ହ୍ବାଟ୍ସଆପରେ ନୂଆ ଫିଚର ଏଣିକି ବିଶ୍ବର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପରେ ସେୟାର କରିହେବ ହାଇ କ୍ବାଲିଟି ଫଟୋ । ଆପରେ ଫଟୋ ସେୟାରିଂରେ ଉନ୍ନତି ଆଣିବା ପାଇଁ ହ୍ବାଟ୍ସଆପ ଏକ ନୂତନ ଫିଚର ଯୋଡିଛି, ଯାହା ସାହାଯ୍ୟରେ ଆପଣ ଏଚଡି ଫଟୋ ସେୟାର କରିବାକୁ ସମର୍ଥ ହେବେ । ମେଟାର ସିଇଓ ମାର୍କ ଜୁକରବର୍ଗ ଇନଷ୍ଟାଗ୍ରାମ ବ୍ରୋଡକାଷ୍ଟ ଚ୍ୟାନେଲରେ ଏହି ସୂଚନା ଦେଇଛନ୍ତି। ସୂଚନାଅନୁସାରେ, ବର୍ତ୍ତମାନ ସୁଦ୍ଧା ହ୍ବାଟ୍ସଆପ ବ୍ୟବହାରକାରୀମାନେ ହ୍ବାଟ୍ସଆପରେ କମ୍ପ୍ରେସ ଅର୍ଥାତ ନିମ୍ନ ଗୁଣବତ୍ତାର ଫଟୋ ସେୟାର କରୁଥିଲେ । କିନ୍ତୁ ବର୍ତ୍ତମାନ ଆପଣ ଏହାର ଗୁଣବତ୍ତା ପରିବର୍ତ୍ତନ କରିପାରିବେ । କିଛି ଦିନ ଭିତରେ ସମସ୍ତେ ଏହି ଫିଚରର ସୁବିଧା ପାଇପାରିବେ ବୋଲି ସୂଚନା ମିଳିଛି । ଏହି ଫିଚର ବ୍ୟବହାର କରିବା ସମୟରେ ଅର୍ଥାତ ଫଟୋ ସେୟାର କରିବା ସମୟରେ ଆପଣଙ୍କୁ ଥିବା ଏଚଡି ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ । ଯଦି ଆପଣ କାହାକୁ ଫଟୋ ସେୟାର କରିବା ସମୟରେ ଏଚଡି ବଟନ୍ କ୍ଲିକ ନକଲେ ଫଟୋ କମ୍ପ୍ରେସ ହୋଇ ସେୟାର ହେବ । କିନ୍ତୁ ଏଚଡି ଫଟୋ ଅପ୍ସନ ଉପରେ କ୍ଲିକ କରିବା ଦ୍ବାରା ଫଟୋ ହାଇକ୍ବାଲିଟି ହେବ । ଯେତେବେଳେ ଆପଣ କାହା ସହିତ ଏକ ଏଚଡି ଫଟୋ ସେୟାର କରୁଛନ୍ତି, ସେତେବେଳେ ଅନ୍ୟ ବ୍ୟକ୍ତି ମଧ୍ୟ ଏହା ଏକ ହାଇକ୍ବାଲିଟି ଫଟୋ ବୋଲି ଜାଣିପାରିବେ । କାରଣ ଫଟୋର ନିମ୍ନ ଭାଗରେ ଏଚଡି ଲୋଗୋ ଦେଖାଯିବ । ଏହାରି ଭିତରେ କମ୍ପାନୀ ପକ୍ଷରୁ ଆଉ ଏକ ଫିଚର ନେଇ ମଧ୍ୟ ସୂଚନା ଦିଆଯାଇଛି । ଖୁବ୍ ଶୀଘ୍ର ୟୁଜର୍ସ ଏଚଡି ଭିଡିଓର ବିକଳ୍ପ ମଧ୍ୟ ପାଇବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କିନ୍ତୁ ଏଚଡି ମୋଡରେ ଫଟୋ ପଠାଇବା ଦ୍ବାରା ଇଣ୍ଟରନେଟ ମଧ୍ୟ ଅଧିକ ଖର୍ଚ୍ଚ ହେବ । ଇଣ୍ଟରନେଟକୁ କମ କରିବା ପାଇଁ ଆପଣ କମ୍ପ୍ରେସ ମୋଡରେ ମଧ୍ୟ ଫଟୋ ପଠାଇପାରିବେ।