
ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପରିସ୍ଥିତି ଆକଳନ କରିବା ପାଇଁ ବାଙ୍ଗିରିପୋଷିର ମହୁଲବାରେଳି ଏବଂ ସାରସପୋଷି ପରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେ ସନ୍ଧ୍ୟା ସୁଦ୍ଧା ପୀଡିତଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି କ୍ଷୟକ୍ଷତି ସମୀକ୍ଷା ସମୟରେ ରାଜସ୍ବ ମନ୍ତ୍ରୀଙ୍କ ସହ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ ।
କୁଆପଥରଝଡ଼ ଯୋଗୁଁ ପ୍ରାଥମିକ ଆକଳନ ଅନୁସାରେ ଜିଲ୍ଲାର ବାଙ୍ଗିରିପୋଷି, ବିଶୋଇ, କୁଳିଅଣା, ସାରସକଣା ଏବଂ କରଞ୍ଜିଆ ବ୍ଲକର ୧୯ଟି ଗ୍ରାମପଞ୍ଚାୟତର ୪୭ଟି ଗାଁର ପ୍ରାୟ ୪,୭୭୫ ଜଣ ଲୋକ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି ।ବାତ୍ୟା ଦ୍ବାରା ୩୫୦ଟି କଚ୍ଚା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ, ଏହା ଆଉ ୧୧ଟି କଚ୍ଚା ଘର ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି ଏବଂ ୨୯୫ଟି ଆଂଶିକ ଭାବରେ ନଷ୍ଟ ହୋଇଛି । ୪ଟି ଗୁହାଳ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
ବିଦ୍ୟୁତ୍, ଜଳ ଯୋଗାଣ ଏବଂ ରାସ୍ତା ମଧ୍ୟ ପ୍ରଭାବିତ ହୋଇଛି । ପ୍ରଭାବିତଙ୍କୁ ସହାୟତା କରିବା ପାଇଁ ସରକାର ରିଲିଫ୍ କେନ୍ଦ୍ର ଖୋଲିଛନ୍ତି । ସେମାନେ ଲୋକମାନଙ୍କୁ ଏହି ନିରାପଦ ସ୍ଥାନଗୁଡ଼ିକୁ ସ୍ଥାନାନ୍ତର କରିଛନ୍ତି । ଘର ହରାଇଥିବା ଲୋକଙ୍କୁ ପ୍ରଶାସନ ତରଫରୁ ୧୨୭ଟି ପଲିଥିନ୍ ରୋଲ୍ ପ୍ରଦାନ କରାଯାଇଛି । ଆହତମାନଙ୍କୁ ଶୀଘ୍ର ଚିକିତ୍ସା କରିବା ପାଇଁ ୫ଟି ଡାକ୍ତରୀ ଦଳ ଏବେ କାମ କରୁଛନ୍ତି ।