃତୀୟାକୁ ଆହୁରି ସ୍ୱତନ୍ତ୍ର କରିବ। କହି ରଖୁଛୁ ଯେ ଅକ୍ଷୟ ଯୋଗ ଅତ୍ୟନ୍ତ ଦୁର୍ଲଭ, ଅତ୍ୟନ୍ତ ଶୁଭ ଓ ଫଳପ୍ରଦ ଯୋଗ ।

ଅକ୍ଷୟ ଯୋଗ ଅର୍ଥାତ୍ ‘ସେହି ଯୋଗ ଯାହା କେବେ ନଷ୍ଟ ହୁଏ ନାହିଁ’ ତଥା ସେହି ଯୋଗ ଯାହାର ପ୍ରଭାବ ସର୍ବଦା ରହିଥାଏ। ଏହି ଯୋଗ ଗଠନ ହେଲେ ଏହା ଜୀବନରେ ସ୍ଥାୟୀ ସୁଖ, ସମୃଦ୍ଧି ଓ ସଫଳତା ଆଣିଥାଏ ବୋଲି ବିଶ୍ୱାସ କରାଯାଏ। ବିଶେଷକରି ଅକ୍ଷୟ ତୃତୀୟା ଦିନ, ଯେତେବେଳେ ଅକ୍ଷୟ ଯୋଗ ଗଠିତ ହୁଏ ଏହା ଆହୁରି ପ୍ରଭାବଶାଳୀ ହୁଏ କାରଣ ଏହି ତିଥିକୁ ବହୁତ ପୁଣ୍ୟ ଏବଂ ଶୁଭ ବୋଲି ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ଚନ୍ଦ୍ର ଏବଂ ବୃହସ୍ପତିଙ୍କ ସଂଯୋଗ କୁଣ୍ଡଳୀର ଦ୍ୱିତୀୟ, ଷଷ୍ଠ, ଦଶମ କିମ୍ବା ଏକାଦଶ ଘରେ ହୁଏ, ସେତେବେଳେ ଅକ୍ଷୟ ଯୋଗ ସୃଷ୍ଟି ହୁଏ। ଚନ୍ଦ୍ର ତାଙ୍କ ଉଚ୍ଚ ରାଶି ବୃଷ ରାଶିରେ ଅବସ୍ଥାନ କଲେ ଏହି ଯୋଗ ଆହୁରି ପ୍ରଭାବଶାଳୀ ହୁଏ। ଯେହେତୁ ଅକ୍ଷୟ ତୃତୀୟା ଦିନ କେବଳ ଚନ୍ଦ୍ର ନୁହେଁ ବରଂ ସୂର୍ଯ୍ୟ ମଧ୍ୟ ତାଙ୍କର ଉଚ୍ଚ ରାଶି ମେଷରେ ଅଛନ୍ତି, ତେଣୁ ଏହି ଅବସରରେ ଗଠିତ ଅକ୍ଷୟ ଯୋଗ ଆହୁରି ଲାଭଦାୟକ ପ୍ରମାଣିତ ହୁଏ।

