
ଗତ କାଲି ଠାରୁ ଚନ୍ଦ୍ରୟାନ-୩ ମିଶନ ର କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ।ତେବେ ସମଗ୍ର ଦେଶ ଚନ୍ଦ୍ରୟାନ-୩ର ସଫଳ ଉତକ୍ଷେପଣକୁ ଅପେକ୍ଷା କରିଛି । ଆଜି ଲଞ୍ଚ ହେବାକୁ ଥିବା ଏହି ଚନ୍ଦ୍ରୟାନ-୩ର ବିଜୟ କାମନା କରି ବିଶ୍ଵପ୍ରସିଦ୍ଧ ଆନ୍ତର୍ଜାତୀୟ ବାଲୁକା କଳାକାର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହି ଚନ୍ଦ୍ରୟାନ-୩ ର ଏକ ଚମତ୍କାର ବାଲୁକା କଳା ନିର୍ମାଣ କରିଛନ୍ତି। ପୁରୀ ବେଳାଭୂମିରେ କରିଥିବା ଏହି ଚମତ୍କାର ବାଲୁକା କଳାରେ ସେ ୫୦୦ ଟି ଇସ୍ପାତ ପାତ୍ର ବ୍ୟବହାର କରିଛନ୍ତି। ବାଲୁକା o ଇସ୍ପାତ ପାତ୍ରରେ ତିଆରି ଏହି ଚନ୍ଦ୍ରୟାନ-୩ ର ଲମ୍ବା ୨୨ଫୁଟ୍ ।ଏଥିରେ ସେ 15 ଟନ୍ ବାଲି ବ୍ୟବହାର କରିଛନ୍ତି । ବେଳାଭୂମିରେ “ବିଜୟ ଭବ” ବାର୍ତ୍ତା ଦେଇ ସେ ଶୁଭେଚ୍ଛା ଜଣାଇବା ସହ ଚନ୍ଦ୍ରୟାନ-୩ ର ବିଜୟକାମନା ମଧ୍ୟ କରିଛନ୍ତି। ଚନ୍ଦ୍ରାୟନ -3 ଆଜି ଅପରାହ୍ନ 2:35 ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଠାରୁ ଲଞ୍ଚ ହେବ ।
ଏହା ଜି-ଏସ୍-ଏଲ୍-ଭି ମାର୍କ ୩ ଦ୍ଵାରା ଲଞ୍ଚ କରାଯିବ । ଏଥର ଚନ୍ଦ୍ରୟାନ-୩ ଚନ୍ଦ୍ରରେ ଅବତରଣ କରିବା ପରେ ଏହା ଚନ୍ଦ୍ରପୃଷ୍ଠର ଉପର ସ୍ତର ମୃତ୍ତିକାର ଭୌତିକ ଗୁଣ ଉପରେ ଅନୁଧ୍ୟାନ କରିବ। ପୃଥିବୀରେ ଭୂକମ୍ପ ପରି ଚନ୍ଦ୍ରରେ କିପରି କମ୍ପନ ହୁଏ ତାହା ଉପରେ ଅନୁଧ୍ୟାନ କରିବ । ତା’ର ପୃଷ୍ଠୀୟ ପରିବେଶ ଓ ପୃଷ୍ଠୀୟ ଗାଠନିକ ଉପାଦାନଗୁଡ଼ିକ ଉପରେ ମଧ୍ୟ ବିଶ୍ଳେଷଣ କରିବ । ଭାରତର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ଏହା ତୃତୀୟ ପ୍ରୟାସ । ୨୦୦୮ରେ ଭାରତର ପ୍ରଥମ ମୁନ୍ ମିଶନ ଥିଲା ଚନ୍ଦ୍ରୟାନ-୧ । ଏଥିରେ କେବଳ ଏକ ଅର୍ବିଟର ଚନ୍ଦ୍ର ନିକଟକୁ ଯାଇ ତା ଚାରିପଟେ ବୁଲିଥିଲା । ଏହାପରେ ୨୦୧୯ରେ ଆଂଶିକ ସଫଳ ହୋଇଥିଲା ଇସ୍ରୋର ଚନ୍ଦ୍ରୟାନ-୨ ମିଶନ୍ । ଅର୍ବିଟର ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ସ୍ଥାପିତ ହୋଇଥିଲେ ବି, ଲ୍ୟାଣ୍ଡର୍ ବିକ୍ରମର ସଫ୍ଟଲ୍ୟାଣ୍ଡିଂ ସମ୍ଭବ ହୋଇପାରି ନଥିଲା । କ୍ରାଶ୍-ଲ୍ୟାଣ୍ଡିଂ ଯୋଗୁଁ ଅଧୁରା ରହିଯାଇ ଥିଲା ଚନ୍ଦ୍ରପୃଷ୍ଠରେ ରୋଭର୍ ଗଡ଼ାଇବା ସ୍ୱପ୍ନ । ହେଲେ ଆଜିର ଏହି ମୁନ୍ ମିଶନ ସଫଳତା ପାଇଁ ସମସ୍ତେ ଆଶା ରଖିବା ସହ ପ୍ରାର୍ଥନା ମଧ୍ୟ କରୁଛନ୍ତି।11:05 AM