
ଜାତୀୟ ଗୁରୁଦିବସ ପାଳନ ଅବସରରେ ସେପ୍ଟେମ୍ବର ୫ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ l କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପାଖରୁ ଏହି ସୂଚନା ଟି ମିଳିଛି l ଏହି ସମାରୋହ ଟି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜନ କରାଯିବ। ଛାତ୍ରଛାତ୍ରୀମାନଙ୍କ ଜୀବନକୁ ସମୃଦ୍ଧ କରିବା ପାଇଁ ଓ ଦେଶରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧିରେ ଶିକ୍ଷକମାନଙ୍କର ଅନନ୍ୟ ଅବଦାନକୁ ସ୍ୱୀକୃତି ଦେବା ସହ ଏବଂ ପ୍ରଶଂସା କରିବା ପାଇଁ ଶିକ୍ଷକମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯିବ । ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ ଯିଏ ନିଜେ ମଧ୍ୟ ପୂର୍ବରୁ ଜଣେ ଶିକ୍ଷକ ରହିଆସିଛନ୍ତି।
ମନୋନୀତ ହୋଇଥିବା ୭୫ଜଣ ଶିକ୍ଷକଙ୍କୁ ଏହି ଅବସରରେ ମାନପତ୍ର ସହ ୫୦ ହଜାର ଟଙ୍କା ରାଶି ଓ ସିଲଭର ମେଡାଲ ମଧ୍ୟ ପ୍ରଦାନ କରାଯିବ । ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇବେ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି । ତେବେ ଚଳିତ ବର୍ଷ ୫୦ ଜଣ ସ୍କୁଲ ଶିକ୍ଷକ, ଉଚ୍ଛ ଶିକ୍ଷା ବିଭାଗର ୧୨ ଜଣ ଶିକ୍ଷକ ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ୧୨ ଜଣ ଶିକ୍ଷକଙ୍କୁ ପୁରସ୍କୃତ କରାଯିବ।
ପ୍ରତିବର୍ଷ ଶିକ୍ଷକ ଦିବସରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ସବୁ ଶିକ୍ଷକ ମାନଙ୍କ ମଧ୍ୟରୁ ଦେଶର ଶ୍ରେଷ୍ଠ ଶିକ୍ଷକମାନଙ୍କୁ ଚୟନ କରାଯିବା ପରେ ଗୁରୁ ଦିବସରେ ସମ୍ମାନିତ କରାଯାଇଥାଏ । ଶିକ୍ଷା ବ୍ୟବସ୍ଥାରେ ଉଲ୍ଲେଖନୀୟ ଅବଦାନ ଥିବା ଶିକ୍ଷକମାନଙ୍କୁ ଚୟନ କରିବା ସହ ସେମାନଙ୍କୁ ଅବଦାନକୁ ଲୋକଲୋଚନକୁ ଆଣିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ପୂର୍ବ ବର୍ଷ ଅର୍ଥାତ ୨୦୨୨ ରେ ଦେଶର ୪୫ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସମସ୍ତ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୨ ପ୍ରଦାନ କରିଥିଲେ ।