
ଭଗବାନ ଶିବଙ୍କର ଅନେକ ମନ୍ଦିର ଦେଖିବାକୁ ମିଳେ । ଅନେକ ସ୍ଥାନରେ ବିଭିନ୍ନ ପ୍ରକାର ନାମରେ ମହାଦେବ ଶିବଙ୍କ ମନ୍ଦିର ଆମେ ଦେଖିବାକୁ ପାଆନ୍ତି l କିନ୍ତୁ ଭାରତରେ ଏପରି ଏକ ଶିବ ମନ୍ଦିର ରହିଛି ଯେଉଁଠି କେବଳ ଗୋଟେ କି ଦୁଇଟି ନୁହେଁ ଦେଖିବାକୁ ମିଳେ ଏକ କୋଟି ଶିବଲିଙ୍ଗ l କେବଳ ସେତିକି ନୁହେଁ ବରଂ ଏସିଆର ସର୍ବ ବୃହତ ଶିବାଲିଙ୍ଗ ମଧ୍ୟ ଏହି ମନ୍ଦିରରେ ରହିଛି l
କର୍ଣ୍ଣାଟକ ରାଜ୍ୟର କୋଲାର ଜିଲ୍ଲାରେ ରହିଛି ଏହି ମନ୍ଦିର l ଏଠାରେ ବିଶ୍ୱର ସର୍ବାଧିକ ଶିବଲିଙ୍ଗ ସ୍ଥାପିତ କରାଯାଇଛି । ତେବେ ଏହି ଶିବଲିଙ୍ଗର ସଂଖ୍ୟା ପ୍ରାୟ ୧ କୋଟି ବୋଲି କୁହାଯାଉଛି । କୋଟିଏ ଲିଙ୍ଗରେ ଗଢ଼ା ହୋଇଥିବାରୁ ମନ୍ଦିରଟି କୋଟିଲିଙ୍ଗେଶ୍ୱର ଧାମ ନାମରେ ଜଣା ।
କର୍ଣ୍ଣାଟକର କୋଲାରରେ ଥିବା ଏହି କୋଟିଲିଙ୍ଗେଶ୍ୱର ମନ୍ଦିରରେ ପାଖାପାଖି ୧ କୋଟି ଶିବଲିଙ୍ଗ ସ୍ଥାପନା କରାଯାଇଛି । ଏହି ମନ୍ଦିରର ସ୍ଥାପନା ଏକ ଅଭିଶାପ କାରଣରୁ ହୋଇଥିଲା ବୋଲି କୁହାଯାଏ । କିମ୍ବଦନ୍ତୀ ଅନୁସାରେ ଭଗବାନ ଇନ୍ଦ୍ରଙ୍କୁ ଗୌତମ ନାମକ ଜଣେ ଜ୍ଞାନୀ ଋଷି ଅଭିଶାପ ଦେଇଥିଲେ । ଇନ୍ଦ୍ର ଦେବ ଏହି ଅଭିଶାପରୁ ମୁକ୍ତି ପାଇବା ଲାଗି ଏହି ସ୍ଥାନରେ ଏକ ଶିବଲିଙ୍ଗ ସ୍ଥାପନ କରିଥିଲେ l

କିନ୍ତୁ ଏହାର ଇତିହାସକୁ ଯଦି ଆମେ ଦେଖିବା ତେବେ ୧୯୮୦ ମସିହାରେ ସ୍ୱାମୀ ଶମ୍ଭୁ ଶିବ ମୂର୍ତ୍ତି ଏହି ମନ୍ଦିରଟିକୁ ତିଆରି କରିଥିଲେ l ପ୍ରଥମଥର ପାଇଁ ୧୯୮୦ ମସିହାରେ ଏଠାରେ ଏକ ଶିବଲିଙ୍ଗ ସ୍ଥାପନ କରାଯାଇଥିଲା l ଏହାପରେ ଧୀରେ ଧୀରେ ଏଠାରେ ଏବେ କୋଟିରୁ ଅଧିକ ଲିଙ୍ଗ ସ୍ଥାପନା ହୋଇ ସାରିଛି l ଏଠାରେ ସର୍ବ ବୃହତ ଶିବଲିଙ୍ଗ ରହିଛି ଯାହାର ଲମ୍ବ ୩୦ ମିଟର l ଏହି ଲିଙ୍ଗ ନିକଟରେ ଏକ ବିରାଟକାୟ ନନ୍ଦୀ ମଧ୍ୟ ସ୍ଥାପନା କରାଯାଇଛି ଯାହାର ଉଚ୍ଚତା ୧୦ ମିଟର ରହିଛି l
ତେବେ ଏକ କୋଟି ଶିବଲିଙ୍ଗ ସହିତ ମନ୍ଦିର ପରିସର ମଧ୍ୟରେ ବିଭିନ୍ନ ଦେବତାମାନଙ୍କ ପାଇଁ ପ୍ରାୟ ଏକାଦଶ ମନ୍ଦିର ଅଛି l ସେଥିମଧ୍ୟରୁ ପ୍ରଭୁ ବିଷ୍ଣୁ, ଭଗବାନ ବ୍ରହ୍ମା ଏବଂ ଭଗବାନ ମହେଶ୍ୱର ମନ୍ଦିର ମଧ୍ୟ ଅନ୍ତର୍ଭୁକ୍ତ ।

ଏହି ମନ୍ଦିରରେ ଦିନକୁ ଦିନ ଶିବଲିଙ୍ଗ ସଂଖ୍ୟା ବଢ଼ିବାରେ ଲାଗିଛି । ଲୋକେ ନିଜ ମାନସିକ ପୂରଣ ହେଲା ପରେ ଏଠାରେ ଶିବଲିଙ୍ଗ ସ୍ଥାପନା କରିବାରେ ବିଶ୍ୱାସ ରଖନ୍ତି । ଏହାର କାରଣ ହେଉଛି ଯେ ଏଠାକୁ ଆସୁଥିବା ଭକ୍ତମାନେ ସେମାନଙ୍କର କୌଣସି ମନସ୍କକାମନା ପୂର୍ଣ୍ଣ କରିବା ପାଇଁ ମାଗିଥାନ୍ତି ଏବଂ ଯେତେବେଳେ ସେମାନଙ୍କର ଇଚ୍ଛା ପୂରଣ ହୁଏ, ସେତେବେଳେ ସେମାନେ ନିଜ ନାମରେ ୧ ଫୁଟରୁ ୩ ଫୁଟ ପର୍ଯ୍ୟନ୍ତ ଏହି ଏକ ଶିବଲିଙ୍ଗ ଏଠାରେ ପ୍ରତିଷ୍ଠା କରନ୍ତି । କୋଟିଲିଙ୍ଗେଶ୍ୱର ମନ୍ଦିର ପରିସରେ ଥିବା ଦୁଇଟି ବୃକ୍ଷରେ ହଳଦିଆ ସୂତା ବାନ୍ଧିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି ।
ମହାଶିବରାତ୍ରୀ ଏଠାର ମୁଖ୍ୟ ପର୍ବ l ଖୁବ ଧୂମଧାମରେ ପାଳନ କରାଯାଏ ଏହି ପର୍ବ l ତେବେ ଏହି ମହାଶିବରାତ୍ରୀ ଅବସରରେ ଲକ୍ଷ ଲକ୍ଷ ଭକ୍ତ କେବଳ ଦେଶରୁ ନୁହେଁ ସମଗ୍ର ବିଶ୍ୱରୁ ଏହି ମନ୍ଦିରକୁ ଆସି ଭଗବାନ ଶିବଙ୍କୁ ପ୍ରାର୍ଥନା କର ଆଶୀର୍ବାଦ ଗ୍ରହଣ କରିଥାନ୍ତି