
ଝାରସୁଗୁଡ଼ା: ଗତ ଜାନୁଆରୀ ମାସର ବୋହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଶୁଣାଣି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଆଜି ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ୱାର ଜେଲରୁ ଆଣି ଝାରସୁଗୁଡା ଅଦାଲତରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ଜେଏମଏଫସିଙ୍କ ଅଦାଲତରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ ଅନୁଯାୟୀ ଅଭିଯୁକ୍ତ ଗୋପାଳ ବିରୋଧରେ ଚାର୍ଜଫ୍ରେମ ଶେଷ ହୋଇଛି। ମାମଲାର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକରୁ ଅଧିକ କଡାକଡି କରାଯାଇଥିଲା। ହେଲେ ମାତ୍ର ୧୦ ମିନିଟ୍ ଭିତରେ ହିଁ ଗୋପାଳର ଏହି ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଯାଇଥିଲା । ପରବର୍ତ୍ତୀ ଶୁଣାଣି ତାରିଖ ଏବେ ଧାର୍ଯ୍ୟ କରାଯାଇନାହିଁ । ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧି ଛକରେ ଫାୟରିଂ କରି ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ ।

ଦୁଇ ରାଉଣ୍ଡ ଗୁଳିମାଡ଼ରେ ଟଳି ପଡ଼ିଥିଲେ ନବ ଦାସ । ଘଟଣାସ୍ଥଳରେ ହିଁ ଅଭିଯୁକ୍ତକୁ କାବୁ କରିଥିଲା ପୋଲିସ। ଗୁଜରାଟରେ ପଲିଗ୍ରାଫ ଟେଷ୍ଟ ଓ ନାର୍କୋ ଟେଷ୍ଟ କରାଯିବା ସହ ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ତଦନ୍ତକାରୀ ଟିମ୍ । ଘଟଣାଟିକୁ ମାସ ପରେ ମାସ ଏପରି ୫ ମାସ ବିତିଯାଇଥିଲେ ମଧ୍ୟ ଏଯାଏଁ କ୍ରାଇମବ୍ରାଞ୍ଚ୍ ଟିମ୍ ରହସ୍ୟର ପରଦା ଉଠାଇ ପାରିନାହିଁ । କ’ଣ ଥିଲା ଗୋପାଳର ଉଦ୍ଦେଶ୍ୟ, କାହିଁକି ଗୁଳି କରିଥିଲା ମନ୍ତ୍ରୀ ନବ ଦାସଙ୍କୁ , ଏହା ପଛରେ ଆଉ କାହାର ହାତ ଥିଲା କି ନାହିଁ , ଏସବୁ ନେଇ ଏବେ ବି ରହିଛି ପ୍ରଶ୍ନବାଚୀ।