
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଅନେକ ସ୍ଥାନରେ ଜାରି ରହିଛି ମୌସୁମୀ ଜନିତ ବର୍ଷା । ରବିବାର ଦିନ ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆଜି ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଜିଠୁ ଆସନ୍ତାକାଲି ଯାଏଁ ୮ଟି ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବରଗଡ଼ ଓ ଦେବଗଡ଼ ଆଦି ଜିଲ୍ଲାର କେତେକାଂଶରେ ପ୍ରବଳ ବର୍ଷା, ବିଜୁଳି, ଘଡଘଡି ର ସମ୍ଭାବନା ରହିଛି ।

ଅନ୍ୟପଟେ ୧୧ ତାରିଖ ଦିନ ବର୍ଷାର ବିସ୍ତୃତି ବଢିବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଚଳିତ ମୌସୁମୀ ଋତୁରେ ଜୁନ ୧ରୁ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଠାରୁ ୨୫ ପ୍ରତିଶତ କମ୍ ବର୍ଷା ହୋଇଛି । ରାଜ୍ୟର ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିଲା ବେଳେ ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ତେବେ କଳାହାଣ୍ଡିରେ ସବୁଠାରୁ କମ୍ ବର୍ଷା ହୋଇଥିବା ବେଳେ ଦେବଗଡ଼ରେ ସବୁଠୁ ଅଧିକ ବର୍ଷା ହୋଇଛି ।