
ମୁମ୍ବାଇ: ଦୀର୍ଘ ୨୮ବର୍ଷ ପରେ ରିଲିଜ ହେବାକୁ ଯାଉଛି ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଜାଟ’ । ଏହି ଚଳଚ୍ଚିତ୍ରଟି ଏପ୍ରିଲ୍ ୨୦୨୫ରେ ମୁକ୍ତିଲାଭ କରିବ। ତେବେ ଫିଲ୍ମ ରିଲିଜ ପୂର୍ବରୁ ସନ୍ନି ଦେଓଲ ତାଙ୍କର ବ୍ଲକବ୍ଲଷ୍ଟର ଚଳଚ୍ଚିତ୍ର ‘ଘାତକ’ ସହ ପ୍ରେକ୍ଷାଳୟକୁ ଆସୁଛନ୍ତି । ପୁଣିଥରେ ସନ୍ନି ଦେଓଲଙ୍କ ଫିଲ୍ମ ‘ଘାତକ’ ପ୍ରେକ୍ଷାଳୟରେ ଧମାକା କରିବାକୁ ଯାଉଛି। ଏନେଇ ଅଭିନେତା ସୋସିଆଲ ମିଡ଼ିଆରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।
ସନ୍ନି ଦେଓଲ ‘ଘାତକ’ ଫିଲ୍ମର ପୁନଃ ରିଲିଜ ତାରିଖ ପ୍ରକାଶ କରିଛନ୍ତି । ମାର୍ଚ୍ଚ ୨୧ରେ ‘ଘାତକ’ ପ୍ରେକ୍ଷାଳୟରେ ପୁନଃ ମୁକ୍ତିଲାଭ କରିବାକୁ ଯାଉଛି । ଏଥିସହ ପରଦିନ ମାର୍ଚ୍ଚ ୨୨ ସନ୍ନି ଦେଓଲଙ୍କ ଆଗାମୀ ଚଳଚ୍ଚିତ୍ର ‘ଜାଟ’ ଟ୍ରେଲର ମୁକ୍ତିଲାଭ କରିବ । ଅଭିନେତା ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ନିଜକୁ ପ୍ରସ୍ତୁତ କର, କାରଣ କ୍ଲାସିକ୍ ଫିଲ୍ମ ଆସୁଛି, ‘ଘାତକ’ ପୁଣିଥରେ ରେଡ୍ ଲୋରୀ ଫିଲ୍ମ ଫେଷ୍ଟିଭାଲ୍ ପରଦାରେ ଆସୁଛି।ଫିଲ୍ମ ୨୧ମାର୍ଚ୍ଚରେ ବଡ ପରଦାରେ ଆସୁଛି ।’ ଚଳଚ୍ଚିତ୍ର ‘ଘାତକ’କୁ ରାଜକୁମାର ସନ୍ତୋଷୀ ନିର୍ଦ୍ଦେଶନା ଦେଇଥିଲେ । ଦିୱାଲୀ ଅବସରରେ ଏହି ଫିଲ୍ମ ୮ ନଭେମ୍ବର ୧୯୯୬ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ଆରଡି ବର୍ମନ, ଭାନରାଜ ଭାଟିଆ ଏବଂ ଅନୁ ମଲିକଙ୍କ ସଙ୍ଗୀତ ରହିଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୬.୨କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ‘ଘାତକ’ର ସାରା ବିଶ୍ୱରେ ୨୧.୭କୋଟି ଟଙ୍କା ଏବଂ ଭାରତରେ ୧୫.୨୪ କୋଟି ଟଙ୍କା କଲେକ୍ସନ କରାଯାଇଥିଲା । ଏହି ସିନେମାରେ ସନ୍ନି ଦେଓଲ କାଶୀ ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କ ବିପରୀତ ମୀନାକ୍ଷୀ ଶେଶାଦ୍ରି ଥିଲେ ।
‘ଜାଟ’ ବିଷୟରେ କହିବାକୁ ଗଲେ, ଆକ୍ସନ ଫିଲ୍ମ ‘ଜାଟ’ ଗୋପୀଚାନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ । ଆକ୍ସନ୍ କୋରିଓଗ୍ରାଫି କରିଥିଲେ ଅନଲ ଆରାସୁ, ରାମ ଲକ୍ଷ୍ମଣ ଏବଂ ଭେଙ୍କଟ। ରିଷି ପଞ୍ଜାବୀ ଫଟୋଗ୍ରାଫିର ନିର୍ଦ୍ଦେଶକ। ସମ୍ପାଦନା ନବୀନ ନୁଲିଙ୍କ ଦ୍ୱାରା କରାଯାଇଥିବା ବେଳେ ପ୍ରଡକ୍ସନ୍ ଡିଜାଇନ୍ ଅଭିନାଶ କୋଲାଙ୍କ ଦ୍ୱାରା କରାଯାଇଛି । ଏହି ଫିଲ୍ମରେ ସନ୍ନି ଦେଓଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଆକ୍ସନରେ ପରିପୂର୍ଣ୍ଣ ଫିଲ୍ମଟି ମହାବୀର ଜୟନ୍ତୀ ଅବସରରେ ୧୦ ଏପ୍ରିଲରେ ମୁକ୍ତିଲାଭ କରିବ । ସେହି ଦିନ, KGF ଷ୍ଟାର ୟଶଙ୍କ ‘ଟକ୍ସିକ’ ଏବଂ ପ୍ରଭାସଙ୍କ ‘ଦ ରାଜା ସାହେବ’ ମଧ୍ୟ ଥିଏଟରକୁ ଆସିବାକୁ ଯାଉଛି ।