 
        ନୂଆଦିଲ୍ଲୀ: ୱାଇନାଡାରେ ପ୍ରକୃତିର ପ୍ରକୋପ ହୃଦୟ ଥରାଇ ଦେଇଛି | ସକାଳ ପାଇଁ ସ୍ବପ୍ନ ଦେଖୁଥିବା ମଣିଷ ମୃତ୍ୟୁର ଶୀତଳ ସ୍ପର୍ଶରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି | ଶହ ଶହ ଜୀବନ ମାଟି ତଳେ ରହି ଯାଇଛି | ଖାଲି କେରଳ ନୁହେଁ, ସାରା ବିଶ୍ୱକୁ ସ୍ତବ୍ଦ କରି ଦେଇଛି ଏହି ଘଟଣା | ଏପରି ସମୟରେ ବିଜେପିର ପୂର୍ବତନ ବିଧାୟକ ଜ୍ଞାନଦେବ ଆହୁଜା ଶନିବାର ଏକ ଅଜବ ଯୁକ୍ତି ରଖିଛନ୍ତି | ଜ୍ଞାନଦେବ ଆହୁଜାଙ୍କ ଏହି ଉଦ୍ଭଟ ଥିଓରୀ ଏକ ବିବାଦ ସୃଷ୍ଟି କରିଛି |
ଜ୍ଞାନଦେବ ଆହୁଜା ୱାଇନାଡାର ଭୂସ୍ଖଳନକୁ କେରଳ ଗୋହତ୍ୟା ପ୍ରଥା ସହ ଯୋଡ଼ିଛନ୍ତି | ରାଜସ୍ଥାନର ଏହି ପୂର୍ବତନ ବିଧାୟକ କହିଛନ୍ତି, ଯେଉଁ ଅଂଚଳରେ ଏପରି ଗୋହତ୍ୟା ପ୍ରଥା ପ୍ରଚଳିତ ସେହି ଅଂଚଳରେ ଏପରି ବିପତ୍ତି ଦେଖିବାକୁ ମିଳୁଛି |
ସେ ଆହୁରି କହିଛନ୍ତି, ୨୦୧୮ରେ ଏମିତି ଘଟଣା ଦେଖିବାକୁ ମିଳିଥିଲା |  ଗୋହତ୍ୟା ହେଉଥିବା କ୍ଷେତ୍ରରେ ଏପରି ଦୁଃଖଦ ଘଟଣା ଘଟୁଛି | ସେ ଆହୁରି ଚେତାବନୀ ଦେଇଛନ୍ତି, ଯଦି, ଆଗକୁ ଗୋହତ୍ୟା ନ କମେ ତେବେ କେରଳରେ ଏପରି ଦୁଃଖଦ ଘଟଣା ଘଟୁଥିବ |
ତେବେ ବିଜେପି ନେତାଙ୍କ ଏପରି ବୟାନକୁ କଡା ସମାଲୋଚନା କରିଛନ୍ତି CPI ମହାସଚିବ ଡି. ରାଜା | ସେ କହିଛନ୍ତି ଯେ କୌଣସି ପ୍ରାକୃତିକ ବିପଦକୁ ସମ୍ପ୍ରଦାୟିକତା ସହ ଯୋଡିବାକୁ ବିଜେପି ଚେଷ୍ଟା କରୁଛି |
 
         
         
         
         
        