ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଅଧିକାଂଶ ସମୟରେ ବିରୋଧୀ ଦଳର ବିଧାୟକ ନିର୍ବାଚିତ ହେବାର ପରମ୍ପରା ରହିଛି । ମାତ୍ର ୨୦୧୯ ନିର୍ବାଚନରେ ସେଠାରେ ପ୍ରଥମ ଥର ପାଇଁ ଖାତା ଖୋଲିଥିଲା ବିଜେଡି । ବିଜେଡି ପ୍ରାର୍ଥୀ ସ୍ୱର୍ଗତଃ କିଶୋର ମହାନ୍ତି ବାଜିମାତ କରିଥିଲେ । ହେଲେ ତାଙ୍କ ଦେହାନ୍ତ ପରେ ପୁଣି ଥରେ ଉପନିର୍ବାଚନ ଦେଖିଥିଲା ବ୍ରଜରାଜନଗର । ଯେଉଁଥିରେ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ବିଜେଡି ଟିକେଟରେ ରେକର୍ଡ ବ୍ୟବଧାନରେ ବିଜୟୀ ହୋଇଥିଲେ । କିନ୍ତୁ ଏବେ ଲୋକଙ୍କୁ ଆଶ୍ୱାସନା ଦେବାକୁ ଏଠି ନେତା ନାହାନ୍ତି । ଉପନିର୍ବାଚନରେ ବିଜୟୀ ହୋଇଥିବା ବିଜେଡିର ଅଳକା ମହାନ୍ତି ଦିବଙ୍ଗତ ସ୍ୱାମୀ କିଶୋର ମହାନ୍ତିଙ୍କ ସଂଗଠନ ଭରସାରେ ରହିଥିବା ଆଲୋଚନା ହେଉଛି ।
ଅବଶ୍ୟ ଅଳକା ନିର୍ବାଚନ ମଣ୍ଡଳୀ ବୁଲାବୁଲି କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି, କିନ୍ତୁ କିଶୋର ମହାନ୍ତିଙ୍କ ପରେ ଦଳରେ ଅଳକାଙ୍କ ସ୍ଥିତି ଯେ ବେଶ ସୁଦୃଢ଼ ତାହା କୁହାଯାଇପାରିବନାହିଁ । ଅଳକା ଦଳୀୟ କର୍ମୀ ଓ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ନିକଟରେ ଅନେକ ସମୟରେ ପହଞ୍ଚିପାରୁ ନ ଥିବା ଆଲୋଚନା ହେଉଛି । ହେଲେ ବିଜେଡିରୁ ଅକଳା ଯଦି କୌଣସି କାରଣରୁ ଟିକେଟ୍ ପାଇବାରୁ ବଞ୍ଚିତ ହୁଅନ୍ତି, ତାହା ହେଲେ ଦଳ କାହାକୁ ପ୍ରାର୍ଥୀ କରିବ, ତାହା କହିବା ମୁସ୍କଲ । ଝାରସୁଗୁୂଡା ଜିଲ୍ଲା ରାଜନୀତିରେ କିଶୋର ଲିଗାସିକୁ ବଞ୍ଚାଇ ରଖିବା ପାଇଁ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିବା ଲାଗି ତଳ ସ୍ତରରୁ ଚାପ ପଡିବା ନିଶ୍ଚିତ । ଏଭଳି ସ୍ଥିତିରେ ଦଳ ପାଇଁ ବେଶ ଚ୍ୟାଲେଞ୍ଜ ସୃଷ୍ଟି କରିଛି ନୂଆ ମୁହଁ ।
ଯଦି ଅଳକା ବାଦ ପଡନ୍ତି ତାହା ହେଲେ ବିଶ୍ୱନାଥ ନାୟକ ଓ ପୂର୍ବପୌରାଧ୍ୟକ୍ଷ ନନ୍ଦ କିଶୋର ଅଗ୍ରଫ୍ୱାଲଙ୍କ ଦଳ ସୁଯୋଗ ଦେଇପାରେ । ସେପଟେ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା କିଶୋର ପଟେଲଙ୍କ କଥା ଯଦି ଦେଖିବା, ତେବେ ଗ୍ରାଉଣ୍ଡରେ ଉଭୟଙ୍କୁ ସେତେ ବେଶୀ ଦେଖିବାକୁ ମିଳୁନି । ବିଜେପି ଓ କଂଗ୍ରେସର ନେତୃତ୍ୱ ନେବାକୁ ଏଠାରେ କେହି ନାହାନ୍ତି କହିଲେ ଚଳେ । ଏଭଳି ପରିସ୍ଥିତିରେ ଆଗାମୀ ନିର୍ବାଚନରେ ୩ ପ୍ରମୁଖ ଦଳ ନୂଆ ଏଜେଣ୍ଡା ସହ ନୂଆ ମୁହଁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇପାରନ୍ତି ବୋଲି ମଧ୍ୟ ଆକଳନ ହେଉଛି ।