
କଣ୍ଟାବାଞ୍ଜି: କଣ୍ଟାବାଞ୍ଜିକୁ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ଦେବା ପାଇଁ ଦାବି କରାଯାଇଛି । ଏହି ଦାବି ପୂରଣର ଆଶା ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଅଖ ଚକ ସବୁ ବନ୍ଦ ରହିବ । ବନ୍ଦ ପାଳନରେ ବୁଦ୍ଧିଜୀବୀ ଓ ଜିଲ୍ଲା ସଂଘର୍ଷ ସମିତିର ସଦସ୍ୟ, ରାଜନୈତିକ ଦଳର କର୍ଯ୍ୟକର୍ତ୍ତା, ବିଭିନ୍ନ ସଂଗଠନର ନେତୃବୃନ୍ଦମାନେ ସାମିଲ ହୋଇ ସମର୍ଥନ କରୁଛନ୍ତି । କଣ୍ଟାବାଞ୍ଜି ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ବନ୍ଦ କରିବା ଫଳରେ ଶହ ଶହ ଗାଡି ଅଟକି ରହିଛି । ଏହି ଜିଲ୍ଲା ଦାବି ପ୍ରସଙ୍ଗକୁ ନେଇ ପୂର୍ବରୁ ମଧ୍ୟ ଜୋରଦାର ଆନ୍ଦୋଳ କରାଯାଇଥିଲା । ଆଜି ଏନେଇ ଦୋକାନ ବଜାର, ଗାଡ଼ି ମୋଟର ଚଳାଚଳ, ଶିକ୍ଷା ଅନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ବିଭିନ୍ନ ପ୍ରତିଷ୍ଠାନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ସକାଳୁ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ବୁଲି ବୁଲି ଗାଡି-ମଟର ବନ୍ଦ କରିବା ପାଇଁ ଏବଂ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ବନ୍ଦ ଫଳରେ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡ଼ିଛି । ଆନ୍ଦୋଳନକାରୀଙ୍କ ଦାବି ଯେ ୧୯୯୨ ମସିହାରୁ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି କରାଯାଉଛି । ହେଲେ ଏଯାଏଁ ଏହି ଦାବି ପୂରଣ କରାଯାଇ ନାହିଁ । ପୂର୍ବରୁ ମାର୍ଚ୍ଚ ୨୫ ତାରିଖରେ ମଧ୍ୟ ବନ୍ଦ ଡାକରା ଦିଆଯାଇଥିଲା । ତଥାପି ଏନେଇ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଆଜି ସେମାନେ ପୁଣି ୧୨ ଘଣ୍ଟିଆ ବନ୍ଦ ଘୋଷଣା କରିଛନ୍ତି ।