
ବେଙ୍ଗାଲୁରୁ: କର୍ଣ୍ଣାଟକର ମହୀଶୂରରୁ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା । ଜିଲ୍ଲାର ଏଚଡି ତାଲୁକ ଅଞ୍ଚଳରେ ସୋମବାର ଅର୍ଥାତ ଗତକାଲି ବାଘ ଆକ୍ରମଣରେ ଜଣେ ୭ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ବାଘାଟି କୁନି ପୁଅଟିର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଖାଇ ଯାଇଥିବାର ଦେଖିବାକୁ ମିଳିଛି l
ସୂଚନା ଅନୁଯାୟୀ,ପିଲାଟି ଗୋଟିଏ ଗଛ ତଳେ ଖେଳୁଥିବା ବେଳେ ବାଘ ଆସି ତାକୁ ଝାମ୍ପି ନେଇଥିଲା । ବହୁ ଖୋଜାଖୋଜି କରିବା ପରେ ନାବାଳକର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଥିଲା l ତେବେ ସୋମବାର ଅପରାହ୍ନରେ କାଲାହାଟ୍ଟୀ ଗାଁର କ୍ରିଷ୍ଣା ନାୟକ ଜଣେ ବ୍ୟକ୍ତି ନିଜର ୭ ବର୍ଷର ପୁଅକୁ ନେଇ ବିଲକୁ କାମ କରିବାକୁ ଯାଇଥିଲେ । ସେ ପୁଅକୁ ବିଲ ପାଖରେ ଏକ ଗଛ ତଳେ ଛାଡ଼ି କାମ କରୁଥିଲେ । ପିଲାଟି ସେଠାରେ ଖେଳୁଥିବା ବେଳେ ହଠାତ୍ ଗୋଟିଏ ବାଘ ଆସି ତାକୁ ଟାଣି ନେଇ ଜଙ୍ଗଲକୁ ପଳାଇଥିଲା । କିଛି ସମୟ ପରେ କ୍ରିଷ୍ଣା ନିଜ ପୁଅକୁ ଖୋଜିବାରୁ ଆଉ ପାଇନଥିଲେ । ଏହାପରେ ପରିବାର ଲୋକେ ଏବଂ ଗ୍ରାମବାସୀ ମିଶି ବହୁ ଖୋଜାଖୋଜି କରିବା ପରେ ନାବାଳକର ମୃତଦେହ ମିଳିଥିଲା । ବାଘ ପିଲାଟିର ଶରୀରର ଅନେକ ଅଂଶକୁ ଖାଇ ଯାଇଥିବା ଦେଖିବାକୁ ମିଳିଥିଲା । ଏହି ଅଘଟଣ ପାଇଁ ବନ ବିଭାଗର ଅବହେଳାକୁ ଦାୟୀ କରି ଗାଁ ଲୋକେ ମୃତଦେହକୁ ଚାଷଜମିରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ମିଳିଥିବା ସୂଚନା ମୁତାବକ, ଗତ ସପ୍ତାହେ ହେଲାଣି ଗୋଟିଏ ବାଘ କାଲାହାଟ୍ଟୀ ଗାଁ ନିକଟରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଏନେଇ ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ । ହେଲେ ବାଘକୁ ଘଉଡ଼ାଇବାକୁ ବନ ବିଭାଗ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନଥିଲା । ବିଭାଗର ଅବହେଳା ପାଇଁ ଶେଷରେ ବାଘ ଆକ୍ରମଣରେ ଗୋଟିଏ ନିରୀହ ପିଲାଟିର ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି । ଏହି ଖବର ପାଇ ବନ ବିଭାଗ ଅଧିକାରୀଙ୍କ ସମେତ ସ୍ଥାନୀୟ ବିଧାୟକ ଚିକ୍କାମାଡୁ ଘଟଣାସ୍ଥଳରେ ପହଞ୍ଚି ଥିଲେ । ତେବେ ସରକାରଙ୍କ ପକ୍ଷରୁ ମୃତ ନାବାଳକର ପରିବାରକୁ ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଥିବା ସୂଚନା ମିଳିଛି । ଏହାସହିତ ବିଧାୟକ ମୃତକଙ୍କ ପରିବାରକୁ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।