
ଯାଜପୁର ଦଶରଥପୁର ବ୍ଳକ କମାରଡିହି ପଞ୍ଚାୟତ ବଳରାମପୁର ଠାରେ ଧସିଲା ବୈତରଣୀ ନଦୀବନ୍ଧ । ତେବେ ସେଠାକାର ବାସିନ୍ଦା ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏଠାରେ ଏକ ୫୦ ଫୁଟ ଲମ୍ବର ନଦୀ ବନ୍ଧ ଧସିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ହିଁ ଅଘଟଣର ଅନୁମାନ କରୁଥିଲେ ଗ୍ରାମବାସୀ । ଏପରିକି ବନ୍ଧ ପାଖରେ ଥିବା ପଥର ଓ ବଡ଼ ବଡ଼ ଗଛ ନଦୀ ଭିତରକୁ ଚାଲି ଯାଇଛି । ଫଳରେ ଆଖପାଖ ଅଞ୍ଚଳର ଗ୍ରାମବାସୀ ମଧ୍ୟ୍ୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଚଳିତ ବର୍ଷ ବୈତରଣୀ ନଦୀବନ୍ଧ ସୁଦୃଢ଼ି କରଣ ପାଇଁ ଜଳସମ୍ପଦ ବିଭାଗ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ତେବେ କେଉଁ କାରଣରୁ ବନ୍ୟା ସମୟରେ ଏଭଳି ଅଘଟଣ ଘଟିଲା ତାହାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରତିବର୍ଷ ନଦୀ ବନ୍ଧ ମରାମତି ନାମରେ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ସ୍ଥଳେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ନଦୀ ବନ୍ଧ ଧସି ଯିବାର ପ୍ରମୁଖ କାରଣ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବନ୍ଧ ନିର୍ମାଣ ସମୟରେ ନିମ୍ନମାନର କାର୍ଯ୍ୟ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଜଳ ସମ୍ପଦ ବିଭାଗ ଏଥିପ୍ରତି ଧ୍ୟାନ ନଦେବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ନିକଟରେ ଦତପୁର ଠାରେ ମଧ୍ୟ ୧୦୦ ଫୁଟ୍ ଲମ୍ବର ନଦୀବନ୍ଧ ଧସିଥିଲା । ତଥାପି ଜଳ ସମ୍ପଦ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଦେଖିବାକୁ ମିଳିଛି । ସେଥିପାଇଁ ପୁନଶ୍ଚ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡୁଛି l ତେବେ ଲଘୁଚାପ ଯୋଗୁଁ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି l ଅପରପକ୍ଷରେ ଏପରି ପରିସ୍ଥିତିରେ ନଦୀବନ୍ଧ ଧସିଥିବାରୁ ବନ୍ୟା ସଙ୍କଟ ନେଇ ଗ୍ରାମବାସୀ ଏବେ ଖୁବ ଚିନ୍ତିତ l