
ବେଶ୍ କିଛି ଦିନ ହେବ ଚର୍ଚ୍ଚାରେ ଝାରସୁଗୁଡା ବାସୀ । କେତେବେଳେ ଆଇନଶୃଙ୍ଖଳାକୁ ନେଇ ତ ପୁଣି କେତେବେଳେ ଉପନିର୍ବାଚନ ଝୁଙ୍କକ ନେଇ । ଝାରସୁଗୁଡା ବାସୀ ମଧ୍ୟ ୨୦୨୨-୨୩ ଅନେକ କଥା ଦେଖିଥିବା ବେଳେ , ଏବେ ଦେଖିବେ ଉପନିର୍ବାଚନ ଲଢେଇ । ସାଧାରଣ ନିର୍ବାଚନ ପାଇଁ ସମସ୍ତ ଦଳ ସଜବାଜ ହେଉଥିବା ବେଳେ ଆଲୋଚନା ହେଉଛି ଉପନିର୍ବାଚନ ସ୍ଥିର କରିବ ୨୪ ଭାଗ୍ୟ । ଝାରସୁଗୁଡା ବଢୁଛି ଝାରସୁଗୁଡା ଉପ-ନିର୍ବାଚନ ତାତି । ବିଜେଡି ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।
ହେଲେ ବିଜେପି କି କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ । ତଥାପି ଜାରି ରହିଛି ରାଜନୈତିକ ବୟାନବାଜି । ବିଜେଡିକୁ ବଳ ଦେବାକୁ ମାଷ୍ଟରପ୍ଲାନ କରୁଛନ୍ତି ସାରଦା ନାୟକ । ବିଜେଡି ପକ୍ଷରୁ ଗଡ ବଜାୟ ରଖିବା ପାଇଁ ବଳ କଷୁଛନ୍ତି ଝାରସୁଗୁଡା ପର୍ଯ୍ୟବେକ୍ଷକ ସାରଦା ନାୟକ । ବିଜେଡି ବହୁମତ ସହ ବିଜୟ ହାସଲ କରିବ ବୋଲି ସେ ଦାବି କରିଛନ୍ତି । ସେପଟେ ବିଜେପି ବାଜିମାତ କରିବା ନେଇ ଚର୍ଚ୍ଚା ଜୋରଧରିଛି । ଦୁର୍ନୀତି, ଭ୍ରଷ୍ଟାଚାର ଓ ନବ ଦାସ ହତ୍ୟା ମାମଲାକୁ ପ୍ରସଙ୍ଗ କରି ବିଜେଡିକୁ ଘେରିବ ବୋଲି ଯୋଜନା ରଖିଛି ବିଜେପି । ଏହାରି ଭିତରେ ଦୀପାଳି ଦାସ ବିଭିନ୍ନ ସ୍ଥାନ ବୁଲି ନିର୍ବାଚନୀ ପ୍ରଚାର କରୁଛନ୍ତି । ମହିଳା କାର୍ଡ ସହ ଅନୁକମ୍ପା ଭୋଟ୍ ହାତେଇ, ଝାରସୁଗୁଡାରେ ବିଜେଡି ବାଜି ମାରିବ ବୋଲି ଦଳ ଯୋଜନା ରଖିଛି ।
ସେପଟେ ଝାରସୁଗୁଡାରେ ସକ୍ରିୟ ଥିବା ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି । ନାଁ ଘୋଷଣା ନ ହୋଇଥିଲେ ବି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରଚାର କରିବା ଆରମ୍ଭ କରି ଦେଇଛନ୍ତି ବରିଷ୍ଠ ବିଜେପି ନେତା । ତେବେ ରାଜନୈତିକ ପାଣିପାଗ ବଦଳୁଥିବା ବେଳେ ଆଗକୁ ଝାରସୁଗୁଡାରେ କିଏ ବାଜିମାତ କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।