
ମହିଳାଙ୍କୁ ନଦୀକୁ ଟାଣି ନେଇ ଖାଇଦେଲା କୁମ୍ଭୀର । ଯାଜପୁର ଜିଲ୍ଲା ବରୀ ବ୍ଲକ ଅମଠପୁର ପଞ୍ଚାୟତ ପାଲଟପୁର ଗାଁରେ ଏହି ଅଘଟଣ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ସୂଚନା ଅନୁଯାୟୀ, ବରୀ ବ୍ଲକ ପାଲଟପୁର ଗାଁର ଅନାମ ଜେନାଙ୍କ ପତ୍ନୀ ଜୋତ୍ସାରାଣୀ ଜେନା ବିରୂପା ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ନଦୀରେ ଲୁଗା ସଫା କରିବା ବେଳେ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଥିଲା । ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । କିନ୍ତୁ ସେତେବେଳେକୁ କୁମ୍ଭୀରଟି ମହିଳାଙ୍କ ଶରୀର ଆଉ ଅଳ୍ପ କିଛି ଅଂଶ ଛାଡି ସବୁ ଖାଇ ଦେଇଥିଲା । କିଛି ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ମହିଳାଙ୍କ ମୃତଦେହ ଠାବ କରିଛି । ସେପଟେ ବିରୂପା ନଦୀରେ ବାରମ୍ବାର କୁମ୍ଭୀର ଆକ୍ରମଣକୁ ନେଇ ଭୟରେ ପୁରା ଅଞ୍ଚଳବାସୀ । କିଛି ଦିନ ତଳେ ଏହିପରି ଭାବେ ଆଉ ଜଣଙ୍କୁ ଟାଣିନେଇଥିଲା କୁମ୍ଭାରୀ । ଆଜି ପୁଣି ଜଣେ ମହିଳାଙ୍କୁ ଟାଣି ମାରି ଦେଇଛି । ମୃତ ମହିଳାଙ୍କ ବୟସ ୩୫ ବର୍ଷ ବୋଲି ଜଣାପଡ଼ିଛି । ତେବେ ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଥିବା ସତ୍ୱେ ଲୋକେ ସତର୍କ ହେଉ ନାହାନ୍ତି ଏବଂ ବାରମ୍ବାର କୁମ୍ଭୀର ମୁଁହରେ ଜୀବନ ଯିବାରେ ଲାଗିଛି l