
ମୁମ୍ବାଇ:ପାରିବାରିକ ବିବାଦକୁ ନେଇ ବୋଧହୁଏ ଚିନ୍ତାରେ ଅଛନ୍ତି ବିଗ ବି | ଅବଶ୍ୟ ଏକଥା ମୁହଁ ଖୋଲି ସେ କହି ନାହାନ୍ତି | ତେବେ ନ କହିଲେ ବି ବୁଝିବାକୁ ଅବୁଝା ହେଉନି ଫ୍ୟାନ୍ସଙ୍କୁ | ଅମିତାଭଙ୍କ ବ୍ୟକ୍ତିତ୍ୱ, ପାରିବାରିକ ସମ୍ପର୍କର ଏକ ଅଲଗା ଇମେଜ ରହିଛି | ହେଲେ ଏବେ ତାଙ୍କ ଘର କଳି ଦାଣ୍ଡରେ ପଡି ହାତରେ ଗଡ଼ିବା ନିଶ୍ଚୟ ବ୍ୟଥିତ କରିଛି ଅମିତାଭଙ୍କୁ |
ଯାହା ଖବର ମିଳୁଛି, ଐଶ୍ୱର୍ଯ୍ୟା ଏବଂ ବଚ୍ଚନ ଫାମିଲି ମଧ୍ୟରେ କିଛି ଠିକଠାକ ଚାଲିନି | ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ବିବାହ ବିଛେଦକୁ ନେଇ ଚାଲିଛି ଚର୍ଚ୍ଚା | ଅବଶ୍ୟ ଏହାକୁ ନେଇ ଅଭିଷେକ ବା ଐଶ୍ୱର୍ଯ୍ୟା କେହି କିଛି ମୁହଁ ଖୋଲି ନାହାନ୍ତି | ତେବେ ଏମିତି କିଛି ଘଟଣା ଫ୍ୟାନ୍ସଙ୍କୁ ଭାବିବାକୁ ବାଧ୍ୟ କରୁଛି |
ଏପରି ସମୟରେ ଅମିତାଭଙ୍କ ଏକ ବୟାନ ଏପରି ଦ୍ଵନ୍ଦକୁ ବଢ଼ାଇ ଦେଇଛି | ଅମିତାଭ ଏକ ବ୍ଲଗରେ ଲେଖିଛନ୍ତି, ସେ ନିଜକୁ ଖୁବ ଅସହାୟ ମନେ କରୁଛନ୍ତି | ପାରିବାରିକ ସ୍ଥିତିକୁ ନେଇ ବିଗ ବି ଏମିତି କହି ଥାଇ ପାରନ୍ତି ବୋଲି ଫ୍ୟାନ୍ସ ଅନୁମାନ କରୁଛନ୍ତି | ତେବେ ଏହି ବ୍ଲଗରେ ସେ କୌନ ବନେଗା କାରୋଡ଼ପତି ୧୬ରୁ କଣ୍ଟଷ୍ଟାଣ୍ଟମାନଙ୍କ କଥା ବି କହିଛନ୍ତି |
ବିଗ ବି ବ୍ଲଗରେ କହିଛନ୍ତି , ସେ କୌନ ବନେଗା କାରୋଡ଼ପତି ସେଟରୁ ଫେରୁଛନ୍ତି | ହଟ ସିଟରେ ବସିଥିବା କଣ୍ଟଷ୍ଟାଣ୍ଟମାନଙ୍କ ହୃଦୟ ଛୁଇଁବା ପରି କାହାଣୀ ଦେଖୁଛି | ମୁଁ ଦେଖୁଛି, ଏତେ ସବୁ କଠିନ ପରିସ୍ଥିତି ଏବଂ ସଂଘର୍ଷ ସତ୍ତ୍ୱେ କଣ୍ଟଷ୍ଟାଣ୍ଟମନେ ହାତ ସିଟରେ ହସି ହସି ବସିଛନ୍ତି |
ଅମିତାଭ କହିଛନ୍ତି, ଗେମରେ କିଛି ପରିବର୍ତ୍ତନ ଆସିଛି | ଏହାର କଣ ପ୍ରଭାବ ପଡିବ ଏବଂ କଣ ଶିକ୍ଷା ମିଳିବ ଜଣାନାହିଁ | ତେବେ ସବୁଠାରୁ ବଡ କଥା ହେଉଛି ସେହି ଫିଲିଙ୍ଗସ, ଯାହା ସମସ୍ତଙ୍କୁ ଭାବବିହ୍ଵଳ କରି ଦେଉଛି | ତାହା ହେଉଛି କଣ୍ଟଷ୍ଟାଣ୍ଟମାନଙ୍କ ସଂଘର୍ଷର କାହାଣୀ | କେତେ କଠିନ ପରିସ୍ଥିରେ ରହି ସଂଘର୍ଷ କରିଛନ୍ତି ସେମାନେ…| ହେଲେ ନିଜକୁ ଏହି ହଟ ସିଟ୍ରେ ଦେଖି କେତେ ଖୁସି ହୋଇ ଯାଉଛନ୍ତି ! ଏସବୁ ଦେଖି ଖୁବ ଅସହାୟ ଲାଗୁଛି ବୋଲି କହିଛନ୍ତି ଅମିତାଭ |
ସେ କହିଛନ୍ତି, ଅନେକ ଲୋକ ଆସୁଛନ୍ତି, ସେମାନଙ୍କ ଦୁଃଖ କହୁଛନ୍ତି | ହେଲେ ସେମାନଙ୍କ ମଧୁର ହସ ହୃଦୟ ତରଳାଇ ଦେଉଛି |