
• ସ୍ୱାଧୀନତାର ୭୫ ବର୍ଷ ବିତିବା ପରେ ମଧ୍ୟ ବାଲ୍ୟବିବାହ ଏବେ ବି ଉଜ୍ଜୀବିତ ହୋଇ ରହିଛି।
• ଏବେବି ଓଡ଼ିଶାରେ ଏପରି କିଛି ସ୍ଥାନ ରହିଛି ଯେଉଁଠି ବାଲ୍ୟବିବାହ ହେଉଛି ସେମାନଙ୍କର ପ୍ରଥା ଓ ପରମ୍ପରା।
• ଏ ହେଉଛି କେଉଁଝର ଜିଲ୍ଳାର ତେଲକୋଇ ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତରେ ଥିବା ମଲ୍ଲାର ସାହିର ମଲ୍ଲାର ସମ୍ପ୍ରଦାୟର କାହାଣୀ।
• ୧୦- ୧୨ ବର୍ଷରୁ ଝିଅକୁ ବିବାହ କରିବା ଏମାନଙ୍କ ସମ୍ପ୍ରଦାୟର ପ୍ରଥା ।
• ୧୫ ବର୍ଷ ହୋଇଗଲେ ଝିଅଟି ପାୟେ ବୁଢ଼ୀର ଅକ୍ଷା ଓ କେହି ଆଉ ବିବାହ କରିବା ପାଇଁ ରାଜି ହୁଅନ୍ତି ନାହିଁ।
*ବାଲ୍ୟ ବିବାହ ଏଠି ପରମ୍ପରା*
*୧୦ ବର୍ଷରୁ ଝିଅ ସାଜୁଛି ଏଠି ବୋହୂ*
କେଉଁଝର: ସ୍ଵାଧୀନତାର ୭୫ବର୍ଷ ବିତି ସାରିଥିଲେ ମଧ୍ୟ ଆଜି ବି ବାଲ୍ୟ ବିବାହ ପରି ପ୍ରଥା ଉଜ୍ଜୀବିତ ହୋଇ ରହିଛି। ଯେଉଁ ବୟସରେ ଖେଳିବା କି ପଢ଼ିବା କଥା ସେଇ ବୟସରେ ବାହାଘରର ବନ୍ଧନରେ ବାନ୍ଧି ହେଉଛି ଝିଅ । କିଏ ୧୨ ବର୍ଷ ତ କିଏ ୧୩ ବର୍ଷରେ ବାହା ହେବା ରହିଛି ଏଠାରେ ନିୟମ। ୧୫ ବର୍ଷ ପୂରିଲା ବେଳକୁ ଆଉ କେହି ପ୍ରାୟତଃ ବାହା ହେବାକୁ ନଥାନ୍ତି। ବାଲ୍ୟ ବୟସ ବିବାହ ହେତୁ କେତେକ ଅଳ୍ପ ବୟସରେ ବିଧବା ହୋଇ ଦୁଃଖରେ ଜୀବନ ଅତିବାହିତ କରିଥାନ୍ତି । ବାଲ୍ୟ ବିବାହ ଏଠାକାର ପରମ୍ପରା ଓ ସଂସ୍କୃତି। ବାଲ୍ୟ ବିବାହ ଆଇନ ବିଷୟରେ ମଧ୍ୟ ଏମାନେ ଜାଣନ୍ତି ନାହିଁ । ତେଣୁ ଏମାନଙ୍କ ପାଖରେ ସରକାରଙ୍କ ନୀତି ନିୟମ ବି ବିଫଳ ହୋଇଛି । ଏ ହେଉଛି କେଉଁଝର ଜିଲ୍ଳାର ତେଲକୋଇ ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତରେ ଥିବା ମଲ୍ଲାର ସାହିର ମଲ୍ଲାର ସମ୍ପ୍ରଦାୟର କାହାଣୀ। ଏହି ଘଟଣା ଆଚମ୍ବିତ କରୁଥିଲେ ମଧ୍ୟ ନିରାଟ ସତ୍ୟ । ଏଠାରେ ପ୍ରାୟ ୨୫ରୁ ଅଧିକ ପରିବାର ବସବାସ କରନ୍ତି। ଜଙ୍ଗଲରୁ ଝୁଣା, ମହୁ ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ମଲ୍ହାର ସମ୍ପ୍ରଦାୟରେ ବାଲ୍ୟ କାଳ ବିବାହ ହେଉଛି ପ୍ରଥା ଆଉ ପରମ୍ପରା। ଏହି ସମ୍ପ୍ରଦାୟର ପିଲା ମାନଙ୍କର ୧୦ ବର୍ଷ ହେଇଗଲେ ବିବାହ କରିଥାନ୍ତି। ବିଦ୍ୟାଳୟରେ ପଢ଼ିବା ପାଇଁ କେତେକ ନାମ ଲେଖାଇଥନ୍ତି ସତ କିନ୍ତୁ କେବେ ପଢ଼ିବା ପାଇଁ କେହି ଯାଇନାହାନ୍ତି। ଏହି ବୟସରେ ବାପା ମା ଝିଅର ବାହାଘର ପାଇଁ ବ୍ୟସ୍ତ ବିବ୍ରତ ହୋଇଯାଆନ୍ତି। ୧୨ କି ୧୩ ବର୍ଷ ହୋଇଗଲେ ବିବାହ ସୁନିଶ୍ଚିତ। ୧୫ ବର୍ଷର ଝିଅ ଯଦି ଅବିବାହିତ ରହିଛି ତାହେଲେ ସେ ହୋଇଗଲା ଏବଂ ଆଉ ବିବାହ ହେବା ସମ୍ଭବ ନୁହେଁ ବୋଲି ଲୋକେ କୁହନ୍ତି। ଏଠାକାର ପ୍ରଥା ଓ ପରମ୍ପରା ଅନୁଯାୟୀ ପ୍ରଥମ ବର୍ଷ ବର ପକ୍ଷରୁ ଝିଅକୁ ଦେଖିବାକୁ ଆସିଥାନ୍ତି। ପସନ୍ଦ ହେଲେ ବର ପକ୍ଷରୁ କନ୍ୟା ଘରକୁ କିଛି ଉପହାର ଦେଇଥାନ୍ତି। ପରବର୍ଷ କନ୍ୟା ଘରକୁ ବର ପକ୍ଷରୁ ୪ ହଜାର ଟଙ୍କାର ପଣ ଦିଆଯାଏ ଓ ଏଥିସହିତ ବାହାଘର ନିମନ୍ତେ ଗାଁର ସମାଜକୁ ୫ ଶହ ଟଙ୍କାର ପଣ ଦିଆଯାଏ । ଏହା ପରେ ବର ବିବାହ କରି ନିଜ ସହ କନ୍ୟାକୁ ନେଇଯାଇଥାଏ।