
ଭୁବନେଶ୍ୱର: ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଯେ’କୌଣସି ପ୍ରଶାସନର ପ୍ରମୁଖ ଦାୟିତ୍ୱ ଓ କର୍ତ୍ତବ୍ୟ । ଓଡ଼ିଶା ସରକାର ବି ତାହା କରୁଛନ୍ତି । ହେଲେ ଭୁବନେଶ୍ୱର ଭଳି କିଛି ସହର ତଳି ଗାଁରେ ବିଶୁଦ୍ଧ ପାଣି ମୁନ୍ଦେ ମିଳିବା ସ୍ୱପ୍ନ । ଏସବୁ ଗାଁଗୁଡ଼ିକରେ ଲୋକେ ବର୍ଷତମାମ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । କେବଳ ଗ୍ରୀଷ୍ମ ଋତୁରେ ନୁହେଁ, ଢୋ ଢୋ ବର୍ଷାରେ ବି ମିଳୁନି ଜଳ । ସ୍ଥିତି ଗମ୍ଭୀର । ସବୁ ଗାଁକୁ ପାଇପ୍ ଜଳ ସଂଯୋଗ ନଥିବାରୁ ଲୋକେ କୂଅ ଜଳ ଉପରେ ହିଁ ଭରସା କରିଛନ୍ତି । ସେଥିପାଇଁ ପ୍ରତି ପ୍ଲଟ୍ରେ ଲୋକେ ପାଣି ପାଇଁ କୂଅ ବା ଗଭୀର ନଳ କୂପ ଖୋଲିବାକୁ ବାଧ୍ୟ ହେଉଛନ୍ତି । ହେଲେ ପର୍ଯ୍ୟାପ୍ତ ବିଶୁଦ୍ଧ ପାଣି ମିଳିପାରୁନାହିଁ । ରାଜ୍ୟ ସରକାର ମିଶନ ମୋଡ୍ରେ ପାନୀୟ ଜଳ ଯୋଗାଣ ଉପରେ ଅଧିକ ଫୋକସ୍ ଦେଇଛନ୍ତି । ରାଜ୍ୟରେ ଜଳ ଯୋଗାଣ ସେବାର ମାନକୁ ଆନ୍ତର୍ଜାତୀୟ ମାନଦଣ୍ଡ ସହ ସମକକ୍ଷ କରିବା ପାଇଁ ସରକାର ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ କାର୍ଯ୍ୟକାରୀ କରିଛନ୍ତି । ପୁରୀ ଓ ଗୋପାଳପୁର ଏହି ଗୌରବ ହାସଲ କରିବାରେ ଭାରତର ପ୍ରଥମ ଓ ଦ୍ୱିତୀୟ ସହର ଭାବେ ପରିଗଣିତ ହୋଇଛନ୍ତି । ରାଜ୍ୟର ୨୧ଟି ସହରରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ୨୦୨୪ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ୪୦ ଲକ୍ଷ ସହରାଞ୍ଚଳବାସୀ ଉପକୃତ ହେବେ । ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ମିଶନ ମିଶନର କାର୍ଯ୍ୟ ୨୦୨୩ ଜୁନ୍ ସୁଦ୍ଧା ବ୍ରହ୍ମପୁରରେ ଏବଂ ଭୁବନେଶ୍ୱର, କଟକ ଓ ରାଉରକେଲା ସମେତ ଅବଶିଷ୍ଟ ସହରମାନଙ୍କରେ ୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହେବ । ୨୦୨୩-୨୪ ଆର୍ôଥକ ବର୍ଷରେ ସହରାଞ୍ଚଳ ଜଳ ଯୋଗାଣ ପାଇଁ ୧୪୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୨୦୨୨ରେ ସ୍ପେନରେ ଅନୁଷ୍ଠିତ ବିଶ୍ୱ ଜଳ ସମ୍ମିଳନୀରେ ୱାଟକୋ ଗ୍ଲୋବାଲ ୱାଟର ଲିଡର ଆୱାର୍ଡ଼ ପାଇବାର ଗୌରବ ହାସଲ ହୋଇଛି । ଯଦି ସହର ସଂଲଗ୍ନ ଗାଁରେ ଜଳ ସମସ୍ୟା ଦୂର କରାଯାଏ ତାହାଲେ ଲୋକେ ବହୁତ ଉପକୃତ ହୋଇପାରନ୍ତେ ।
ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସ୍ମାଟ୍ ସିଟି ଭୁବନେଶ୍ୱର ସହର ତଳି ଗାଁଗୁଡ଼ିକରେ କେବଳ ବିଶୁଦ୍ଧ ପିଇବା ପାଣି ନୁହେଁ ଡ୍ରେନେଜ୍ ଭଳି କିଛି ଆନୁସଂଗୀକ ସୁବିଧା ସୁଯୋଗ ନାହିଁ କହିଲେ ଚଳେ । ବର୍ଷା ହେଲେ ରାସ୍ତା କାହୁଅରେ ପଚ ପଚ । କଲୋନୀ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି । କିଛି ଗାଁରେ ପାଇପ୍ ସଂଯୋଗ ହୋଇଛି, ଅଥଚ ପାଣି ବାହାରୁନାହିଁ । ଆଉ କିଛି ଗାଁରେ ପାଣି ଆସୁଥିଲେ ହେଁ ଆବଶ୍ୟକତା ମେଣ୍ଟାଇ ପାରୁନାହିଁ । ତେଣୁ ଗାଁଗୁଡ଼ିକ କେଉଁ କୂଳରେ ହେଉ ନାହାନ୍ତି । ସହର-ଗାଁର ଦୋ’ଛକିରେ ରହି କାହାର ବି ପୂର୍ଣ୍ଣ ସୁବିଧା ପାଉନାହାନ୍ତି । ଭୁବନେଶ୍ୱର ମହାନଗର ସଂଲଗ୍ନ ତଳି ଅଞ୍ଚଳରେ ପ୍ରାୟ ୧୨୨ରୁ ଅଧିକ ଗାଁର ଲୋକେ ବହୁ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେସବୁ ଗାଁଗୁଡ଼ିକରେ ମଧ୍ୟରେ ବାଙ୍କୁଆଳ, କେସୁରା, କୋରଡ଼ କଣ୍ଟା, ଦୂର୍ଗାପୁର ପାଟଣା- ବାସୁଆଘାଇ, ଲିଙ୍ଗିପୁର, ଶିଶୁପାଳ, ଧଉଳୀ,ସତ୍ୟଭାମାପୁର, ଅଲାରପୁର, ବଡ଼ଧାନପୁର, ରଥିଜମା, କାମେନା, ଦୀପାମାଳ, ପାଞ୍ଚଗାଁ, ଅନ୍ଧାରୁଆ, ଦାରୁଠେଙ୍ଗ ଓ ନୂଆଗାଁ ଅନ୍ୟତମ ।
