
ମଣିପୁରରେ ଦୁଇ ମହିଳାଙ୍କୁ ସର୍ବସମ୍ମୁଖ ରେ ଉଲଗ୍ନ କରି ପ୍ରଦର୍ଶନ କରାଇବା ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତଙ୍କ ଘରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି। ମଣିପୁରର ଏହି ଭିଡିଓ ଭାଇରାଲ ହେବା ପରେ ସାରା ଦେଶବାସୀଙ୍କ ମନରେ କ୍ରୋଧର ନିଆଁ ଜଳୁଛି। ଏହି ଘଟଣାକୁ ନେଇ ବର୍ତ୍ତମାନ ଅଭିଯୁକ୍ତଙ୍କ ନିଜ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଖୋଲାଖୋଲି ଭାବେ ଅଭିଯୁକ୍ତଙ୍କୁ ବିରୋଧ କରୁଛନ୍ତି।
ସୂଚନା ଅନୁସାରେ, ଦୁଇ ମହିଳାଙ୍କୁ ଉଲଗ୍ନ କରି ସେମାନଙ୍କ ସହ ନୁରସିଂହ କାଣ୍ଡ ଘଟାଇଥିବା ଲୋକମାନେ ମେତଇ ସମ୍ପ୍ରଦାୟର ଥିଲେ ଏବଂ ଯେଉଁମାନେ ମୁଖ୍ୟ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି, ସେମାନେ ମଧ୍ୟ ମେତଇ ସମ୍ପ୍ରଦାୟର ଅଟନ୍ତି ।
ଏହି ଲଜ୍ଜାଜନକ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ, ହୁରେମ୍ ହେରୋଦାସ। ଯେତେବେଳେ ହେରୋଦାସଙ୍କ ଘର ଆଖପାଖରେ ରହୁଥିବା ଲୋକେ ଘଟଣା ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସେମାନେ ତାଙ୍କ ଘର ଜାଳିଦେବାକୁ ପହଞ୍ଚିଥିଲେ। ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ଘର ନୋଙ୍ଗପୋକ ସେକମାଇ ଥାନା ଅଧୀନରେ ରହିଅଛି । ଗୁରୁବାର ଅପରାହ୍ନରେ ଉତ୍ତ୍ୟକ୍ତ ପଡ଼ୋଶୀମାନେ ଏକାଠି ହୋଇ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବାର ଜଣାପଡିଛି ।
ମେ’ ୩ରେ ମଣିପୁରରେ ମେତଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ଆରମ୍ଭ ହୋଇଥିଲା। ହିଂସାରେ ଅନେକ ଲୋକ ମଧ୍ୟ ପ୍ରାଣ ହରାଇଥିଲେ। ଏହାର ପରଦିନ ଅର୍ଥାତ୍ ମେ’ ୪ରେ ମେତଇ ସମ୍ପ୍ରଦାୟର ଲୋକେ କୁକି ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ଏକ ଗାଁରେ ପ୍ରଦର୍ଶନ କରି ସେମାନଙ୍କୁ ବୁଲାଇଥିଲେ। ଏତିକି ନୁହେଁ, ସେମାନଙ୍କ ସହିତ ଜଘନ୍ୟ କାଣ୍ଡ ମଧ୍ୟ ଘଟାଇଥିଲେ। ଦୁଇ ମାସ ପରେ ଯେତେବେଳେ ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହୋଇଛି, ସାରା ଦେଶବାସୀ ତାଙ୍କ ମନରେ କ୍ରୋଧର ନିଆଁରେ ଜଳୁଛନ୍ତି। ଏବଂ ଅଭିଯୁକ୍ତ କୁ ମୃତ୍ୟୁ ଦଣ୍ଡ ମିଳୁ ବୋଲି କହୁଛନ୍ତି l