
ଆଜି ଗଡିବନି ପୁରୀ –ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ । ଯାନ୍ତ୍ରିକ ତ୍ରୁଟି ଯୋଗୁ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସକୁ ସୋମବାର ବାତିଲ କରାଯାଇଛି । ଗତକାଲି କାଳବୈଶାଖୀ ବର୍ଷା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ଅଧା ବାଟରେ ଅଟକି ରହିଥିଲା । ଯାଜପୁର ଜିଲ୍ଲା ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅପରାହ୍ଣ ୪ଟା ୩୫ରୁ ଅଟକି ରହିଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍ ।
କାଳବୈଶାଖୀ ଯୋଗୁ ଗଛ ଭାଙ୍ଗି ତାର ଛିଡ଼ି ଯାଇଥିଲା । ଫଳରେ ଲୋକୋ ପାଇଲଟଙ୍କ ସାମ୍ନା ପଟ କାଚ ଭାଙ୍ଗି ଯାଇଥିଲା । ବନ୍ଦେ ଭାରତ ଏକ୍ସପ୍ରେସର ସମ୍ମୁଖ ଭାଗର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି । ରେଲୱେ ଅଧିକାରୀ ସେଠାରେ ପହଞ୍ଚି ମରାମତି ଆରମ୍ଭ କରିଥିଲେ ।
ଦକ୍ଷିଣ-ପୂର୍ବ ରେଲୱେ ପକ୍ଷରୁ କୁହାଯାଇଛି, ଗକତାଲି କାଳବୈଶାଖୀରେ ବନ୍ଦେ ଭାରତ ଏକ୍ସପ୍ରେସର କିଛି ଅଂଶ ଭାଙ୍ଗି ଯାଇଥିଲା । ଏହାର ମରାମତି ପାଇଁ ଆଜି ଟ୍ରେନକୁ ବାତିଲ କରାଯାଇଛି । ତେବେ ଏଥିରେ କାହାରି କିଛି କ୍ଷତି ହୋଇ ନ ଥିବା କୁହାଯାଇଛି ।
ସୂଚନାଥାଉ କି, ଗତକାଲି କାଳବୈଶାଖୀ ପରେ ବନ୍ଦେ ଭାରତ ଏକ୍ସପ୍ରେସ ରାତିରେ ଗନ୍ତବ୍ୟ ସ୍ଥଳରେ ନିର୍ଦ୍ଧାରିତ ସମୟଠାରୁ ୫ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା । ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସରେ ଯାନ୍ତ୍ରିତ ତ୍ରୁଟି ଦେଖା ଦେଇଥିବା ବେଳେ ସମ୍ପୂର୍ଣ୍ଣ ଅଟୋମେଟିକ୍ ଡୋର୍ ବିଦ୍ୟୁତ୍ ସମସ୍ୟା ଦେଖା ଦେଇଥିବାରୁ ଖୋଲୁ ନ ଥିଲା । ଫଳରେ ଟ୍ରେନ୍ ଭିତରେ ଥିବା ଯାତ୍ରୀ ଫସି ରହିଥିଲେ ।