
ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସିପଡ଼ିଲା ବସ୍। ଏହି ଦୁର୍ଘଟଣା ରେ ୭ ଜଣ ଶିଶୁଙ୍କ ସମେତ ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଶନିବାର ଦିନ ବାଂଲାଦେଶ ଝଲାକାଠି ଛତ୍ରକୋଣ୍ଡା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩୫ ଜଣ ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ମିଳିଛି । ଆବଶ୍ୟକ ଠାରୁ ଅଧିକ ଯାତ୍ରୀ ଥିବାରୁ ଭାରସାମ୍ୟ ହରାଇ ବସ୍ ପୋଖରୀକୁ ଖସି ପଡ଼ିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ପ୍ରାୟ ୭୦ ଜଣ ଯାତ୍ରୀଙ୍କୁ ଧରି ‘ବସର୍ ସ୍ମୃତି ପରିବହନ’ ନାମକ ଏକ ବସ୍ ଭଣ୍ଡାରିଆ ଉପଜିଲ୍ଲାରୁ ପିରୋଜପୁରରୁ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ଡ୍ରାଇଭର ଏକ ଅଟୋକୁ ସାଇଡ୍ ଦେବାକୁ ଯାଇ ନିଜର ଭାରସାମ୍ୟ ହରାଇ ବସିଥିଲେ । ଯାହାଫଳରେ ବସ୍ଟି ଝଲାକାଠି ଛତ୍ରକୋଣ୍ଡା ନିକଟରେ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସି ପଡ଼ିଥିଲା।
ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ ଓ ତା ସହ ପାଣି ଭିତରୁ ମୃତାହତଙ୍କୁ ବାହାର କରିଥିଲେ। ଖବରପାଇ ଉଦ୍ଧାରକାରୀ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ ।ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ୍ରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ସୂଚନା ମିଳିଛି ।