ଦୁଇ ଏମ୍ଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଚର୍ଚ୍ଚାରେ ଦୁହିଁଙ୍କ ଭେଟଘାଟ । ରାଜ୍ୟ ବିଜେପିର ନବନିଯୁକ୍ତ ସଭାପତି ମନମୋହନ ସାମଲ ଦଳର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିିଛନ୍ତି । ଏହି ସମୟରେ ଉଭୟ ନେତାଙ୍କ ମଧ୍ୟରେ ବେଶ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା କୁହାଯାଉଛିି । ଆଗକୁ ୨୦୨୪ ନିର୍ବାଚନ ଥିବାରୁ ମାର୍ଗଦର୍ଶନ ଦେଇଛନ୍ତି ନମୋ । ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ରକୁ ପାଥୟେ କରି ୨୪ ନିର୍ବାଚନ ବୈତରଣୀ ପାର କରିବାକୁ ରୋଡମ୍ୟାପ୍ ପ୍ରସ୍ତୁତ କରିବେ ମନମୋହନ ।
ତେବେ ଏନେଇ ମନମୋହନ ଟ୍ୱିଟ୍ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ବେଶ୍ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ତାଙ୍କର ବହୁ ମୂଲ୍ୟ ସମୟ ସହ ମାର୍ଗଦର୍ଶନ ଦେଇଥିବାରୁ କୃତଜ୍ଞତା ଜଣାଉଛି । ମୋର ବିଶ୍ୱାସ ପିଏମ୍ ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶ ସମୃଦ୍ଧିର ଶିଖର ଚଢ଼ିବା ସହ ସବୁବେଳେ ହସିବ । ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ୱ ନେବାର ୨ ସପ୍ତାହ ମଧ୍ୟରେ ମନମୋହନ ସାମଲ୍ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦଳର ଅନ୍ୟ ଶୀର୍ଷ ନେତୃତ୍ୱଙ୍କୁ ଭେଟି ସଂଗଠନ ବିଷୟରେ ଆଲୋଚନା କରିଥିବା କୁହାଯାଉଛି । ବିଜୟ ମହାପାତ୍ରଙ୍କ ଭଳି ଦଳରୁ ଦୂରେଇ ରହିଥିବା ବରିଷ୍ଠ ନେତାଙ୍କୁ କିଭଳି ଦଳରେ ସାମିଲ୍ କରାଯିବ, ସେନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ମନମୋହନ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ସାଧାରଣ ନିର୍ବାଚନକୁ ପାଖାପାଖି ବର୍ଷେ ବାକିଥିବା ବେଳେ ଦଳ କିଭଳି ୨୦୧୯ ଅପେକ୍ଷା ଭଲ ପ୍ରଦର୍ଶନ କରିବ ସେନେଇ ମନମୋହନ ଆଲୋଚନା କରିଛନ୍ତି ।
ତେବେ ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ସଭାପତି ପରିବର୍ତ୍ତନ ହୋଇଛନ୍ତି । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନ ସାମଲଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ଆଗକୁ ଝାରସୁଗୁଡା ଉପନିର୍ବାଚନ ରହିଥିବା ବେଳେ ଯାହା ମନମୋହନଙ୍କ ପାଇଁ ଏସିଡ୍ ଟେଷ୍ଟ ହେବାକୁ ଯାଉଛି । ସେହିପରି ମନମୋହନଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଲଢିବ ରାଜ୍ୟ ବିଜେପି । ୨୪ ନିର୍ବାଚନ ଐତିହାସିକ ହେବା ସହ ଓଡିଶାବାସୀଙ୍କର ଆଶୀର୍ବାଦ ଓ ସହଯୋଗ ବଳରେ ପରିଶ୍ରମ କରି ବିକଳ୍ପ ସରକାର ଗଢିବାକୁ ଦୃଢୋକ୍ତି ବାଢିଛନ୍ତି ମନମୋହନ । ଦଳରେ ଗୋଷ୍ଠୀ ବିବାଦ ଥିବା ବେଳେ ସମସ୍ତଙ୍କୁ ମ୍ୟାନେଜ କରି ଓଡିଶାରେ ପଦ୍ମ ଫୁଟାଇବା ମନମୋହନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବାକୁ ଯାଉଛି ।