
ଭୁବନେଶ୍ବର : କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା। ହିତାଧିକାରୀଙ୍କୁ ମିଳିବ ୫୬ କୋଟି ଟଙ୍କାର ଅନୁଦାନ। ଏଥିରେ ଉପକୃତ ହେବେ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ। ୨୦୨୨ ଶସ୍ୟବର୍ଷରେ ସର୍ବକାଳୀନ ରେକର୍ଡ ପରିମାଣର ଆର୍ଥିକ ସହାୟତା-୨୫୦ କୋଟି ଟଙ୍କା । କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଚଳିତ ଜୁଲାଇ ମାସରେ ଏହି ବୋନସ୍ ଓ ପ୍ରୋତ୍ସାହନ ରାଶି ମିଳିବ ।୨୦୨୨ ଶସ୍ୟବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ୨୫ ପ୍ରତିଶତ ବୋନସ୍ ଓ ୪୦ ହଜାର କେନ୍ଦୁପତ୍ର ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କୁ ୫ ପ୍ରତିଶତ ପ୍ରୋତ୍ସାହନ ରାଶି ମିଳିବ। ସେହିପରି ମୋଟ ୫୬.୨୩ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ । ସେହିପରି ୨୦୨୨ ଶସ୍ୟବର୍ଷର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ଏକ ହଜାର ଟଙ୍କା ଆର୍ଥିକ ସହାୟତା, ପାଣି ବୋତଲ ପାଇଁ ୨୦୦ ଟଙ୍କା ଏବଂ ଚପଲ ପାଇଁ ୧୬୦ ଟଙ୍କା, ଏହିପରି ଭାବେ ପ୍ରତ୍ୟେକ କେନ୍ଦୁପତ୍ର ତୋଳାଳିଙ୍କୁ ୧୩୬୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ତୃତୀୟ ପର୍ଯ୍ୟାୟକୁ ମିଶାଇ ୨୦୨୨ ଶସ୍ୟବର୍ଷ ପାଇଁ କେନ୍ଦୁପତ୍ର ହିତାଧିକାରୀମାନଙ୍କୁ ବୋନସ, ପ୍ରୋତ୍ସାହନ ରାଶି ଓ ଆର୍ଥିକ ସହାୟତା ବାବଦକୁ ଦିଆଯାଇଥିବା ମୋଟ ସହାୟତା ପରିମାଣ ୨୫୦.୭୮ କୋଟି ଟଙ୍କା ହେବ । ଯାହା କି ଗୋଟିଏ ଫସଲ ବର୍ଷରେ ସର୍ବକାଳୀନ ରେକର୍ଡ। ସୂଚନା ଅନୁସାରେ ୨୦୨୧ ମସିହା ପାଇଁ ୨୦୨୨ ମସିହାରେ କେନ୍ଦୁପତ୍ର ତୋଳାଳିଙ୍କୁ ୧୧୮. ୮୩ କୋଟି ଟଙ୍କାର ବୋନସ ଓ ସହାୟତା ପ୍ରଦାନ କରାଯାଇଥିଲା । ୨୦୨୨ ଶସ୍ୟବର୍ଷ ପାଇଁ କେନ୍ଦୁପତ୍ର ହିତାଧିକାରୀମାନଙ୍କୁ ୨୦୨୧ ମସିହା ଠାରୁ ୧୧୧ ପ୍ରତିଶତ ଅଧିକ ସହାୟତା ରାଶି ପ୍ରଦାନ କରାଯାଉଛି ।