
ଏସିଆ କପ୍ ୨୦୨୩କୁ ନେଇ ଆସିଛି ବଡ଼ ଖବର । ଟୁର୍ଣ୍ଣାମେଣ୍ଟ ମଝିରେ ଏସୀୟ କ୍ରିକେଟ୍ ପରିଷଦ(ଏସିସି) ଏକ ବଡ଼ ନିଷ୍ପତ୍ତି ନେଇଛି । ଶ୍ରୀଲଙ୍କାର କଲୋମ୍ବୋରେ ହେବାକୁ ଥିବା ଫାଇନାଲ୍ ସମେତ ସୁପର-୪ର ସମସ୍ତ ମ୍ୟାଚ୍ ହମ୍ବନଟୋଟାକୁ ସ୍ଥାନାନ୍ତର କରାଯାଇଛି। ମ୍ୟାଚ୍ ସ୍ଥାନାନ୍ତର ନେଇ ପାଲ୍ଲିକଲ ଓ ଡାମ୍ବୁଲା ଷ୍ଟାଡିୟମ ଉପରେ ମଧ୍ୟ ବିଚାର କରାଯାଇଥିଲା। କିନ୍ତୁ ଶେଷରେ ସୁପର-୪ର ସମସ୍ତ ମୁକାବିଲା ହମ୍ବନଟୋଟା ସ୍ଥାନାନ୍ତର କରିବାକୁ ଏସିସି ନିଷ୍ପତ୍ତି ନେଇଛି।
କଲୋମ୍ବୋରେ ଏବେ ପ୍ରବଳ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ଅନୁଯାୟୀ, ଏଠାରେ ଆଗାମୀ କିଛି ଦିନ ଲଗାଣ ବର୍ଷା ହେବ। ଏହି କାରଣରୁ କଲୋମ୍ବାରୁ ସମସ୍ତ ମୁକାବିଲା ସ୍ଥାନାନ୍ତର କରାଯାଇଛି।
ଶ୍ରୀଲଙ୍କାର ଅନ୍ୟ ଏକ ସହର ହମ୍ବନଟୋଟା ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ। ଏହି ଅଞ୍ଚଳ ବର୍ତ୍ତମାନ ବହୁତ ଶୁଷ୍କ ରହୁଥିବା ବେଳେ କଲୋମ୍ବୋରେ ବର୍ତ୍ତମାନ ଭୀଷଣ ବର୍ଷା ଜାରି ହେଉଛି । ଅନ୍ୟପଟେ ପାଲ୍ଲିକଲ ଓ ଡାମ୍ବୁଲାରେ ମଧ୍ୟ ବର୍ଷା ଆଶଙ୍କା ରହିଛି । ଏମିତି ସ୍ଥିତିରେ ଏସିସି କଲୋମ୍ବୋର ସମସ୍ତ ମ୍ୟାଚ ହମ୍ବନଟୋଟାକୁ ସ୍ଥାନାନ୍ତର କରିବାକୁ ଶ୍ରେୟ ମନେ କରିଛି । ଏବେ ଏସିଆ କପ୍ର ଫାଇନାଲ୍ ମ୍ୟାଚ୍ ସେପ୍ଟେମ୍ବର ୧୭ରେ କଲମ୍ବୋ ବ୍ୟତୀତ ହମ୍ବନଟୋଟାରେ ଖେଳାଯିବ।
ଏ ପର୍ଯ୍ୟନ୍ତ ଗ୍ରୁପ ପର୍ଯ୍ୟାୟରେ ୪ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ଆଉ ୨ଟି ମ୍ୟାଚ୍ ବାକି ରହିଛି । ଗ୍ରୁପ ପର୍ଯ୍ୟାୟରେ କୌଣସି ବି ମ୍ୟାଚ୍ କଲୋମ୍ବୋରେ ଖେଳା ଯାଉ ନାହିଁ । କିନ୍ତୁ ଫାଇନାଲ୍ ସମେତ ସୁପର-୪ର ସମସ୍ତ ମୁକାବିଲା ଏହି ଗ୍ରାଉଣ୍ଡରେ ଖେଳାଯିବ ବୋଲି କ୍ରୀଡ଼ାସୂଚୀରେ ନିର୍ଦ୍ଧାରିତ ରହିଥିଲା । ମାତ୍ର ଶ୍ରୀଲଙ୍କା ରାଜଧାନୀରେ ବର୍ଷା ଥମିବାର ନାଁ ନେଉ ନାହିଁ । ଏଠାରେ ମ୍ୟାଚ୍ ହେଲେ ଏହା ବର୍ଷାରେ ଧୋଇ ହୋଇଯିବାର ସମ୍ଭାବନା ଅଧିକର ରହିଥିଲା । ସେହି କାରଣରୁ ଏସିଆ କପରେ ଏପରି ଏକ ବଡ଼ ପରିବର୍ତ୍ତନ କରାଯାଇଛି l