ରାଜଧାନୀରେ ଜମିର ମୂଲ୍ୟ ବହୁ ଅଧିକ ହୋଇଥିବାରୁ ସହର ତଳିଗାଁଗୁଡ଼ିକର ଗୁରୁତ୍ୱ ବଢ଼ିଛି । ସେଠାରେ ଲକ୍ଷାଧିକ ସଂଖ୍ୟାରେ ଲୋକେ ବାଧ୍ୟହୋଇ ସ୍ଥାୟୀ ଘର କରି ରହୁଛନ୍ତି । ପଞ୍ଚାୟତ ଇଲାକାରେ ଗାଁଗୁଡ଼ିକ ହୋଇଥିଲେ ହେଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ବିନା ଅନୁମତିରେ ଘର କରିବା କଥା ନୁହେଁ । କିଛି ଘର ମାଲିକ କରିଥିଲେ ହେଁ ଅନ୍ୟମାନେ ଅନୁମତି ନେଉନାହାନ୍ତି । ଏପରିକି ସ୍ପର୍ଶକାତର ଇଲାକାରେ ବି ଘର ତୋଳା ଚାଲିଛି । ଏସବୁ ଇଲାକାରେ ଶତାଧିକ ଆପାର୍ଟମେଣ୍ଟ ନିର୍ମାଣ ହୋଇଥିବାର ଦୃଷ୍ଟିଗୋଚର ହେବ । ସେସବୁ ଆପାଟମେଣ୍ଟଗୁଡ଼ିକ ବଡ଼ ମେସିନ ଲଗାଇ ଭୂତଳ ଜଳ ଶୋଷି ଦେଉଛନ୍ତି । ଫଳରେ ଆକଳନ ଅନୁସାରେ ଭୂବନେଶ୍ୱର ଚତୁôଃପାଶ୍ୱର୍ରେ ରହୁଥିବା ପ୍ରାୟ ଚାରିରୁ ପାଞ୍ଚ ଲକ୍ଷ ଲୋକ ନିଜ ଘରର ପାଣି ପାଉପାରୁନାହାନ୍ତି । ସ୍ଥାୟୀ ଯୋଜନା ବି କିଛି ନାହିଁ । ଘରୋଇ ଲୋକଙ୍କ ଘରକୁଡ଼ିକ ଖୁନ୍ଦି ହୋଇଯାଉଥିବାରୁ ରାସ୍ତା ଅଣ ଉସାରିଆ ହୋଇ ରହିଛି ।
ଡ୍ରେନେଜ୍ ସୁବିଧା ନାହିଁ କି ପିଇବା ପାଣି ଯୋଗାଣ ବ୍ୟବସ୍ଥା ନାହିଁ । ରାଜ୍ୟ ସରକାର ଭୁବନେଶ୍ୱର ବ୍ଲକ୍ ଅନ୍ତର୍ଗତ ଏସବୁ ଇଲାକାରେ କମ୍ପ୍ରେହେନସିପ୍ ଡେଭଲପ୍ମେଣ୍ଟ ପ୍ଲାନ୍(ସିଡିପି) କରି ସ୍ଥାନ ଚିହ୍ନଟ କରି ସୁଦ୍ଧା ତାହା ଦୀର୍ଘ ବର୍ଷରୁ କାର୍ଯ୍ୟକାରୀ ହୋଇପାରିନାହିଁ । ଏଥିଯୋଗୁୂଁ ସବୁକିଛି ଳଟକି ରହୁଛି । ଲୋକେ କିଛି ବି ସୁବିଧା ପାଇପାରୁନାହାନ୍ତି । ସ୍ଥାନୀୟ ବିଧାୟକ ଓ ସରପଞ୍ଚମାନଙ୍କୁ ଜଣାଇଷଲ ସେମାନେ ପ୍ରତିଶ୍ରୁତିର ଅବିର ବାଣ୍ଟି ଖସି ଯାଉଛନ୍ତି । କିଛି ସମସ୍ୟାର ସମାଧାନ ନ କରି ଅଧିକାଂଶ ନିଶରେ ଘିଅ ମାରି ବୁଲୁଥିବା ଅଭିଯୋଗ ହେଉଛି । ତେଣୁ ଯୋଜନାବଦ୍ଧ ସହର ବିକୃତ କଳେବର ନ ହେଉ । ଭୁବନେଶ୍ୱରର ସଂପ୍ରସାରଣକୁ ନଜର ଦେଇ ନୂଆ ଖସଡ଼ା ପ୍ରସ୍ତୁତ କରାଯାଉ । ପାନୀୟ ଜଳ ଭଳି ରାସ୍ତା ଓ ଡ୍ରେନେଜି ଭଳି ସବୁ ସମସ୍ୟାର ସମାଧାନ କରାଯାଉ ବୋଲି ଭିନ୍ନ ମହଲରୁ ଦାବି ହୋଇଛି ।