
ଓଡ଼ିଆ ସିନେମା ଉପରେ ପଡିଛି ଯବାନ ଫିଲ୍ମର ପ୍ରଭାବ । ଓଡ଼ିଆ ସିନେମାକୁ ମିଳୁନି ହଲ୍ । ଯବାନକୁ ଦର୍ଶକ ଏତେ ମାତ୍ରାରେ ପସନ୍ଦ କରିଛନ୍ତି ଯେ ସବୁ ହଲରେ ଅଧିକାଂଶ ସମୟରେ ଲାଗିଛି ଯବାନ l ସେଥିପାଇଁ ରିଲିଜ୍ ହୋଇପାରୁନାହିଁ ଓଡ଼ିଆ ସିନେମା । ଓଡ଼ିଆ ସିନେମାକୁ ହଲ ମିଳୁନାହିଁ l ପାଖାପାଖି ୪ଟି ଓଡ଼ିଆ ଫିଲ୍ମ ଅଟକି ରହିଛି ଏପର୍ଯ୍ୟନ୍ତ ରିଲିଜ ହୋଇପାରି ନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଓଡ଼ିଆ ଫିଲ୍ମ ପ୍ରଯୋଜକ ଓ ନିର୍ମାତା ।
ସୂଚନା ଅନୁଯାୟୀ ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନୀତ ସିନେମା ଯବାନର ଡିଷ୍ଟ୍ରିବୁସନ୍ ଦାୟିତ୍ୱ ନେଇଥିବା ଡିଷ୍ଟ୍ରିବ୍ୟୁଟର ୩ ସପ୍ତାହ ପାଇଁ ଓଡ଼ିଶାର ସମସ୍ତ ସିନେମା ହଲ ସହିତ ଚୁକ୍ତି କରିଛନ୍ତି । ଯେଉଁଥିପାଇଁ ଓଡ଼ିଆ ଚଳଚ୍ଚିତ୍ର ରିଲିଜ୍ କରିବା ପାଇଁ ହଲ ମିଳୁନଥିବା ଅଭିଯୋଗ ଆଣିଛନ୍ତି ଓଡ଼ିଆ ସିନେମା ପ୍ରଯୋଜକ ।
ଓଡ଼ିଶାରେ ଏବେ ହଲ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି, ତେଣୁ ଗୋଟିଏ ଫିଲ୍ମ ପାଇଁ ଯଦି ସମସ୍ତ ହଲକୁ ବୁକ୍ କରାଯିବ, ତେବେ ଆଗକୁ ଓଡ଼ିଆ ଫିଲ୍ମ କେମିତି ରିଲିଜ୍ ହେବ, ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଯୋଜକ । ତେବେ ଆଗରୁ ଯେଉଁ ନିୟମ ଥିଲା କି ଓଡ଼ିଆ ଚଳଚ୍ଚିତ୍ରକୁ ୭ ସପ୍ତାହ ସ୍କ୍ରିନ୍ ମିଳିବ, ଏବେ ତାକୁ କଡ଼ାକଡ଼ି କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ଓଡ଼ିଆ ସିନେମା ପ୍ରଯୋଜକ । ଆଉ ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି ।