
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵରରେ ହେବାକୁ ଯାଉଚି ନୂଆ ଦୁଇଟି ପାଦଚଲା ଓଭର୍ ବ୍ରିଜ୍। ରାଜଧାନୀକୁ ମିଳିବ ଦୁଇଟି ନୂଆ ଫୁଟ୍ ଓଭର ବ୍ରିଜ୍ । ଗୋଟିଏ ସତସଙ୍ଗ ବିହାର ଓ ଅନ୍ୟଟି ପଳାଶୁଣୀରେ ହେବ । ଏହା ସହିତ ପଳାଶୁଣୀ ଠାରେ ଚାଲିଥିବା ଫ୍ଲାଏ ଓଭର ବ୍ରିଜ ଚଳିତ ବର୍ଷ ଡିସେମ୍ବର 31 ସୁଦ୍ଧା ଶେଷ ହେବାର ଯୋଜନା ରହିଛି । ସେହିପରି ସତସଙ୍ଗ ବିହାରଠାରେ ଥିବା ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାମ ଅଗଷ୍ଟ ପହିଲାକୁ ଆରମ୍ଭ ହେବ । ଅତ୍ୟଧିକ ଯାନବାହାନ ଚଳାଚଳ କରୁଥିବା ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଏହି ଦୁଇଟି ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରାଯାଉଛି । ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ପଳାଶୁଣୀ ଫ୍ଲାଏ ଓଭର ବ୍ରିଜ ନିର୍ମାଣରେ ବିଳମ୍ବ ହେଉଥିଲେ ହେଁ ଏବେ ସମସ୍ୟା ଦୂର ହୋଇଛି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ।
ଏହା ସହିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରୁଥିବା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ 6462 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗାଡି ଯିବା ପାଇଁ 30 ଟି ବାଇପାସ, 9ଟି ଫ୍ଲାଏ ଓଭର ବ୍ରିଜ, 4 ଟି ଫୁଟ ଓଭର ବ୍ରିଜ ଏବଂ କ୍ୟାପିଟାଲ ରିଜିଅନ୍ ରିଂ ରୋଡ୍ ରହିଛି । ମୁଁ ବ୍ୟକ୍ତିଗତ ଭାବେ ସମସ୍ତ ପ୍ରକଳ୍ପର ଅଗ୍ରଗତିକୁ ଅନୁଧ୍ୟାନ କରୁଛି, ଯାହାଫଳରେ ଗୁଣାତ୍ମକ ଏବଂ ନିର୍ଦ୍ଧାରିତ ସମୟରେ କାମ ଶେଷ ହୋଇପାରିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଥିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ଭୁବନେଶ୍ୱରର ଭିତ୍ତିଭୂମିରେ ଉନ୍ନତି ଆଣିବ ଏବଂ ଏହାକୁ ଏକ ସୁରକ୍ଷିତ ଏବଂ ଅଧିକ ବାସଯୋଗ୍ୟ ସହରରେ ପରିଣତ କରିବ । ରାଜଧାନୀ କୁ ଅଧିକ ଉନ୍ନତ କରିବା ପାଇଁ ସାଂସଦଙ୍କ ପୁରା ପ୍ରାୟାସ ରହିଛି।