
ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ହେଲା ଲଘୁଚାପ କ୍ଷେତ୍ର। ଗତକାଲି ସନ୍ଧ୍ୟାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ ଆଜିଠୁ ଆଗାମୀ ୩ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜିଠୁ ୨୭ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଚଳିତ ମୌସୁମୀ ଋତୁରେ, ୧ ଜୁନ୍ରୁ ୨୪ ଜୁଲାଇ ସୁଦ୍ଧା ରାଜ୍ୟରେ ୪୦୮ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ଵାଭାବିକ ବର୍ଷା ୪୬୬.୭ ମିମି ତୁଳନାରେ ୧୩ ପ୍ରତିଶତ କମ । ଏହି ଅବଧି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୯୬.୮ ମିମି ବର୍ଷା ରେକର୍ଡ ହୋଇଛି ।

ରାଜ୍ୟର ୬ଟି ଜିଲ୍ଲାକୁ ଆଜି ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି ହେଇଥିବ ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଓ ପୁରୀ ।
ସେହିପରି ଅନ୍ୟ ୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କଟକ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗିର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣିଜମିବା ସମ୍ଭାବନା ରହିଛି l ସେଥିପାଇଁ ତଳିଆ ଅଞ୍ଚଳର ଲୋକମାନଙ୍କ ନିମନ୍ତେ ସତର୍କ ସୂଚନା ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ ସମୁଦ୍ର ମଧ୍ୟ ଅଶାନ୍ତ ରହିବ । ଏହି ସମୟରେ ପ୍ରାୟ ୪୫ ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି l ତେଣୁ ୨୫ ତାରିଖ ରୁ ୨୭ ତାରିଖ ମଧ୍ୟରେ ମତ୍ସଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ l