ଆଜି ଭାରତ ନିଜର ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଦେଶ ପୁଣି ମନେ ପକାଇଛି ସେହି ମହାପୁରୁଷ ମାନଙ୍କୁ ଯେଉଁମାନେ ନିଜ ଜୀବନକୁ ବଳି ଦେଇ ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିଲେ । କିନ୍ତୁ ଭାରତ ପରି ଆଉ ୫ଟି ଦେଶ ମଧ୍ୟ ରହିଛି ଯେଉଁମାନେ ୧୫ ଅଗଷ୍ଟରେ ସ୍ୱାଧୀନତା ପାଇଥିଲେ ଏବଂ ଏହି ଦିନକୁ ସେମାନେ ସେମାନଙ୍କର ସ୍ୱାଧୀନତା ଦିବସ ଭାବେ ପାଳନ କରିଥାନ୍ତି । ସେହି ଦେଶ ଗୁଡ଼ିକ ହେଲେ ସାଉଥ କୋରିଆ, ନର୍ଥ କୋରିଆ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ବାହାରିନ୍ ଏବଂ ଲିକଣ୍ଟେଷ୍ଟିନ । ସାଉଥ କୋରିଆ: ୧୯୪୫ ମସିହା ଅଗଷ୍ଟ ୧୫ ତାରିଖରେ ସାଉଥ କୋରିଆ ଜାପାନଠାରୁ ସ୍ୱାଧୀନତା ପାଇଥିଲା । ୧୯୪୫ ମସିହାରେ, ଆମେରିକା ଏବଂ ସୋଭିଏତ୍ ସୈନ୍ୟମାନେ ମିଳିତ ଭାବରେ ୩୫ ବର୍ଷ ଧରି କୋରିଆକୁ ଜାପାନର ଦଖଲକୁ ସମାପ୍ତ କରିଥିଲେ ଏବଂ ଏହାକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ଘୋଷଣା କଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଏହି ଦିନ ୧୯୪୫ ରେ ଶେଷ ହୋଇଥିଲା। ନର୍ଥ କୋରିଆ: ସାଉଥ କୋରିଆ ଭଳି ନର୍ଥ କୋରିଆ ମଧ୍ୟ ୧୫ ଅଗଷ୍ଟ ୧୯୪୫ରେ ଜାପାନ ଠାରୁ ସ୍ୱାଧୀନତା ପାଇଥିଲା । ତେବେ ଏହି ଦିନଟିକୁ ନର୍ଥ କୋରିଆ ମଧ୍ୟ ନିଜ ସ୍ୱାଧୀନତା ଦିବସ ରୂପେ ପାଳନ କରେ l ବାହାରିନ୍: ୧୫ ଅଗଷ୍ଟ ୧୯୭୧ ରେ ବାହାରିନ୍ ମଧ୍ୟ ସ୍ୱାଧୀନତା ହାସଲ କରିଥିଲା । ଅବଶ୍ୟ ୧୯୬୦ରୁ ବ୍ରିଟିଶ ଶାସକ ବାହାରିନ୍ ଛାଡ଼ିବା ଆରମ୍ଭ କରିଥିଲେ । ଉନବିଂଶ ଶତାବ୍ଦୀରେ ବ୍ରିଟିଶ ଶାସନ ପୂର୍ବରୁ ମଧ୍ୟ ବାହାରିନ୍ ଆରବ ଏବଂ ପର୍ତ୍ତୁଗାଲ ସମେତ ଅନେକ ଦେଶ ଦ୍ୱାରା ଶାସିତ ହୋଇଥିଲା। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ: କଙ୍ଗୋ ୧୫ ଅଗଷ୍ଟ ୧୯୬୦ରେ ଫ୍ରାନ୍ସ ଠାରୁ ସ୍ୱାଧୀନତା ହାସଲ କରିଥିଲା । ସ୍ୱାଧୀନତା ପରେ ଫୁଲବର୍ଟ ୟୁଲୁ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ ଏବଂ ୧୯୬୩ ପର୍ଯ୍ୟନ୍ତ ଶାସନ କରିଥିଲେ। ଲିକଣ୍ଟେଷ୍ଟିନ: ୧୮୬୬ ମସିହାରେ ଜର୍ମାନ ଶାସକମାନଙ୍କଠାରୁ ବିଶ୍ୱର ସବୁଠାରୁ ଛୋଟ ଦେଶ ମଧ୍ୟରୁ ଗୋଟିଏ ଦେଶ ଲିକଣ୍ଟେଷ୍ଟିନ ଏହାର ସ୍ୱାଧୀନତା ଲାଭ କରିଥିଲା । କିନ୍ତୁ ୧୫ ଅଗଷ୍ଟରେ ଜାତୀୟ ଦିବସ ପାଳନ ୧୯୪୦ ରୁ ଆରମ୍ଭ ହୋଇଥିଲା । ୫ ଅଗଷ୍ଟ ୧୯୪୦ ରେ, ଲିକଣ୍ଟେଷ୍ଟିନ ସରକାର ଆନୁଷ୍ଠାନିକ ଭାବରେ ୧୫ ଅଗଷ୍ଟକୁ ଦେଶର ଜାତୀୟ ଦିବସ ଭାବରେ ଘୋଷଣା କରିଥିଲେ।