ଜ୍ୟୋତିଷମାନଙ୍କ ମତରେ, ୨୦୨୫ ଅକ୍ଷୟ ତୃତୀୟାରେ ସୃଷ୍ଟି ହୋଇଥିବା ଅତ୍ୟନ୍ତ ଫଳପ୍ରଦ ଅକ୍ଷୟ ଯୋଗ ସମସ୍ତ ରାଶି ଉପରେ ବ୍ୟାପକ ଏବଂ ଗଭୀର ପ୍ରଭାବ ପକାଇବ। କିନ୍ତୁ, ୫ଟି ରାଶି ପାଇଁ ଏହା ଚନ୍ଦ୍ର-ବୃହସ୍ପତିଙ୍କ ଆଶୀର୍ବାଦଠାରୁ କମ୍ ନୁହେଁ ବୋଲି କୁହାଯାଉଛି । ଅକ୍ଷୟ ତୃତୀୟାରେ ଚନ୍ଦ୍ର-ବୃହସ୍ପତିର ଅକ୍ଷୟ ଯୋଗ ସୃଷ୍ଟି ହେଉଥିବାରୁ ବୃଷ ରାଶିର ଲୋକଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ବହୁତ ଶୁଭ ସାବ୍ୟସ୍ତ ହେବ। ଯଦି ଆପଣ ନିବେଶ କରିବାକୁ ଯୋଜନା କରୁଛନ୍ତି କିମ୍ବା କୌଣସି ସମ୍ପତ୍ତି କିଣିବାକୁ ଚାହୁଁଛନ୍ତି, ତେବେ ଏହା ଏଥିପାଇଁ ସର୍ବୋତ୍ତମ ସମୟ। କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ, ଏହି ଯୋଗ ମାନସିକ ସନ୍ତୁଳନ ଏବଂ ଭାବପ୍ରବଣ ସ୍ଥିରତା ଆଣିବ, କାରଣ ଚନ୍ଦ୍ର ସ୍ୱୟଂ ଏହି ରାଶିର ଅଧିପତି। ଏହି ଯୋଗର ପ୍ରଭାବରୁ, ଆୟର ନୂତନ ଉତ୍ସ ଖୋଲିପାରେ ଏବଂ ଯଦି ପୂର୍ବରୁ କୌଣସି ଟଙ୍କା ଅଟକି ଯାଇଥିଲା, ତେବେ ତାହା ଫେରି ପାଇବାର ସମ୍ଭାବନା ପ୍ରବଳ।

କନ୍ୟା ରାଶିର ଜାତବ୍ୟକ୍ତିଙ୍କ ପାଇଁ, ଅକ୍ଷୟ ଯୋଗ ଚାକିରି ଏବଂ କ୍ୟାରିଅର ଦିଗରେ ସ୍ଥିରତା ଏବଂ ପ୍ରଗତିକୁ ସୂଚାଉଛି। ଯଦି ଆପଣ କୌଣସି ଉଚ୍ଚ ପଦବୀ ପାଇବା କିମ୍ବା ଚାକିରି ବଦଳାଇବା ବିଷୟରେ ଭାବୁଛନ୍ତି, ତେବେ ଏହା ଏକ ଶୁଭ ସମୟ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଛାତ୍ରମାନଙ୍କ ପାଇଁ ସଫଳତାର ସମ୍ଭାବନା ଅଛି। ଯେଉଁମାନେ ବିଦେଶ ଯାତ୍ରା କରିବାକୁ କିମ୍ବା ଉଚ୍ଚଶିକ୍ଷା ପାଇଁ ଯୋଜନା କରୁଛନ୍ତି ସେମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ହେବ। ଅର୍ଥନୈତିକ ଦୃଷ୍ଟିକୋଣରୁ, ଆୟ ବୃଦ୍ଧି ପାଇବ ଏବଂ ନିବେଶ ଦୀର୍ଘକାଳୀନ ଲାଭ ପ୍ରଦାନ କରିପାରିବ। ଏହି ସମୟରେ, ଆପଣ ଆପଣଙ୍କ ଲକ୍ଷ୍ୟର ନିକଟତର ହୋଇପାରିବେ। ମୀନ ରାଶିର ଲୋକଙ୍କ ପାଇଁ ଏହି ସମୟ ଆଧ୍ୟାତ୍ମିକ ଏବଂ ଆର୍ଥିକ ଭାବରେ ବିଶେଷ ଉନ୍ନତିର ସୂଚକ। ବୃହସ୍ପତିଙ୍କ ଶୁଭ ପ୍ରଭାବ ଆପଣଙ୍କର ଆତ୍ମବିଶ୍ୱାସ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତିକୁ ବୃଦ୍ଧି କରିବ। ପାରିବାରିକ ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।