
ହୃଦୟ ଫଟାଇ କାନ୍ଦୁଥିଲେ । କାରଣ ହୃଦୟ ଦେଇ ଭଲ ପାଉଥିଲେ । ଏସବୁ ଭିତରେ ଏତେ ଛଳନା ଥିବ ସେ କେବେ ବା କାହିଁକି ଭାବିବେ ? ଆଉ ଯେତେବେଳେ ଜାଣିଲେ ନିଜକୁ ସମ୍ଭାଳି ପାରି ନ ଥିଲେ। ଆଖିର ଲୁହ ବୋଲ ମାନୁ ନ ଥିଲା।କୋହ ଛାତି ଥରାଇ ବାହାରି ଆସୁଥିଲା। ମାଙ୍କୁ ଛାଡି ଏତେ ଦୁରକୁ ଯିବାକୁ ମନ କହୁ ନ ଥିଲା । କିନ୍ତୁ ପ୍ରତାରଣାର ଜହର ତାଙ୍କ ଆତ୍ମକୁ ଯେମିତି ବିଷାକ୍ତ କରି ଦେଇଥିଲା । ଶେଷ ନିଷ୍ପତି ନେବା ପୂର୍ବରୁ ମାଙ୍କୁ କ୍ଷମା ମାଗୁଥିଲେ । ଥରେ ନୁହେଁ, ବାରମ୍ବାର। ତାଙ୍କ ବିନା ମାଙ୍କ ଅବସ୍ଥା କଣ ହେବ ସେ ଭଲ ଭାବେ ଅନୁମାନ କରି ପାରୁଥିଲେ।
ୱେବ ସାମ୍ବାଦିକା ମଧୁମିତା ପରିଡାଙ୍କ ସନ୍ଦେହ ଜଣକ ମୃତ୍ୟୁ ଆଜି ରାଜଧାନୀବାସୀଙ୍କ ହୃଦୟକୁ ଓଦା କରିଦେଇଛି । ଜଣେ ସେନା ଅଧିକାରୀଙ୍କୁ ମନ ଦେଇ ସେ ଖୁବ ଗର୍ବ କରୁଥିଲେ । ତାଙ୍କ ପ୍ରେମରେ ଅନ୍ଧ ହୋଇ ଯାଇଥିଲେ। ନା ଅତୀତ ଖୋଜିଥିଲେ ନା ବର୍ତ୍ତମାନକୁ ଚାହିଁଥିଲେ । ବର୍ଷେ ବା ୨ ବର୍ଷ ନୁହେଁ, ୫ ବର୍ଷ ସମ୍ପର୍କରେ ରହିବା ପରେ ୪ ମାସ ତଳେ ବିବାହ କରି ନ ଥିଲେ। ହେଲେ ଘର କାନ୍ଥରୁ ବାହାଚିତା ଲିଭିନି, ପରିବାର ଲୋକେ ଝିଅର ଚିତାକୁ ମଶାଣିରେ ଜାଳି ଦେଇ ଆସିଛନ୍ତି ।
ମା ଝିଅର ଫୋଟୋକୁ ଧରି କୋହରି କୋହରି କାନ୍ଦୁଛନ୍ତି । ସେ ଆଖି..ହସ ମନେ ପଡି ଯାଉଛି । ଛାତି ଫାଟି ଯାଉଛି । ଗୋଟିଏ କଥା କହି ମଥା ପିଟୁଛନ୍ତି…ଆହା..ସେ ଠକକୁ ଛାଡି ପଳାଇ ଆସିବାକୁ କେତେ କହିଲି । ଶୁଣିଲାନି। ଶେଷରେ ମତେ କନ୍ଦାଇ ଚାଲିଗଲା..।
ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନା ଜଣେ ସେନା ଅଧିକାରୀ। ୫ ବର୍ଷ ଭଲ ପାଇବା ପରେ ମଧୁମିତଙ୍କ ବାହା ହୋଇଥିଲେ ।ଏହା ପୂର୍ବରୁ ବ୍ରହ୍ମପୁରର ଜଣେ ଝିଅଙ୍କୁ ବିବାହ କରିଥିଲେ। ତାଙ୍କ ସହ ଡିଭୋର୍ସ ହୋଇଥିଲା। ଖାଲି ସେତିକି ନୁହେଁ, ଅନେକ ଝିଅଙ୍କ ସହ ତାଙ୍କର ସମ୍ପର୍କ ଥିଲା । ହେଲେ ସେ ଏତେ ଚାଲାକର ସହ ଖେଳୁଥିଲେ ଯେ ୫ ବର୍ଷ ଭିତରେ ଏ ନେଇ କେବେ ବି ମଧୁମିତଙ୍କ ମନରେ ସନ୍ଦେହ ଆସି ନ ଥିଲା ।
ବିବାହର ୪ ଦିନ ପରେ ଶ୍ରୀଧରଙ୍କ ପ୍ରଥମ ବିବାହ ବିଷୟରେ ଜାଣିଥିଲେ ମଧୁମିତା । ହେଲେ କିଛି କରିବାର ଆଉ ବାଟ ନ ଥିଲା ।ବାହାଘର ପରେ ଭୁବନେଶ୍ୱର ଲିଂଗିପୁରରେ ରହି ମଧୁମିତା ଚାକିର କରୁଥିଲେ । କିଛିଦିନ ପରେ ଶ୍ରୀଧରଙ୍କ ଅସଲ ରୂପ ବୋଧହୁଏ ତାଙ୍କ ସାମ୍ନାକୁ ଆସି ଯାଇଥିଲା ।ତଥାପି ଶ୍ରୀଧରଙ୍କୁ ନେଇ ସଂସାର ଗଢିବାର ସ୍ବପ୍ନ ତାଙ୍କ ଆଖିରୁ ଉତୁରି ନ ଥିଲା। ସେଥିପାଇଁ ବାପା-ମାଙ୍କ କଥା ଶୁଣି ନ ଥିଲେ କି ଶ୍ରୀଧରଙ୍କୁ ଛାଡି ଯାଇ ନ ଥିଲେ । ସେ ଜଳୁଥିଲେ ପ୍ରତି ମହୂର୍ତ୍ତରେ ..ତଥାପି ଆଶା ଛାଡି ନ ଥିଲେ । ନା ପାଇ ପାରୁଥିଲେ ପ୍ରେମ ନା ସହି ପାରୁଥିଲେ ପ୍ରତାରଣା ଲୋକଲଜ୍ଜା ଭୟ ବି ଘାରୁଥିଲା | ବିଚଳିତ ହେଉଥିଲେ, ଅସ୍ଥିର ହେଉଥିଲେ । ଶେଷରେ ନେଇଥିଲେ ଚରମ ନିଷ୍ପତି । କମିସନରେଟ ପୋଲିସ ଏବେ ଅଭିଯୁକ୍ତ ଶ୍ରୀଧରଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି ।