
ଅବୁଦ୍ଧାବି: ଏବେ ୟୁଏଇ ଓ ଭାରତ ମଧ୍ୟରେ ଟଙ୍କା ଆଦାନପ୍ରଦାନ ଖୁବ୍ ସହଜରେ ହୋଇପାରିବ । ଆଙ୍ଗୁଳିରେ ଏକ କ୍ଲିକ୍ ମାଧ୍ୟମରେ ଏବେ ପଠାଯାଇପରିବ ବିଦେଶରେ ଥିବା ଆତ୍ମୀୟ ସ୍ଵଜନଙ୍କୁ ଟଙ୍କା । ସ୍ଥାନୀୟ କରେନ୍ସି ତଥା ମୁଦ୍ରାରେ କାରବାର ପାଇଁ ଭାରତ ଏବଂ ୟୁଏଇ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷକରି ଶନିବାର ୟୁଏଇରେ ପହଞ୍ଚିବା ପରେ ଏନେଇ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଦ୍ୱିପାକ୍ଷିକ କାରବାର ଲାଗି ନିଜ ନିଜ ସ୍ଥାନୀୟ ମୁଦ୍ରାର ବ୍ୟବହାର ଉପରେ ଢାଞ୍ଚା ପ୍ରସ୍ତୁତ କରିବାକୁ ଭାରତ ଏବଂ ୟୁଏଇ ଶନିବାର ଏମ୍ଓୟୁ ସ୍ବାକ୍ଷର କରିଛନ୍ତି । ୟୁଏଇ ଇନ୍ଷ୍ଟାଣ୍ଟ ପେମେଣ୍ଟ ପ୍ଲାଟଫର୍ମ(ଆଇପିପି) ସହ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ସଂଯୋଗ ଉପରେ ଉଭୟ ଦେଶ ସହମତ ହୋଇଛନ୍ତି ।
ଏହା ଦ୍ବାରା ଉଭୟ ରାଷ୍ଟ୍ର ମଧ୍ୟରେ ସହଜରେ କାରବାର କରାଯାଇ ପାରିବ ଏବଂ ଅର୍ଥନୈତିକତା କୁ ଆହୁରି ସୁଦୃଢ କରାଯାଇ ପାରିବ । ଏହି ଚୁକ୍ତିନାମାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ୟୁଏଇର ସେଣ୍ଟ୍ରାଲ ବ୍ୟାଙ୍କ (ସିବିୟୁଏଇ)ର ଗଭର୍ଣ୍ଣର ଖାଲିଦ ମହମ୍ମଦ ବାଲାମା ସ୍ବାକ୍ଷର କରିଛନ୍ତି । ପେମେଣ୍ଟ ମେସେଜିଂ ସିଷ୍ଟମକୁ ଲିଙ୍କ କରିବାକୁ ଆରବିଆଇ ଏବଂ ସିବିୟୁଏଇ ରାଜି ହୋଇଛନ୍ତି। ଏହା ଦ୍ଵାରା କରେଣ୍ଟ ଆକାଉଣ୍ଟ ଟ୍ରାନଜାକ୍ସନ ଏବଂ ଅନୁମୋଦିତ କ୍ୟାପିଟାଲ ଆକାଉଣ୍ଟ ଟ୍ରାନଜାକ୍ସନ ସହଜରେ କରାଯାଇପାରିବ। ଏହା ଫଳରେ ଅନ୍ତର୍ଜାତୀୟ ମୁଦ୍ରା ବିନିମୟ ବଜାରରେ ଭାରତୀୟ ଟଙ୍କା ଓ ୟୁଏଇ ମୁଦ୍ରା ଧୀରାମ୍ ସ୍ଥିତି ଆହୁରି ସୁଦୃଢ ହୋଇପାରିବ ବୋଲି କୁହାଯାଇଛି । ଏହାବ୍ୟତୀତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଉଭୟ ଦେଶ ମଧ୍ୟରେ ହେଉଥିବା ଅର୍ଥ କାରବାର ପାଇଁ ବ୍ୟୟ ହାର କମ ରହିବ । ସେହିପରି ଯେଉଁ ଭାରତୀୟମାନେ ୟୁଏଇ ରୁ ଭାରତକୁ ଅର୍ଥ ପଠାଉଛନ୍ତି ସେମାନଙ୍କ ପାଇଁ ମଧ୍ୟ ବିନିମୟ ଖର୍ଚ୍ଚ ହ୍ରାସ ପାଇବ । ଦ୍ବିତୀୟ ବୁଝାମଣାପତ୍ର ଅନୁସାରେ ଭାରତର ୟୁପିଆଇ ବ୍ୟବସ୍ଥାକୁ ୟୁଏଇର ପେମେଣ୍ଟ ସିଷ୍ଟମ ସହ ଯୋଡ଼ାଯିବ । ଏହା ଫଳରେ ଲୋକମାନେ ୟୁପିଆଇ ମାଧ୍ୟମରେ ଦୁବାଇ ସମେତ ୟୁଏଇର ବିଭିନ୍ନ ସହରକୁ ଅର୍ଥ ପ୍ରେରଣ କରିପାରିବେ କିମ୍ବା ସେଠାରୁ ଭାରତକୁ ପଠାଇପାରିବେ ।
ଚଳିତ ବର୍ଷ ଜାନୁଆରୀରେ ସରକାର ଘୋଷଣା କରିଥିଲେ ଯେ ୧୦ଟି ଦେଶରେ ବାସ କରୁଥିବା ଭାରତୀୟମାନେ ୟୁପିଆଇ ବ୍ୟବହାର କରିପାରିବେ । ସେହି ତାଲିକାରେ ସିଙ୍ଗାପୁର, ଅଷ୍ଟ୍ରେଲିଆ, କାନାଡା, ହଂକଂ, ଓମାନ, କତାର, ଆମେରିକା, ସାଉଦି ଆରବ, ୟୁଏଇ ଓ ବ୍ରିଟେନ୍ ନାମ ଥିଲା । ୨୦୨୧ ଜୁଲାଇରେ ପ୍ରଥମ ବିଦେଶ ରାଷ୍ଟ୍ର ଭାବେ ଭୁଟାନରେ ୟୁପିଆଇ କାରବାର ଆରମ୍ଭ ହୋଇଥିଲା । ଏବେ ୟୁଏଇ ସହ ଏହି ୟୁପିଆଇ କାରବାର କରାଯିବ। ଭାରତର ଅନେକ ଲୋକ ଦୁବାଇରେ ରହି କାମ କରନ୍ତି। ତେଣୁ ଏପରି ଏକ ଦ୍ୱିପାକ୍ଷିକ ଚୁକ୍ତି ସେମାନଙ୍କ ପାଇଁ ଖୁବ୍ ସହାୟକ ହୋଇପାରିବ ।