
ଭୁବନେଶ୍ୱର: ଗତ କିଛି ଦିନ ପୂର୍ବରୁ ରାଜରାସ୍ତାକୁ ଓହ୍ଲାଇ ବୋର୍ଡ ଗଠନ ପାଇଁ ଦାବି କରିଥିଲେ ଡ୍ରାଇଭର ସଂଘ । ପ୍ରତିଶ୍ରୁତି ପୂରଣ କରିବାକୁ କଥା ଦେଇ କଥା ରଖିଛନ୍ତି ଓଡିଶା ସରକାର । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଗଠନ ହୋଇଛି ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ । ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ଏହି ବୋର୍ଡ । ଏହି ବୋର୍ଡରେ ଧର୍ମଶାଳା ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ ଓ ଝାରସୁଗୁଡା ବିଧାୟିକା ସୁଶ୍ରୀ ଦୀପାଳି ଦାସଙ୍କୁ ସଦସ୍ୟଭାବେ ମନୋନୀତ କରାଯାଇଛି । ଏହା ସହିତ ଏହି ବୋର୍ଡରେ ପରିବହନ ବିଭାଗର ଅଧିକାରୀ, ଗାଡି ମାଲିକ ସଂଘର ପ୍ରତିନିଧି, ଚାଳକ ସଂଘର ପ୍ରତିନିଧି, କର୍ମଚାରୀ ସଂଘର ପ୍ରତିନିଧି ତଥା ସାମାଜିକ କର୍ମୀ ମଧ୍ୟ ସଦସ୍ୟ ଭାବେ ରହିବେ । ଏହା ପୂର୍ବରୁ ୧୨ ଜୁନ୍ ୨୦୨୩ ରେ ମୁଖ୍ୟମନ୍ତ୍ରୀ ଏହି ବୋର୍ଡ ଗଠନ ନିମନ୍ତେ ଘୋଷଣା କରିଥିଲେ । ଏହି ବୋର୍ଡ ଡ୍ରାଇଭର ତଥା କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବେ ଏବଂ ଡ୍ରାଇଭର ତଥା କର୍ମଚାରୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବେ। ଏହି କଲ୍ୟାଣ ବୋର୍ଡ ଦ୍ୱାରା ରାଜ୍ୟର ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ୱ ଡ୍ରାଇଭର ଓ କର୍ମଚାରୀ ତଥା ସେମାନଙ୍କ ପରିବାରବର୍ଗ ଉପକୃତ ହେବେ । ଓଡିଶା ସରକାର ରାଜ୍ୟର ସବୁ ବର୍ଗର ଲୋକଙ୍କ ପାଇଁ ଚିନ୍ତା କରୁଥିବା ବେଳେ ଡ୍ରାଇଭରମାନଙ୍କୁ ମଧ୍ୟ ଅଣଦେଖା କରିନାହାନ୍ତି l ଡ୍ରାଇଭରମାନଙ୍କ କଲ୍ୟାଣ ନିମନ୍ତେ ମଧ୍ୟ ଅନେକ ଯୋଜନା କରିବାର ପ୍ରୟାସ ଜାରି ରହିଛି l