
ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରୟାନ-୩ ଇସ୍ରୋ ପକ୍ଷରୁ ମିଳିଛି ପୁଣି ଏକ ଶୁଭ ଖବର l ମୁନ୍ ମିଶନରେ ଆଉ ପାଦେ ଆଗେଇଲା ଚନ୍ଦ୍ରୟାନ-୩ । ଆଜି ଭୋର ସମୟରେ ଲାଣ୍ଡରର ଦ୍ୱିତୀୟ ତଥା. ଶେଷ ଡିବୁଷ୍ଟିଂ ସଫଳତାର ସହ ସମ୍ପୂର୍ଣ ହୋଇଛି । ଚନ୍ଦ୍ରର ଆହୁରି ଅଧିକ ନିକଟତର ହୋଇଛି ଲାଣ୍ଡର ବିକ୍ରମ । ଏହାର ଗତି ଓ ଚନ୍ଦ୍ରପୃଷ୍ଠରୁ ଦୂରତା, ଉଭୟ କମିଛି। ଗୁରୁବାର ପ୍ରପଲସନ୍ ମଡ୍ୟୁଲରୁ ଅଲଗା ହୋଇଥିଲା ଲାଣ୍ଡର । ଏବେ ପ୍ରପଲସନ୍ ମଡ୍ୟୁଲ ପୃଥିବୀ ଚାରିପଟେ ମାସ ମାସ ଏପରିକି ବର୍ଷ ବର୍ଷ ମଧ୍ୟ ଘୂରି ବୁଲିବ ଓ ବାୟୁମଣ୍ଡଳ ସଂପର୍କରେ ତଥା ମେଘରୁ ଆସୁଥିବା ଆଲୋକର ପୋଲାରାଇଜେସନ ସଂପର୍କରେ ତଥ୍ୟ ସଂଗ୍ରହ କରିବ। ବର୍ତ୍ତମାନ ଲାଣ୍ଡର ୨୫ କିଲୋମିଟର × ୧୩୪ କିଲୋମିଟର କକ୍ଷପଥରେ ଚନ୍ଦ୍ରକୁ ପରିକ୍ରମା କରୁଛି। ବିଳମ୍ବିତ ରାତିରେ ଇସ୍ରୋ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି କକ୍ଷପଥରୁ ସିଧା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଲାଣ୍ଡର୍। ଦୁଇ ଦିନ ପୂର୍ବେ ଲାଣ୍ଡରର ପ୍ରଥମ ଡିବୁଷ୍ଟିଂ ହୋଇଥିଲା । ଆଜି ଦ୍ଵିତୀୟ ଡିବୁଷ୍ଟିଂ ସଫଳତାର ସହିତ ସମ୍ପୂର୍ଣ ହୋଇଛି l ଏବେ ରହିଲା ମୁନ୍ ମିଶନର ଶେଷ ଅଗ୍ନି ପରୀକ୍ଷା । ଆସନ୍ତା ୨୩ ତାରିଖରେ ଲାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲାଣ୍ଡିଂ କରିବ। ଓ ତା’ ଭିତରୁ ରୋଭର୍ ବାହାରି ୧୪ ଦିନ ଲାଗି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ । ୨୩ ତାରିଖରେ ପ୍ରାୟ ସନ୍ଧ୍ୟା ୫.୪୫ ସମୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ l ଏହି ୧୪ ଦିନ ବିଚାରଣ ସମୟରେ ଚନ୍ଦ୍ରପୃଷ୍ଠ କେଉଁ ପଦାର୍ଥରେ ତିଆରି ତାହା ଖୋଜିବ ରୋଭର୍ ପ୍ରଜ୍ଞା । ଏହାସହ ଜଳର ମଧ୍ୟ ସନ୍ଧାନ କରିବ। ସେପଟେ ତେବେ ଏବେ ଇସ୍ରୋ ସହିତ ସାରା ଦେଶ ଚନ୍ଦ୍ରୟାନ-୩ର ସଫଳ ଅବତରଣର ଅପେକ୍ଷାରେ l