
ବର୍ଷା ପରେ ନଦୀରେ ପାଣି ବଢିବା ପରେ ବୁଲୁଛନ୍ତି କୁମ୍ଭୀର । ବାରମ୍ବାର କୁମ୍ଭୀର ପଶୁ ଓ ମଣିଷଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ମନ୍ତେଇ ନଦୀରେ ଏକ ବଡ଼ କୁମ୍ଭୀର ବୁଲୁଥିବାର ଦେଖିବାକୁ ମିଳିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବାଲିଆପାଳ ଘାଟ ଠାରୁ ୨ କିଲୋମିଟର ଦୂର କାଳଗଦି ଗାଁ ପାଖ ମନ୍ତେଇ ନଈରେ ଏକ ବଡ କୁମ୍ଭୀର ବୁଲୁଥିବାର ଦେଖିବାକୁ ମିଳିଛି । ଏହାକୁ ନେଇ ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ନଦୀରେ କୁମ୍ଭୀର ବୁଲୁଥିବା ଦେଖି ଆଖପାଖ ଅଞ୍ଚଳର ଲୋକେ ମୋବାଇଲ ମାଧ୍ୟମରେ ଭିଡିଓ କରି ସରପଞ୍ଚଙ୍କ ପାଖକୁ ଖବର ଦେଇଥିଲେ । କୁମ୍ଭୀରଟିର ଲମ୍ବ ହାରାହାରି ୨୦ ଫୁଟ ହେବ ବୋଲି ଅନୁମାନ କରାଯାଉଛି । ଏହି ବ୍ଲକର ପଦ୍ମପୁର, ବାଲିମେଦ ଓ କରଞ୍ଜଅଡିଆ ପଞ୍ଚାୟତର କିଛି ଗାଁ ମନ୍ତେଈ ନଦୀ କୂଳରେ ଅବସ୍ଥିତ । ଏବେ ଏହି ନଦୀରେ କୁମ୍ଭୀର ବୁଲୁଥିବାର ଦେଖାଦେଇଛି । କେତେବେଳେ କୁମ୍ଭୀର ନଈ କୂଳରେ ଚରୁଥିବା ଗୋରୁଗାଇଙ୍କୁ ଖାଇଦେଉଛି ତ ପୁଣି କେତେବେଳେ ନଈ କୂଳରେ ଚିଙ୍ଗୁଡ଼ି ଚାଷ ହୋଇଥିବା ଆଡିରେ ଶୋଇରହୁଛି । କେତେବେଳେ ଯେ ମଣିଷ ଏହାର ଶିକାର ପାଲଟିବ, ସେ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନବିଭାଗ ପକ୍ଷରୁ ମନ୍ତେଈ ନଦୀ ପାର୍ଶ୍ୱରେ ସୁରକ୍ଷା ବାଡ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି । କିଛି ଦିନ ତଳେ ଏହି ମନ୍ତେଇ ନଈର ଛତ୍ରପଦ ନିକଟରେ ଏକ ଗାଈକୁ କୁମ୍ଭୀର ଟାଣିନେଇ ମାରି ଦେଇଥିଲା । ଗତ ଦୁଇ ଦିନ ତଳେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ପାଟପୁରଠାରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇ ମାରି ଦେଇଥିଲା । ମହିଳା ଜଣଙ୍କ ବିରୂପା ନଦୀକୁ ଲୁଗା ଧୋଇବାକୁ ଯାଇଥିଲାବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ । ତେବେ ଏନେଇ ନଦୀକୁ ଯିବା ପୂର୍ବରୁ ସମସଙ୍କୁ ସତର୍କ ରହିବାକୁ ଅନୁରୋଧ l