 
        ଭୁବନେଶ୍ଵର: ଦିନକୁ ଦିନ ବଢୁଛି ତାତି। ସହରର ତାପମାତ୍ରା ୪୦ ଡିଗ୍ରୀକୁ ଛୁଇଁଲାଣି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ଦେଖିବାକୁ ମିଳୁଛି। ଜନସାଧାରଣ ପ୍ରବଳ ଗରମରେ ଶୀତଳ ପାନୀୟ ଜଳ ପାଇଁ ଫ୍ରିଜ୍ ଓ ୱାଟର୍ ଚିଲର୍ ଉପରେ ନିର୍ଭର କରୁଥିବା ବେଳେ ସହରର ନିମ୍ନ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକମାନେ ପାରମ୍ପାରିକ ମାଟି ପାତ୍ର ଉପରେ ନିର୍ଭର କରୁଛନ୍ତି। ତେଣୁ ସହରରେ ମାଟିରେ ନିର୍ମିତ ସୁରେଇ ଓ ମାଠିଆ ଆଦି ସାମଗ୍ରୀର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଏହାଛଡ଼ା କଲିକତି ମାଟି ହାଣ୍ଡିର ଆଦର ଗ୍ରାହକଙ୍କ ମଧ୍ୟରେ ବେଶ୍ ରହିଛି। ସହରର ବିଭିନ୍ନ ସ୍ଥାନରେ ଥିବା ହାଣ୍ଡି ମାଠିଆ ଦୋକାନରେ ମାଟି ପାତ୍ର ସବୁ ବିକ୍ରି ହେଉଛି।
ମୁଣ୍ଡଫଟା ଖରା ଓ ଅସହ୍ୟ ଗରମ ସମୟରେ ମନ ଖୋଜି ଥାଏ ଟିକେ ଥଣ୍ଡା ପାଣି । କେବଳ ଫ୍ରିଜ ପାଣି ନୁହେଁ ଏବେ ଗରମ ଦିନରେ ଖୋଜା ପଡୁଛି ମାଟି ସୁରେଇ ପାଣି । ଆଜିବି ମାଟି ସୁରେଇର ଚାହିଦା ରହିଛି । ଲୋକଙ୍କ ଆଧୁନିକତା ଛାପ ମଧ୍ୟରେ ଯଦିଓ କିଛି ଲୋକ ମାଟି ପାତ୍ର ବ୍ୟବହାର କରୁନାହାନ୍ତି । କିନ୍ତୁ ଏବେବି ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଅନେକ ଲୋକ ମାଟି ସୁରେଇ ପସନ୍ଦ କରିଥାନ୍ତି । ପୂର୍ବରୁ ଘରେ ଘରେ ମାଟି ପାତ୍ରରେ ପାଣି ରଖିବା ଏକ ସାଧାରଣ କଥା ଥିଲା । କିନ୍ତୁ ଆଜି ଦିନରେ ଫ୍ରିଜ୍ ଓ ଆକ୍ୱାଗାର୍ଡ ସହ ଅନେକ ଲୋକ ମାଟି ପାତ୍ରକୁ ଅପାଣାଉଛନ୍ତି । ଯାହା ଗରମ ସମୟରେ ପାଣି ପାଇବା ଏକ ପ୍ରକାରର ଅମୃତ ସେବନ ଭଳି ଅନୁଭବ ହେଇଥାଏ । ଆଉ ଏବେ ଖରାଦିନ ଚାଲିଥିବା ବେଳେ ମାଟି ସୁରେଇର ମଧ୍ୟ ଚାହିଦା ବଢ଼ିଛି ।
ଏନେଇ ବେପାରିଙ୍କ କହିବା ଅନୁସାରେ, ଦିନକୁ ଦିନ ମାଟି ପାତ୍ରର ଚାହିଦା ବୃଦ୍ଧି ପାଉଛି । କିନ୍ତୁ ଏପଟେ ମାଟି ସମସ୍ୟା ରହିଛି । ଅନେକ ସମୟରେ ମାଟି ପାତ୍ର ପ୍ରସ୍ତୁତ କରାଯାଉଥିବା ମାଟି ମିଳିବା କଷ୍ଟକର ହୋଇପଡୁଛି । ଘରେ ଘରେ ଫ୍ରିଜ ଏବଂ ଆକ୍ୱାଗାର୍ଡ ରହିଥିଲେ ମଧ୍ୟ ମାଟି ପାତ୍ରକୁ ଅଧିକ ପସନ୍ଦ କରୁଛନ୍ତି । ଏଥିରୁ ପାଣି ପାଇବା ଦ୍ଵାରା ଅନେକ ସମୟରେ ନିରୋଗ ହେବାର ସମ୍ଭାବନା ରହିଥାଏ । ବିଶେଷ ଭାବରେ ମାଟି ସୂରେଇ, ଜଗ, ମାଟି ପାଣି ବୋତଲ ଆଦି ପ୍ରସ୍ତୁତ କରି ରଖାଯାଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ବିକ୍ରି କରାଯାଉଛି ।
ପ୍ରଥମେ ଚିକିଟା ମାଟିକୁ ସ୍ୱଳ୍ପ ବାଲି ମିଶାଇ ଚକଟାଯାଇ ପାଗ କରାଯାଏ। ତା’ପରେ କୁମ୍ଭାର ଚକରେ ମାଟି ପିଣ୍ଡୁଳାକୁ ଥୋଇ ବିଭିନ୍ନ ଆକୃତିର ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ। ଏହାପରେ ପ୍ରସ୍ତୁତ ହୋଇଥିବା କଞ୍ଚା ମାଟିର ପାତ୍ରକୁ ଉଆ ଭାଟିରେ ରଖାଯାଇ କାଠ ଦ୍ୱାରା ପୋଡ଼ାଯାଇ ବିଭିନ୍ନ ସାମଗ୍ରୀ ତିଆରି କରାଯାଇଥାଏ। ସାଧାରଣତଃ ମାଟିର ଧର୍ମ ହେଉଛି ଜୀବାଣୁ ନଷ୍ଟ କରିବା। ପୋଡ଼ା ମାଟି ପାତ୍ରରେ ଜଳ ରଖିଲେ ତାହା ବିଶୁଦ୍ଧ ହୋଇଥାଏ ଏବଂ ଥଣ୍ଡା ମଧ୍ୟ ରହିଥାଏ। ଖରାଦିନେ ମାଟି ପାତ୍ରରେ ପାଣି ପିଇବା ଚାହିଦା ସେଥିଲାଗି ବୃଦ୍ଧି ପାଇଛି। ତେଣୁ ଜନସାଧାରଣ ମାଠିଆ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।
 
         
         
        