
ସରକାରୀ ବଙ୍ଗଳାରେ ରହିବାକୁ ମନା କଲେ ରାହୁଲ ସରକାରୀ ବଙ୍ଗଳାରେ ରହିବାକୁ ମନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲୋକସଭା ସାଂସଦ ହିସାବରେ ତାଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳାରେ ରହିବାକୁ ରାହୁଲ ଗାନ୍ଧୀ ମନା କରିଦେଇଛନ୍ତି । ତେବେ ସାଂସଦ ପଦ ଫେରିପାଇବା ପରେ ତାଙ୍କୁ ଲୋକସଭା ହାଉସିଂ ସୋସାଇଟି ପକ୍ଷରୁ ୧୨ ତୁଗଲକ ଲେନ୍ ସ୍ଥିତ ବଙ୍ଗଳା ଯୋଗେଇ ଦିଆଯାଇଥିଲା । ହେଲେ ଉକ୍ତ ଘରେ ରହିବାକୁ ମନା କରିବା ସହିତ, ଏନେଇ ସେ ହାଉସିଂ ସୋସାଇଟିକୁ ଚିଠି ମଧ୍ୟ ଲେଖିଛନ୍ତି । ସୂଚନା ଅନୁସାରେ , ମୋଦୀ ସାଙ୍ଗିଆ ମାମଲାରେ ଗତ ମାର୍ଚ୍ଚ ୨୪ ତାରିଖରେ ସୁରତ କୋର୍ଟଙ୍କ ରାୟ ଆସିବା ସହିତ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେଇଥିଲେ । ଏଥିରେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ପାଇଁ ସଜ୍ଜା ଶୁଣାଇଥିଲେ । ଏହାପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହେବା ସହିତ ତାଙ୍କୁ ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବାକୁ ପଡିଥିଲା । ହେଲେ ନିକଟରେ ପୁନଶ୍ଚ ଏନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ସହିତ ରାହୁଲ ପୁଣି ନିଜ ସାଂସଦ ପଦ ଫେରିପାଇଥିଲେ । ରାହୁଲ ଗାନ୍ଧୀ ନିଜର ଲୋକସଭା ସଦସ୍ୟତା ଫେରିପାଇବା ପରେ ଗତ ଅଗଷ୍ଟ ୮ ତାରିଖରେ ଲୋକସଭା ହାଉସିଂ ସୋସାଇଟି ପକ୍ଷରୁ ତାଙ୍କୁ ବଙ୍ଗଳା ଆଲର୍ଟ କରିଦିଆଯାଇଥିଲା । ଆଉ ସେତେବେଳେ ଏନେଇ ରାହୁଲଙ୍କୁ ପ୍ରଶ୍ନ କରାଯିବାରୁ, ସେ ସାରା ହିନ୍ଦୁସ୍ଥାନ ତାଙ୍କ ଘର ବୋଲି ଜବାବ ଦେଇଥିଲେ ଏବଂ ସେ ଏପରି କୌଣସି ସରକାରୀ କୋଠାରେ ରହିବେ ନାହିଁ ବୋଲି କହିଥିଲେ l ଏନେଇ ରାହୁଲ ଏବେ ହାଉସିଂ ସୋସାଇଟିକୁ ଚିଠି ମଧ୍ୟ ଲେଖିଛନ୍ତି ।