ଜିମ୍ବାୱେ: ଆଇସିସିର ପୂର୍ଣ୍ଣକାଳୀନ ସଦସ୍ୟ ଜିମ୍ବାୱେ ଚଳିତ ବର୍ଷର ମଧ୍ୟ ଦିନିକିଆ ବିଶ୍ଵକପ୍ ଲାଗି ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ। ବୁଲାୱାୟୋରେ ଚାଲିଥିବା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚରେ ମଙ୍ଗଳବାର ଦିନ ଜିମ୍ବାୱେକୁ ସ୍କଟଲାଣ୍ଡ୍ ୩୧ ରନ୍ରେ ପରାସ୍ତ କରି ବିଶ୍ଵକପର ହୋଇଛି ଆହୁରି ନିକଟତର । ଆୟୋଜକ ଜିମ୍ବାୱେ, ସୁପର୍ ସିକ୍ସରେ ୫ ମ୍ୟାଚରୁ ଲଗାତାର ଦ୍ଵିତୀୟ ପରାଜୟ ସହ ଅଭିଯାନ ଶେଷ କରିଛି। ଅନ୍ୟପକ୍ଷରେ ହ୍ୟାଟ୍ରିକ ବିଜୟ ସହିତ ସ୍କଟଲାଣ୍ଡ୍ ବିଶ୍ଵକପ ଦୌଡ଼ରେ ନିଜର ସମ୍ଭାବନା ଆହୁରି ଦୃଢ଼ କରିଛି । ଆୟର୍ଲାଣ୍ଡ୍ ଏବଂ ୱେଷ୍ଟଇଣ୍ଡିଜ୍ ପରେ ଏବେ ଜିମ୍ବାୱେକୁ ପରାସ୍ତ କରି ସ୍କଟଲାଣ୍ଡ୍ ୬ ପଏଣ୍ଟ ସହ ଟେବୁଲ୍ର ଦ୍ବିତୀୟ ସ୍ଥାନକୁ ଉଠିଛି। ଶେଷ ସୁପର୍ ସିକ୍ସ ମ୍ୟାଚରେ ସ୍କଟ୍ଲାଣ୍ଡ ଭେଟିବ ଅନ୍ୟତମ ଦାବିଦାର ନେଦରଲାଣ୍ଡ୍ କୁ। ନେଦରଲାଣ୍ଡ୍ ୪ ପଏଣ୍ଟରେ ଥିବାରୁ ବୃହତ ବ୍ୟବଧାନରେ ସ୍କଟଲାଣ୍ଡ୍କୁ ହରାଇ ପାରିଲେ ହିଁ ବିଶ୍ଵକପ ଯୋଗ୍ୟତା ଅର୍ଜନ କରିପାରିବ ନଚେତ୍ ଉନ୍ନତ ଏନ୍ଆର୍ଆର୍ ରଖିଥିବାରୁ ସ୍କଟଲାଣ୍ଡ୍ ସ୍ୱଳ୍ପ ବ୍ୟବଧାନରେ ହାରିଲେ ମଧ୍ୟ ବିଶ୍ୱକପ୍ ଯୋଗ୍ୟତା ଅର୍ଜନ କରିପାରିବ । ପୂର୍ବରୁ ଦୁଇ ଥର ବିଜେତା ହୋଇସାରିଥିବା ୱେଷ୍ଟଇଣ୍ଡିଜ୍ ମଧ୍ୟ ସୁପର୍ ସିକ୍ସରେ ହ୍ୟାଟ୍ରିକ୍ ପରାଜୟ ସହିତ ବିଶ୍ବକପ୍ ଯୋଗ୍ୟତାରୁ ବାଦ୍ ପଡ଼ିସାରିଛି ।
ସ୍କଟଲାଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲେ ମଧ୍ୟ ୮ ୱିକେଟ ହରାଇ ୨୩୪ ରନ୍ ସଂଗ୍ରହ କରିଥିଲା। ଲିସ୍କ ସର୍ବାଧିକ ୪୮ ରନ୍ (୩୪ ବଲ୍) କରିଥିବାବେଳେ ପ୍ରାରମ୍ଭିକ ବ୍ୟାଟମ୍ୟାନ୍ ମ୍ୟାଥ୍ଵୁ କ୍ରସ୍ ୩୮ , କ୍ରିଷ୍ଟୋଫର ୨୮, ମ୍ୟାକଲେନ୍ ୩୪ , ଜର୍ଜ ମୁନସେ ୩୧ ରନ୍ ର ଛୋଟ ଛୋଟ ପାଳି ଶେଷକୁ ଉପଯୋଗୀ ସାବ୍ୟସ୍ତ ହୋଇଥିଲା । ସିନ୍ ୱିଲିୟମ୍ସ ୩, ତେଣ୍ଡାଇ ଚତାରା ୨, ରିଚାର୍ଡ ଏନଗର୍ଭା ୧ ୱିକେଟ୍ ଅକ୍ତିଆର କରିଥିଲେ। ଅପରପକ୍ଷରେ ଇମ୍ବାୱେ ଅଷ୍ଟମ ଓଭର ଭିତରେ ୪ ୱିକେଟ୍ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟରେ ଚିନ୍ତାର ସମ୍ମୁଖୀନ ହୋଇଥିଲା। ସିକନ୍ଦର ରାଜା ୩୪, ୱେସଲି ମାଧୱେରେ ୪୦ ଓ ଗ୍ୟାନ୍ ବୁର୍ଲା ୮୩ ରନ୍ କରିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା। ଗ୍ୟାନ୍ ବୁର୍ଲ ବିଦାୟ ନେବା ପରେ ଜିମ୍ବାୱେ ଆଶା ମଉକି ଯାଇଥିଲା। ଶେଷକୁ ଘରୋଇ ଦଳ ୪୧.୧ ଓଭରରେ ୨୦୩ ରନ୍ କରି ସମସ୍ତ ୱିକେଟ୍ ହରାଇ ଅଲ୍ଆଉଟ୍ ହୋଇଥିଲା।