
୨୪ ନିର୍ବାଚନ ପାଇଁ ଅଣ୍ଟା ଭିଡୁଛି କଂଗ୍ରେସ ରାଜ୍ୟ କଂଗ୍ରେସର ନୂଆ ଷ୍ଟ୍ରାଟେଜି । ଘର ଛାଡ଼ି ଚାଲିଯାଇଥିବା ନେତାଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । ଗମାଙ୍ଗ ପରିବାରଙ୍କ ସମେତ କିଛି ପୂର୍ବତନ ବିଧାୟକ ମଧ୍ୟ ୨୪ ନିର୍ବାଚନ କଂଗ୍ରେସ ଟିକେଟ୍ରୁ ଲଢିବାକୁ ଆଗ୍ରହୀ ଥିବା ଜଣାପଡ଼ିଛି । ଯେଉଁଥି ପାଇଁ ଦଳ ପ୍ରସ୍ତୁତି କରିଛି ରଣନୀତି । ସେପଟେ ରାଜ୍ୟ କଂଗ୍ରେସ ପାଇଁ ବର୍ତ୍ତମାନ ସ୍ୱତଃପ୍ରବୃତ୍ତ ସୁଯୋଗ ଥିବାବେଳେ ଗୋଷ୍ଠୀ କନ୍ଦଳକୁ ମ୍ୟାନେଜ୍ କରିବା ଦଳ ପାଇଁ କାଠିକର ପାଠ ହେବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ତେବେ ଏବେ ବଳ ଗୋଟାଉଛି କଂଗ୍ରେସ । ଦଳ ଡିଆଁ ପୁରୁଖା ଫେରିବେ ଦଳକୁ । ଭାରତ ରାଷ୍ଟ୍ର ସମିତି ଓଡ଼ିଶା ନେତା ଏବେ କଂଗ୍ରେସ ମୁହାଁ ହୋଇଛନ୍ତି । ଦିଲ୍ଲୀଠୁ ଓଡ଼ିଶା ଯାଏ ସବୁଠି ଏହି ଚର୍ଚ୍ଚା । ୨୪ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ନୂଆ ଷ୍ଟ୍ରାଟେଜି ତିଆରି ଚାଲିଛି । ଦକ୍ଷିଣ ଓଡ଼ିଶାରୁ ଦଳ ଆରମ୍ଭ କରିଛି ମିଶନ । ଦଳ ଫେରନ୍ତା ଆଶାୟୀଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ଗମାଙ୍ଗ ପରିବାର । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ସ୍ତ୍ରୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ଏଇ ମାସ ଶେଷ ସୁଦ୍ଧା କଂଗ୍ରେସରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଶିଶିର କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟି ଗ୍ରୀନ ସିଗନାଲ୍ ମଧ୍ୟ ପାଇଥିବା କହିଛନ୍ତି । ନିକଟରେ ସଂସଦରେ ଅନାସ୍ଥା ଆଲୋଚନା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗିରିଧର ଗମାଙ୍ଗଙ୍କ ଗୋଟିଏ ଭୋଟ୍ କିଭଳି ବାଜପେୟୀ ସରକାରର ପତନର କାରଣ ହୋଇଥିଲା ତାହା ଗୃହରେ ଉଲ୍ଲେଖ କରିଥିଲେ । ଅମିତ ଶାହାଙ୍କ ସଂସଦ ସ୍ପିଚ୍ ସ୍ପଷ୍ଟ କରୁଛି ଯେ ଜାତୀୟ ରାଜନୀତିରେ ଗମାଙ୍ଗ ପରିବାରର ଏବେବି ଛାପ ରହିଛି । ସେହିପରି ଆଉଜଣେ ବିଆରଏସ ନେତା ଜୟରାମ ପାଙ୍ଗୀ ମଧ୍ୟ କଂଗ୍ରେସରେ ଖୁବ୍ ଶୀଘ୍ର ଯୋଗଦେଇପାରନ୍ତି ବୋଲି ସୂଚନା ମିଳିଛି । କେବଳ ଏହି ନେତାମାନେ ନୁହଁନ୍ତି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଫେରୁଥିବା ନେଇ ଚର୍ଚ୍ଚା ହେଉଛି । କଂଗ୍ରେସ ମୁହାଁ ନେତା ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି । କେବଳ ଯେ ପୁରୁଣା ନେତାଙ୍କୁ ଫେରାଯିବ ତାହା ନୁହେଁ ସସ୍ପେଣ୍ଡ ହୋଇଥିବା କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ବି ଖୁବ୍ ଶୀଘ୍ର ନିଲମ୍ବନ ହଟିପାରେ । ଏନେଇ କିଛି ନେତା ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପିସିସି ସଭାପତି କହିଛନ୍ତି କେବଳ ଦକ୍ଷିଣ ଓଡିଶା ନୁହେଁ ସାରା ରାଜ୍ୟରେ କିପରି ଦଳ ମଜବୁତ ହେବ ସେଥିଲାଗି ପ୍ରୟାସ ଚାଲିଛି । ଅନ୍ୟପଟେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ ଲାଗି ରାଜ୍ୟରେ ସୁଯୋଗ ସୃଷ୍ଟି ହୋଇଛି । ତେବେ ଏକ୍ ହୋଇ ଲଢିବା ଦଳ ପାଇଁ ଏବେ ଏକ ଚାଲେଞ୍ଜ । ପୁରୁଣା ଆଉ ନୂଆଙ୍କୁ ଏକାଠି କରି ରାଜ୍ୟ କଂଗ୍ରେସ ଆଗକୁ ବଢିବାକୁ ଚେଷ୍ଟା ଚଳାଇଛି ।