
ଭୁବନେଶ୍ଵର: ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ମାନସିକ ଚାପଗ୍ରସ୍ତ ରହୁଛନ୍ତି । ଏହି ଚାପରୁ ସମ୍ପୂର୍ଣ୍ଣ ମୁକ୍ତ ହେବା ସମ୍ଭବ ନୁହେଁ । କିନ୍ତୁ ଏହି ମାନସିକ ଚାପ ଅଧିକ ବଢିଲେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ । ତେଣୁ ଏହାକୁ କମ୍ କରିବାକୁ ହେଲେ ଖାଦ୍ୟଭ୍ୟାସ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଜରୁରୀ । ବିଶେଷଜ୍ଞଙ୍କ ଅନୁସାରେ, ଗୋଲାପ ପାଖୁଡାର ଚା’ ସେବନ କଲେ ଏହି ଚାପ କେତେକାଂଶରେ କମ୍ ହୋଇପାରେ । ଗୋଲାପ ପାଖୁଡାରେ ଭରପୂର ଭିଟାମିନ ଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ଏଥିରେ ଥିବା ଭିଟାମିନ ସି, ଫେନୋଲିକ ଯୌଗିକ, କ୍ୟାରୋଟିନାଏଡ, ଟୋକୋଫେରୋଲ, ବାୟୋଫ୍ଲାଭୋନଏଡ, ଟାନିନ୍, ପେକଟିନ ଭଳି ତତ୍ତ୍ବ ରହିଛି, ଯାହା ମାନସିକ ଚାପ ହ୍ରାସ କରିବାରେ ପ୍ରଭାବଶାଳୀ । ଏନେଇ ନ୍ୟାସଲାନ ଲାଇବ୍ରେରୀ ଅଫ ମେଡିସିନ ବିଶେଷଜ୍ଞର ଏକ ଟିମ୍ ଜଣାଇଛନ୍ତି ।
ଗୋଲାପ ପାଖୁଡାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଏହା ଶରୀରରେ ଫ୍ରି ରାଡିକଲ୍ସ ହଟାଇବାରେ ସାହାଯ୍ୟ କରେ । ଏଥିରେ ଥିବା ଭିଟାମିନ ଏ ଓ ସି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଗୋଲାପ ପାଖୁଡାରେ ଫ୍ଲାବୋନଏଡ ଥାଏ । ଏହା ସ୍ନାୟୁପ୍ରଣାଳୀ କାର୍ଯ୍ୟକାରିତାରେ ସୁଧାର ଆଣେ । ପ୍ରତିଦିନ ଏକରୁ ଦୁଇ କପ ଗୋଲାପ ଚା ପିଇଲେ ହଜମ ପ୍ରକ୍ରିୟା ଠିକ୍ ରହେ । ଓଜନ ନିୟନ୍ତ୍ରଣରେ ମଧ୍ୟ ସହାୟକ ହୁଏ । ଗୋଲାପ ଚା ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି କରିଥାଏ । ଅତିରିକ୍ତ ଚର୍ବି କମାଇବାରେ ସାହାଯ୍ୟ କରେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଚା ହରମୋନ ସନ୍ତୁଳନ ମଧ୍ୟ ବଜାର ରଖେ । ଗୋଲାପ ଚାରେ କମ୍ କ୍ୟାଲୋରୀ ଥାଏ ଯାହାକି ଓଜନ ନିୟନ୍ତ୍ରଣ ପାଇଁ ଲାଭଦାୟକ । ଏଥିରେ ଥିବା ଭିଟାମିନ ଓ ଫାଇବର ଭୋକ ନିୟନ୍ତ୍ରଣ କରିଥାଏ । ଅର୍ଥାତ୍ ଅଧିକ ସମୟ ଯାଏଁ ଭୋକ ଲାଗେନି । ପେଟ ଭର୍ତ୍ତି ରହିବା ଭଳି ଅନୁଭବ ହେବା ଯୋଗୁଁ ଜଙ୍କଫୁଡ ଓ ଅଏଲି ଫୁଡ ଖାଇବାର ଇଚ୍ଛା କମିଯାଏ । ତେବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଗୋଲାପ ଚା’ ।
ଆବଶ୍ୟକୀୟ ସାମଗ୍ରୀ
କ୍ଷୀର ୩ କପ୍, ଚା’ ପତି ୩ ଚାମଚ, ଚିନି ୩ ଚାମଚ, ଗୁଜୁରାତି ୩ଟି, ଅନାସି ଫୁଲ ଗୋଟିଏ, କାଜୁ ୧୦ଟି, ବାଦାମ ୧୦ଟି, ଗୋପାଲ ପାଖୁଡା ପେଷ୍ଟ ଦୁଇ ଚାମଚ, ପାଣି ୨ କପ୍ ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ପୂର୍ବରୁ ପାଣି ଭିଜା ଯାଇଥିବା କାଜୁ ଓ ପିସ୍ତାବଦାମକୁ ଗ୍ରାଇଣ୍ଡ କରି ପେଷ୍ଟ ବନାନ୍ତୁ । ଏବେ ଗ୍ୟାସରେ ଏକ ପାତ୍ର ବସାଇ ଦୁଇ ଗ୍ଲାସ ପାଣି ଗରମ କରନ୍ତୁ । ଏଥିରେ ଚା’ ପତି, ଗୋଲାପ ପାଖୁଡା ପେଷ୍ଟ, ଗୁଜୁରାତି ମିଶାଇ ଭଲ ଭାବେ ଫୁଟାନ୍ତୁ । ଏହି କାଢାକୁ ଏକ ପାତ୍ରକୁ ଛାଣି ରଖନ୍ତୁ । ବର୍ତ୍ତମାନ ଆଉ ଏକ ପାତ୍ରରେ କ୍ଷୀର ଗରମ କରନ୍ତୁ । ଏଥିରେ ଚିନି ମିଶାନ୍ତୁ । କ୍ଷୀର ଫୁଟିଲେ ଏଥିରେ କାଜୁ ବାଦାମ ପେଷ୍ଟ ମିଶାଇ ଭଲ ଭାବେ ଗୋଳାନ୍ତୁ । ଆଉ ୨-୩ ମିନିଟ୍ କ୍ଷୀର ଫୁଟିଲା ପରେ ଏଥିରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା କାଢା ମିଶାଇ ଗୋଳାନ୍ତୁ ଏବଂ ୫ ମିନିଟ୍ ଫୁଟିବାକୁ ଛାଡନ୍ତୁ । ମିନିଟ୍ ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଗୋଲାପ ଚା’ । ଏକ ଗ୍ଲାସରେ ଏହି ଚା’କୁ ଛାଣି ପିଅନ୍ତୁ ।