
କର୍ଣ୍ଣାଟକ : କର୍ଣ୍ଣାଟକର ବିଜୟପୁରରେ ଥିବା ଏକ ଘରୋଇ ଗୋଦାମରେ କାମ କରୁଥିବା ଶ୍ରମିକଙ୍କ ଉପରେ ଏକ ଗଦା ମକା ଅଖା ପଡି ବଡ ଦୁର୍ଘଟଣା ଘଟିଛି । ଅଖା ତଳେ ପୋତି ହୋଇଯାଇଥିବା ଆଠ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସୋମବାର ସନ୍ଧ୍ୟା ପ୍ରାୟ 6 ଟା ସମୟରେ ଏହି ଦୁର୍ଘଟଣା ଘଟିଛି।
ଏହା ପରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ମୃତକଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ପରିଚୟ ସାମ୍ନାକୁ ଆସିଛି l ରାଜେଶ ମୁଖିଆ (25), ରାମବ୍ରିଜ ମୁଖିଆ (29), ଶମ୍ଭୁ ମୁଖିଆ (26), ରାମ ବାଲାକ (52) ଏବଂ ଲାଖୁ (45) ବୋଲି ଜଣାପଡିଛି।
ଏହି ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଶ୍ରମିକ ବିହାରର ବୋଲି କୁହାଯାଉଛି। ଶ୍ରମିକମାନଙ୍କ ଉପରେ ଶହ ଶହ ବ୍ୟାଗ ମକା ପଡିଯାଇଥିଲା। ମଙ୍ଗଳବାର ସକାଳେ ବିଜୟପୁର ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀ ଏମ.ବି ପାଟିଲ ବେଲାଗାଭିରୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ କହିଛନ୍ତି ଯେ ମୃତଦେହକୁ ବାହାର କରିବା କାମ ଚାଲିଛି। ପାଟିଲ କହିଛନ୍ତି ଯେ ଗୋଦାମରେ କେତେ ଲୋକ ପୋତି ହୋଇଯାଇଛନ୍ତି ତାହା ସଠିକ୍ ଭାବରେ କୁହାଯାଇପାରିବ ନାହିଁ। ସୂଚନା ମୁତାବକ ଆଠ ଜଣ ଗୋଦାମ ଭିତରେ ପୋତି ହୋଇଯାଇଛନ୍ତି ଯାହା ଫଳରେ ସେମାନଙ୍କ ମୃତ୍ୟୁ ହୋଇଛି l
ପାଟିଲ କହିଛନ୍ତି, “ଏହା ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣା ହୋଇଛି। ବର୍ତ୍ତମାନ ଆମର ପ୍ରାଥମିକତା ହେଉଛି ଶବକୁ ବାହାର କରିବା ଏବଂ ସେମାନଙ୍କର ପୋଷ୍ଟମର୍ଟମ କରିବା l ଆମକୁ ସ୍ଥାନୀୟ ପ୍ରଶାସନ ସହିତ ଯୋଗାଯୋଗ କରିବାକୁ ପଡ଼ିବ ଏବଂ ଶବଗୁଡ଼ିକୁ ନିଜ ନିଜ ରାଜ୍ୟକୁ ପଠାଇବାକୁ ପଡ଼ିବ l ଯଦି ଗୋଦାମ ମାଲିକଙ୍କର ଦୋଷ ଅଛି ତେବେ ଏହା ମଧ୍ୟ ଅନୁସନ୍ଧାନ କରାଯିବା ଉଚିତ। ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”।
ପାଟିଲ କହିଛନ୍ତି ଯେ ସେ ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି। ଶ୍ରମିକମାନେ ଅନ୍ୟ ରାଜ୍ୟରୁ ଆସିଛନ୍ତି। ମାନବିକତା ଦୃଷ୍ଟିରୁ, ଆମେ ପ୍ରଭାବିତ ପରିବାରକୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବାକୁ ଚେଷ୍ଟା କରିବୁ। କ୍ଷତିପୂରଣ ଦେବା ଗୋଦାମ ମାଲିକଙ୍କ ଦାୟିତ୍ୱ ଅଟେ। ଏହି ପରିପ୍ରେକ୍ଷୀରେ ପୀଡିତମାନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଉଦ୍ୟମ କରାଯିବ।